ନୂଆଦିଲ୍ଲୀ, ୮/୧୧ : ଶନିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଶନିବାର ଦ୍ୱିତୀୟ ଦିନିକିଆ ଖେଳାଯାଇଥିଲା । ଲୋ ସ୍କୋରିଂ ମୁକାବିଲାରେ ହାରୁ ହାରୁ ଜିତିଥିଲା ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡ କମ୍ ସ୍କୋର କରିଥିଲେ ବି ଭାରତ ୭ ଓ୍ୱିକେଟ୍ ହରାଇ ସାରିଥିଲା । କିନ୍ତୁ ବର୍ଷା ହେବାରୁ ଦଳ ଡିଏଲଏସ ମେଥଡରେ ୪ ରନରେ ବିଜୟୀ ହୋଇଛି । ତେବେ ମ୍ୟାଚ୍ ସମୟର ଏକ ଘଟଣାକୁ ନେଇ ଏବେ ଚର୍ଚ୍ଚା । ମ୍ୟାଚ୍ ବେଳେ କିଛି ଏପରି ଘଟିଥିଲା ଯାହାକୁ ନେଇ ବିରାଟ କୋହଲି ରାଗିଯାଇଥିଲେ ।

ରିପୋର୍ଟ ଅନୁସାରେ, ଭାରତୀୟ ଦଳର ବୋଲିଂ ବେଳେ ବାଉଣ୍ଡରୀ ଲାଇନ୍ ପାଖରେ ବିରାଟ ଫିଲ୍ଡିଂ କରୁଥିଲେ । ଏହି ସମୟରେ ଜଣେ ଫ୍ୟାନ୍ ତାଙ୍କ ଉପରକୁ ଏକ ଛୋଟ ପ୍ଲାଷ୍ଟିକ୍ ବ୍ୟାଟ୍ ଫିଙ୍ଗି ଥିଲେ । ବିରାଟ ଅଟୋ ଗ୍ରାଫ୍ ଦେବେ ବୋଲି ସେ ପଡିଆକୁ ବ୍ୟାଟ୍ ଫିଙ୍ଗି ଦେଇଥିଲେ । କିନ୍ତୁ ଫ୍ୟାନ୍ସଙ୍କ ଏପରି ଆଚରଣ ଦେଖି ବିରାଟ ରାଗିଯାଇଥିଲେ । ଏହାପରେ ବିରାଟ ନିଜେ ବ୍ୟାଟକୁ ଗୋଟାଇ ବାଉଣ୍ଡରୀ ଆରପଟକୁ ପକାଇ ଦେଇଥିଲେ । ବ୍ୟାଟ୍ ଉଠାଇବା ସମୟରେ କୋହଲିଙ୍କ ମୁହଁରେ ଅସନ୍ତୋଷ ବାରି ହୋଇ ପଡୁଥିଲା ।

Also Read :- Poland Firing: ପୋଲାଣ୍ଡ ମାର୍କେଟରେ ଆଖିବୁଜା ଗୁଳିକାଣ୍ଡ; ୬ ଜଣଙ୍କ ମୃତ୍ୟୁ, ୧୫ ଆହତ

