ନୂଆଦିଲ୍ଲୀ: ସୀମା ପୁନଃ ନିର୍ଦ୍ଧାରଣ ବିଧେୟକକୁ ନେଇ ଦେଶର ରାଜନୈତିକ ଉତ୍ତେଜନା ସଂପ୍ରତି ଚରମରେ। ବିଜେପି ନେତୃତ୍ଵାଧୀନ ଏନଡିଏ ଏହି ସମ୍ବିଧାନ ସଂଶୋଧନ ବିଧେୟକକୁ ଲୋକସଭାରେ ପାରିତ କରାଇବା ପାଇଁ ଯେ କୌଣସି ସ୍ତରକୁ ଯାଇ ସାରିଥିବା ବେଳେ ଏବେ ଏହି ବିଧେୟକକୁ ରୋକିବା ପାଇଁ ନିଜର ପୂରା ଶକ୍ତି ଖଟାଇ ଦେଇଛି ଇଣ୍ଡି ମେଣ୍ଟ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ଇଣ୍ଡି ମେଣ୍ଟ ଶେଷ ଗୋଟି ଚଲାଇଛି। ଏସବୁ ନେତା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମେତ ବିରୋଧୀର ସମସ୍ତ ବଡ଼ ବଡ଼ ନେତା ରବିବାର ଚେନ୍ନାଇ ଅଭିମୁଖେ ଯାତ୍ରା କରୁଛନ୍ତି। ଇଣ୍ଡି ମେଣ୍ଟର ଗୋଟିଏ ଲକ୍ଷ୍ୟ ଡିଏମକେ ପ୍ରମୁଖ ଏମକେ ଷ୍ଟାଲିନଙ୍କୁ ଏହି ବିଧେୟକକୁ ସମର୍ଥନ ନ କରିବା ପାଇଁ ମନାଇବା।

ବିରୋଧୀ ଦଳ ପକ୍ଷରୁ ଏହି ପ୍ରୟାସ ଏମିତି ସମୟରେ ହେଉଛି ଯେତେବେଳେ ଗୋଟିଏ ଦିନ ପୂର୍ବରୁ ଷ୍ଟାଲିନଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଡିଏମକେ ସାଂସଦମାନେ କେନ୍ଦ୍ରର ସୀମା ପୁନଃ ନିର୍ଦ୍ଧାରଣ ବିଧେୟକକୁ ସମର୍ଥନ ଦେବା ପାଇଁ ପ୍ରସ୍ତାବ ପାରିତ କରିଥିଲେ। ଏହା ସହିତ ଡିଏମକେ ସାଂସଦ କାନି ମୋଝୀ ଶନିବାର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ।

Also Read: ବିଲ୍ ଆସିଲେ ନିଷ୍ପତ୍ତି ନେବ ବିଜେଡି, ରାଜ୍ୟର ସ୍ୱାର୍ଥ କ୍ଷୁର୍ଣ୍ଣ ହେଲେ କରିବ ବିରୋଧ

ଷ୍ଟାଲିନଙ୍କୁ ମନାଇବା ପାଇଁ ପ୍ରୟାସ ଜୋରଦାର୍

ସୋମବାର ଆରମ୍ଭ ହେଉଥିବା ସଂସଦର ସ୍ଵତନ୍ତ୍ର ଅଧିବେଶନରେ ସୀମା ପୁନଃ ନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ଆଇନ ଲାଗୁ କରିବା ସମ୍ବନ୍ଧିତ ସମ୍ଵିଧାନ ସଂଶୋଧନ ଉପରେ ଚର୍ଚ୍ଚା ହେବ। ଏହା ପୂର୍ବରୁ ରବିବାର ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀରୁ ଏକ ସ୍ଵତନ୍ତ୍ର ବିମାନରେ ମମତା ବାନାର୍ଜୀ, ସମାଜବାଦୀ ପାର୍ଟିର ସାଂସଦ ରାଜୀବ ରାୟ, ଆରଜେଡି ସାଂସଦ ମୀସା ଭାରତୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ସାଧାରଣ ସଂପାଦକ କେସି ବେଣୁଗୋପାଳ ଓ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଚେନ୍ନାଇ ଅଭିମୁଖେ ବାହାରିଛନ୍ତି।

