ଭୁବନେଶ୍ବର: ବାଲିଅନ୍ତାରେ ଜିଆରପି କନଷ୍ଟେବଲ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟି ପିଟି ହତ୍ୟା ଘଟଣାରେ ଜାରି ରହିଛି ଉତ୍ତେଜନା ଓ ପୋଲିସର ତନାଘନା। ଶୁକ୍ରବାର କ୍ରାଇମ ସ୍ପଟରେ ପୋଲିସ ଡିଜି ଓ ମହିଳା କମିଶନ ଅଧ୍ୟକ୍ଷା ପହଞ୍ଚି ଅନୁଧ୍ୟାନ କରିଛନ୍ତି। ଘଟଣାରେ ଏଯାଏଁ ୫ ଜଣକୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ କମିଶନରେଟ ପୋଲିସ ବିଭିନ୍ନ ସ୍ଥାନରେ ଛାପା ମାରିଛି।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଘଟଣାକୁ ନେଇ ଗତକାଲି ପୋଲିସ୍ ମହାନିର୍ଦ୍ଦେଶକଙ୍କ ସହ କଥା ହୋଇଥିଲେ ଏବଂ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଶୁକ୍ରବାର ସୌମ୍ୟଙ୍କ ମୃତଦେହ ତାଙ୍କ ଗାଁରେ ପହଞ୍ଚିବା ପରେ ସେଠାରେ ଦେଖାଦେଇଥିଲା ତୀବ୍ର ଉତ୍ତେଜନା। ସ୍ଥାନୀୟ ଲୋକେ ପୋଲିସକୁ ଦାୟୀ କରି ରାସ୍ତା ଅବରୋଧ କରିଥିଲେ। ନ୍ୟାୟ ଦାବି କରିଥିଲେ।

Also Read:ବାଲିଅନ୍ତା ଘଟଣାକୁ ନେଇ ମୁହଁ ଖୋଲିଲେ ପୀଡିତା, କହିଲେ- ସେହି ସମୟର ଭୟଙ୍କର କାହାଣୀ

ରହସ୍ୟ ଭିତରେ ସୌମ୍ୟଙ୍କ ମୃତ୍ୟୁ

ଏସବୁ ଭିତରେ ସୌମ୍ୟଙ୍କ ମୃତ୍ୟୁ ପୂର୍ବରୁ ବାଲିଅନ୍ତାରେ ପ୍ରକୃତରେ କ’ଣ ଘଟିଥିଲା ? ତାକୁ ନେଇ ଏବେ ବି ଅନେକ କଥା ସ୍ପଷ୍ଟ ହେଉନଥିବା ବେଳେ ସୌମ୍ୟଙ୍କ ଦ୍ବାରା ଅସଦାଚରଣର ଅଭିଯୋଗ ଆଣିଥିବା ଦୁଇ ପୀଡ଼ିତା ମୁହଁ ଖୋଲିଛନ୍ତି। ନିଶାସକ୍ତ ଅବସ୍ଥାରେ ସୌମ୍ୟ ସେମାନଙ୍କ ସ୍କୁଟିକୁ ଧକ୍କା ଦେବା ସହ ଜଣେ ଯୁବତୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ପୀଡ଼ିତା । ଦୁଇ ଯୁବତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରିବ ପୋଲିସ। ସେପଟେ ସୌମ୍ୟଙ୍କ ସାଙ୍ଗ କହୁଛନ୍ତି ସୌମ୍ୟ କେବେ ନିଶା ସେବନ କରନ୍ତି ନାହିଁ। ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି । ଏହାରି ଭିତରେ ସୌମ୍ୟଙ୍କ GRP କନଷ୍ଟେବଳ ଚାକିରିକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି GRP ଏସପି ।

୨୦୨୧ରେ ଭୁବନେଶ୍ବର ମହିଳା ଥାନାରେ ସୌମ୍ୟଙ୍କ ନାଁରେ ହୋଇଥିଲା ମାମଲା

ଅନ୍ୟପଟେ ଚାକିରି କ୍ଷେତ୍ରରେ ସୌମ୍ୟଙ୍କ କାର୍ଯ୍ୟକଳାପ କିଭଳି ଥିଲା ବୋଲି ପ୍ରଶ୍ନରେ GRP ଏସପି ଭବାନୀ ଶଙ୍କର ଉଦ୍ଗାତା କହିଛନ୍ତି, ସୌମ୍ୟ ରଞ୍ଜନ ୨୦୧୪ରେ GRPରେ ଯୋଗ ଦେଇଥିଲେ । ଗତ ଏପ୍ରିଲ ୨୫ ତାରିଖରୁ କାର୍ଯ୍ୟରେ ଅନୁପସ୍ଥିତ ଥିଲେ । ବିଭିନ୍ନ ସମୟରେ ସେ କାର୍ଯ୍ୟରେ ଅନୁପସ୍ଥିତ ରହୁଥିବାରୁ ତାଙ୍କର ଦରମା ମଧ୍ୟ ବନ୍ଦ କରାଯାଇଥିଲା । GRP ଏସପି ସୌମ୍ୟଙ୍କୁ ନେଇ ଆଉ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମଧ୍ୟ ଦେଇଛନ୍ତି । ସୌମ୍ୟଙ୍କ ବିରୋଧରେ ୨୦୨୧ରେ ଭୁବନେଶ୍ବର ମହିଳା ଥାନାରେ ମଧ୍ୟ ମାମଲା ହୋଇଥିଲା ବୋଲି ସେ କହିଛନ୍ତି । ଠିକ୍ ଭାବେ ଡ୍ୟୁଟି ନକରି ସେ ଜିମ୍ କଥା ବୁଝୁଥିଲେ ବୋଲି କହିଛନ୍ତି GRP ଏସପି ।

Also Read: ବାଲିପାଟଣାରେ ପୁଣି ମାଡ଼ମାରି ଯୁବକଙ୍କୁ ହତ୍ୟା ଅଭିଯୋଗ, ଧାର୍ ଟଙ୍କାଙ୍କୁ ନେଇ ପିଟିପିଟି ମାରିଦେଲେ

ଏମିତିରେ ମୃତ ସୌମ୍ୟଙ୍କୁ ନେଇ ବିଭିନ୍ନ କଥା ସାମ୍ନାକୁ ଆସୁଥିବା ବେଳେ ପ୍ରକୃତ ଘଟଣା କ’ଣ ? ତାକୁ ନେଇ ତଦନ୍ତ ଚଳାଇଛି ପୋଲିସ । ଏମିତିକି ଦୁଇ ପୀଡ଼ିତାଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହେବ ବୋଲି ମଧ୍ୟ କହିଛି ପୋଲିସ।