ହରିଦ୍ଵାର: ଜାତୀୟ ରାଜପଥରେ ଯାତ୍ରା କରୁଥିବା କିଛି ମହିଳାଙ୍କୁ ପିଛା କରିବା, ଅଶ୍ଳୀଳଭାବେ ଗାଳିଗୁଲଜ କରିବା ଏବଂ ହଇରାଣ କରିବା ଅଭିଯୋଗରେ ଚାରି ଜଣ ମଦ୍ୟପ ଯୁବକଙ୍କୁ ପୋଲିସ ଗିରଫ କରିଛି। ଏହି ସମ୍ପୂର୍ଣ୍ଣ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ତତ୍ପରତା ପ୍ରକାଶ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣା ଘଟିଛି ହରିଦ୍ଵାର ଏକ୍ସପ୍ରେସ ଓ୍ଵେରେ।

ସୂଚନା ଅନୁଯାୟୀ, ହରିଦ୍ଵାରର ବାହାଦ୍ରାବାଦ ଅଞ୍ଚଳରେ ଏକ ଦିଲ୍ଲୀ ପଞ୍ଜୀକୃତ ଧଳା ରଙ୍ଗର 'ୱାଗନ୍-ଆର'କାରରେ ଚାରି ଜଣ ଯୁବକ ଅତ୍ୟଧିକ ମଦ୍ୟପାନ କରି ଯାତ୍ରା କରୁଥିଲେ। ସେମାନେ ରାସ୍ତାରେ ଯାଉଥିବା ମହିଳା ଏବଂ ଅନ୍ୟ ଯାତ୍ରୀମାନଙ୍କୁ ଅଟକାଇ ଅସଦାଚରଣ କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ।

Also Read: 'ଭାରତରେ ଆଗଭଳି ଶାନ୍ତି ନାହିଁ' : ମୁନ୍ନା ଭାଇ ହୋଇ ଏମିତି କାହିଁକି କହିଲେ ସଞ୍ଜୟ ଦତ୍ତ !

ମହିଳାମାନେ ସାହସ ସହ ଏହି ସମଗ୍ର ଘଟଣାକୁ ନିଜ ମୋବାଇଲ କ୍ୟାମେରାରେ କଏଦ କରିଥିଲେ। ଭିଡିଓରେ ଯୁବକମାନେ ଜୋରଜବରଦସ୍ତି ଗାଡ଼ି ରୋକିବାକୁ କହୁଥିବା ନଜର ଆସିଛନ୍ତି। ଜଣେ ଯୁବକ କହିଥିଲେ, "ଆବେ ଗାଡ଼ି ରୋକ୍।" ଏହାର ଜବାବରେ ମହିଳା ଜଣକ କହିଥିଲେ, "ପ୍ରଥମେ ଯାଇ ତୁମର ନିଶା ଛାଡ଼, ମଦ ପିଇ କଥା ହେଉଛ।"

ଏହି ଭିଡିଓ ଭାଇରାଲ ହେବା ପରେ ହରିଦ୍ଵାର ସିଟି ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ଦୀପକ ସିଂହଙ୍କ ନିର୍ଦ୍ଦେଶକ୍ରମେ ତୁରନ୍ତ ତଦନ୍ତ ଆରମ୍ଭ ହୋଇଥିଲା। ପୋଲିସ ସତର୍କ ହୋଇ ଗାଡ଼ିଟିକୁ ଅଟକାଇବା ସହ ଚାରିଜଣ ଯୁବକଙ୍କୁ ଥାନାକୁ ଆଣିଥିଲା। ଡାକ୍ତରୀ ପରୀକ୍ଷାରୁ ସେମାନେ ଅଧିକ ମଦ ପିଇଥିବା ସ୍ପଷ୍ଟ ହୋଇଥିଲା।

ପୋଲିସ ମୋଟର ଯାନ ଆଇନର ଧାରା ୧୮୫ ଏବଂ ଅନ୍ୟାନ୍ୟ ଆଇନଗତ ବ୍ୟବସ୍ଥା ଅନୁଯାୟୀ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହାସହ ଅଭିଯୁକ୍ତଙ୍କ ଗାଡ଼ିକୁ ଜବତ କରାଯାଇଛି। ଥାନାରେ ପୋଲିସ କାର୍ଯ୍ୟାନୁଷ୍ଠାନ ସମୟରେ ଉକ୍ତ ଯୁବକମାନେ ହାତଯୋଡ଼ି କ୍ଷମା ମାଗିବା ସହ ଭବିଷ୍ୟତରେ ଏପରି ଭୁଲ୍ ଆଉ କେବେ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।