ଚେନ୍ନାଇରେ ଷ୍ଟାଲିନଙ୍କ ସହ ସାକ୍ଷାତ ପରେ ଏହି ବରିଷ୍ଠ ବିରୋଧୀ ଦଳ ନେତାମାନେ ସନ୍ଧ୍ୟାରେ ମୁମ୍ବାଇ ଯାତ୍ରା କରିବେ। ସେଠାରେ ରାତି ପ୍ରାୟ ୯ଟାରେ ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ଏନସିପି(ଶରଦଚନ୍ଦ୍ର ପାଓ୍ଵାର) ପ୍ରମୁଖ ଶରଦ ପାଓ୍ଵାରଙ୍କୁ ଭେଟିବେ। ଏହି ବିଧେୟକ ବିରୋଧରେ ଏକଜୁଟ ହୋଇ ଭୋଟ୍ ଦେବାକୁ ଶରଦଙ୍କ ଗୋଷ୍ଠୀଙ୍କୁ ରାଜି କରାଇବା ପାଇଁ ପ୍ରୟାସ କରିବେ।

Also Read: Delimitation billକୁ ଡିଏମକେର ସମର୍ଥନ, ଟାର୍ଗେଟ କଲା ଟିଭିକେ

ଡିଏମକେର ଆଭିମୁଖ୍ୟରେ ଚିନ୍ତିତ ବିରୋଧୀ

ସୂଚନାଯୋଗ୍ୟ, ଶନିବାର ଏମକେ ଷ୍ଟାଲିନ କେନ୍ଦ୍ରର ସୀମା ପୁନଃନିର୍ଦ୍ଧାରଣ ବିଧେୟକକୁ ଡିଏମକେ ସମର୍ଥନ ଦେବ ବୋଲି ଘୋଷଣା କରିଛନ୍ତି। ସେ କହିଥିଲେ ଯେ, ଡିଏମକେର ଦାବିକୁ କେନ୍ଦ୍ର ସରକାର ମାନି ନେଇଛନ୍ତି। ଡିଏମକେର ଦାବି ଥିଲା, ୧୯୭୧ ଜନଗଣନା ଅନୁପାତକୁ ବଜାୟ ରଖି ସମସ୍ତ ରାଜ୍ୟର ଲୋକସଭା ସିଟ୍ ୫୦ ପ୍ରତିଶତ ବଢାଇ ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଏହାକୁ ଫ୍ରିଜ ରଖିବା।

ଉଲ୍ଲେଖନୀୟ ଡିଏମକେ ପାଖରେ ଲୋକସଭାରେ ୨୨ ଏବଂ ରାଜ୍ୟସଭାରେ ୮ ସାଂସଦ ରହିଥିବା ବେଳେ ଶରଦ ପାଓ୍ଵାରଙ୍କ ପାଖରେ ଲୋକସଭାରେ ୮ ସାଂସଦ ଅଛନ୍ତି। ସଂସଦରେ ଏହି ସମ୍ବିଧାନ ସଂଶୋଧନ ବିଧେୟକ ପାରିତ କରାଇବା ପାଇଁ ସରକାରଙ୍କୁ ଦୁଇ ତୃତୀୟାଂଶ ବହୁମତର ଆବଶ୍ୟକତା ରହିଛି। ଏମିତି ସମୟରେ ଡିଏମକେ ଏବଂ ଶରଦ ପାଓ୍ଵାରଙ୍କ ଗୋଷ୍ଠୀର ବିଧେୟକ ପ୍ରତି ସମର୍ଥନର ସଙ୍କେତ ଇଣ୍ଡି ମେଣ୍ଟର ରଣନୀତିକୁ ବଡ଼ ଝଟକା ଦେଇଛି। ଯାହାର ଭରଣା ପାଇଁ ଏବେ ବିରୋଧୀ ଦଳର ସମସ୍ତ ବଡ଼ ନେତା ଶେଷ ସମୟରେ ଡ୍ୟାମେଜ କଣ୍ଟ୍ରୋଲରେ ଜୁଟି ଯାଇଛନ୍ତି।