ମୁକାବିଲା ଉପରେ ନଜର ପକାଇଲେ ୧୩୪ ରନରେ ନ୍ୟୁଜିଲାଣ୍ଡ ଅଲ୍ ଆଉଟ୍ ହେବା ପରେ ଲାଗିଲା ଭାରତ ସହଜରେ ମ୍ୟାଚ୍ ଜିତିଯିବ। କିନ୍ତୁ ଦ୍ରୁତ ବୋଲରଙ୍କୁ ମିଳୁଥିବା ସହାୟତାର ଫାଇଦା ମଧ୍ୟ ଉଠାଇଥିଲେ କିଓ୍ଵି ବୋଲର। ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଅଧିନାୟକ ଶୁଭମନ ଗିଲଙ୍କୁ ଖାତା ଖୋଲିବାକୁ ଦେଇ ନ ଥିଲେ ଜାକବ ଡଫି। ପୁଣି ଇନଫର୍ମ ବ୍ୟାଟର ବିରାଟ କୋହଲି(୭ ରନ) ଆଉଟ୍ ହେବା ଭାରତକୁ ବଡ଼ ଝଟକା ଲାଗିଥିଲା। ଅନ୍ୟପଟେ ରୋହିତ ଶର୍ମା କ୍ରିଜରେ ଜମିବାକୁ ଚେଷ୍ଟା କରିଥିଲେ। ତେବେ ସେ ୨୩ ରନ କରି ଆଉଟ୍ ହେବା ଭାରତକୁ ଆଉ ଏକ ଝଟକା ଲାଗିଥିଲା। ଉପର କ୍ରମରେ ବ୍ୟାଟିଂ କରିବାକୁ ଆସିଥିବା ଅକ୍ଷର ପଟେଲ(୭ ରନ) ମଧ୍ୟ କିଛି ଖାସ୍ କରି ପାରି ନ ଥିଲେ।

୪୭ ରନରେ ୪ ଓ୍ଵିକେଟ୍ ହରାଇ ସଙ୍କଟରେ ପଡ଼ିଥିବା ଭାରତର ଇନିଂସକୁ ସମ୍ଭାଳିଥିଲେ ଉପଅଧିନାୟକ ଶ୍ରେୟସ ଆୟର ଓ କେଏଲ ରାହୁଲ। ଉଭୟ ସତର୍କତାର ସହ ବ୍ୟାଟିଂ କରି ଇନିଂସ ଗଢିବାକୁ ଚେଷ୍ଟା କରିଥିଲେ। ଦୁହେଁ ପଞ୍ଚମ ଓ୍ଵିକେଟରେ ୩୯ ରନ ଯୋଡ଼ି ଦଳ ଉପରୁ ଚାପ କିଛିଟା ହଟାଇଥିଲେ। ତେବେ ଆୟର ୩୦ ରନ କରି ଆଉଟ୍ ହୋଇଥିଲେ।। ନମନ ଧୀର ୧୨ ରନ କରିଥିଲେ ହେଁ ବଡ଼ ସଟ୍ ଖେଳିବା ପ୍ରୟାସରେ ଆଉଟ୍ ହେବାରୁ ଭାରତ ଉପରେ ପୁଣି ସଙ୍କଟ ମାଡ଼ି ବସିଥିଲା।

ଅଂଶୁଲ କମ୍ବୋଜ(୧) ଆଉଟ୍ ହୋଇଥିଲେ। ୧୧୧ ରନରେ ୭ ଓ୍ଵିକେଟ୍ ଖସିବା ପରେ ଭାରତ ଉପରେ ପରାଜୟର ଆଶଙ୍କା ସୃଷ୍ଟି ହୋଇଥିଲା। ପ୍ରତିଟି ରନକୁ ନେଇ ମ୍ୟାଚ୍ ରୋମାଞ୍ଚକର ହୋଇଥିଲା। ହେଲେ ଏହି ସମୟରେ ବର୍ଷା ଆରମ୍ଭ ହୋଇ ଯାଇଥିଲା ଏବଂ ଛାଡ଼ି ନ ଥିଲା। ଫଳରେ ମ୍ୟାଚର ଫଳାଫଳ ପାଇଁ ଡକ ଓ୍ଵର୍ଥ ଲୁଇ ନିୟମ(DLS)ର ସାହାରା ନେବାକୁ ପଡ଼ିଥିଲା। ଆଉ ଏହି ସମୟରେ ଭାରତ ଘରୋଇ ନ୍ୟୁଜିଲାଣ୍ଡଠୁ ୪ ରନରେ ଆଗରେ ଥିଲେ। ଫଳରେ ଭାରତ ମ୍ୟାଚକୁ ୪ ରନରେ ଜିତି ନେଇଛି।