ନୂଆଦିଲ୍ଲୀ: ଭାରତରେ ଯଦି ଥରୁଟିଏ ବି ବିଧାୟକ କିମ୍ବା ସାଂସଦଟିଏ ହୋଇଯିବେ, ତେବେ ଆଜୀବନ ପେନସନ ମିଳିଥାଏ। ପଦରେ ଥିବା ସମୟରେ ତ ଅନେକ ସରକାରୀ ସୁବିଧା ମିଳେ। ଭାବନ୍ତୁ ଯିଏ ଉପରାଷ୍ଟ୍ରପତି ପଦରେ ଆସୀନ ହେବେ ଏବଂ କାର୍ଯ୍ୟକାଳ ସରିବା ପରେ ତାଙ୍କୁ କଣ କଣ ସୁବିଧା ମିଳୁ ନ ଥିବ। କିନ୍ତୁ ଭାରତର ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ କ୍ଷେତ୍ରରେ ବଡ଼ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏ ପର୍ଯ୍ୟନ୍ତ ତାଙ୍କୁ ସରକାରୀ ବାସଭବନଟିଏ ବି ମିଳିଲାନି। ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ସେ ଦିଲ୍ଲୀର ଛତରପୁର ସ୍ଥିତ ଏକ ଘରୋଇ ଫାର୍ମହାଉସରେ ରହୁଥିଲେ। ହେଲେ ଡିସେମ୍ବର ୧ ପରେ ତାଙ୍କ ଠିକଣା ବଦଳିବାକୁ ଯାଉଛି।

ଜଗଦୀପ ଧନଖଡ଼ଙ୍କ ଏକ୍ସ ହ୍ୟାଣ୍ଡେଲର ପୋଷ୍ଟରେ ଲେଖା ହୋଇଛି ଯେ, ଆଗାମୀ ଡିସେମ୍ବର ୧ରୁ ଦେଶର ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ବାସଭବନର ଠିକଣା ବଦଳିଯିବ। ସରକାରୀ ବାସଭବନ ନ ମିଳିବା ପର୍ଯ୍ୟନ୍ତ ସେ ନୂଆଦିଲ୍ଲୀରେ ଇଣ୍ଡିଆ ଗେଟ୍ ନିକଟ ୬, ତିଳକ ନଗର ସ୍ଥିତ ସାଗର ଆପାର୍ଟମେଣ୍ଟର ଆପାର୍ଟମେଣ୍ଟ ନମ୍ବର ୮ଏରେ ରହିବେ। ଏହା ଏକ ପ୍ରାଇଭେଟ୍ ସଂପତ୍ତି ବୋଲି ଏକ୍ସରେ ସୂଚନା ଦିଆଯାଇଛି।

Also Read: ରାହୁଲଙ୍କ ଅପିଲ୍ ଉପରେ ଷ୍ଟାଲିନଙ୍କ ସିଧା ଜବାବ, କହିଲେ- ଡିଲିମିଟେସନ ଉପରେ ଆଉ ୟୁଟର୍ଣ୍ଣ ମାରି ହେବନି

ସୂଚନାଯୋଗ୍ୟ, ନିୟମ ଅନୁସାରେ ଭାରତର ପୂର୍ବତନ ଉପରାଷ୍ଟ୍ରପତିଙ୍କୁ ପଦ ଛାଡ଼ିବା ପରେ ଦିଲ୍ଲୀରେ ଟାଇପ-୮ ସରକାରୀ ବଙ୍ଗଳା ଆବଣ୍ଟିତ କରାଯିବାର ପ୍ରାବଧାନ ରହିଛି। ସରକାରୀ ବାସଭବନ ଆବଣ୍ଟନ ଓ ଏହାର ମରାମତି କିମ୍ବା ପ୍ରସ୍ତୁତି ପ୍ରକ୍ରିୟା ପୂରା ହେବା ପର୍ଯ୍ୟନ୍ତ ପୂର୍ବତନ ପଦାଧିକାରୀଙ୍କ ପାଇଁ ଅସ୍ଥାୟୀ ବ୍ୟବସ୍ଥା କରାଯାଏ।

ଧନଖଡ଼ ୨୦୨୨ ଅଗଷ୍ଟ ୧୧ରୁ ୨୦୨୫ ଜୁଲାଇ ୨୧ ପର୍ଯ୍ୟନ୍ତ ରପରାଷ୍ଟ୍ରପତି ପଦରେ କାର୍ଯ୍ୟରତ ଥିଲେ। ଏହା ପରେ ସେ ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ନିଜ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କର ଅଚାନକ ଇସ୍ତଫାକୁ ନେଇ ବିବାଦ ଏବଂ ରାଜନୀତି ଖୁବ ହୋଇଥିଲା। ତେବେ ଆଶା କରାଯାଉଥିଲା, ଶୀଘ୍ର ତାଙ୍କୁ ସରକାରୀ ବାସଭବନ ମିଳିବ। ହେଲେ ଏ ପର୍ଯ୍ୟନ୍ତ ତାହା ମିଳିନାହିଁ।