ମୋହନା ୨୯।୧୧ : ବାପା, ମାଆଙ୍କ ଆଖି ଆଗରୁ ଝିଅକୁ ଉଠାଇ ନେଇଥିଲେ ୬ ଜଣ ଯୁବକ । ରାସ୍ତା ମଝିରେ ବାଇକ ଅଟକାଇ ବଳପୂର୍ବକ ଯୁବତୀଙ୍କୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ନେଇ ଗଜପତି ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ଏବେ ମିଳିଛି ଆଶ୍ୱସ୍ତିକର ଖବର । ଅପହୃତ ଯୁବତୀଙ୍କୁ ଉଦ୍ଧାର କରିଛି ରା.ଉଦୟଗିରି ପୋଲିସ । ଏଥିସହ ଅପହରଣରେ ବ୍ୟବହୃତ ବୋଲେରୋ ଗାଡ଼ିକୁ ଜବତ କରିବା ସହ ଦୁଇ ଜଣ ଯୁବକଙ୍କୁ ଅଟକ ରଖିଛି । ଏହି ଅପହରଣ ପଛରେ ଆଉ କେଉଁମାନଙ୍କର ହାତ ରହିଛି, ଘଟଣାର ପ୍ରକୃତ କାରଣ କ'ଣ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

ଖବର ଅନୁଯାୟୀ, ଗତ ଶୁକ୍ରବାର ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ମହାଲିମ୍ବ ଗାଁର ତାରିଣୀ ଦଳାଇ ନିଜ ପତ୍ନୀ ଓ ଝିଅଙ୍କ ସହ ଗୋଟିଏ ବାଇକ୍ରେ ଗଜପତି ଜିଲ୍ଲା ରାମଗିରି ଅଞ୍ଚଳର ଅଞ୍ଚମା ଗାଁକୁ ଆସିଥିଲେ । କାମ ସାରି ସନ୍ଧ୍ୟା ସମୟରେ ତିନି ଜଣ ଗୋଟିଏ ବାଇକରେ ନିଜ ଗାଁକୁ ଫେରୁଥିଲେ । ଫେରିବା ବାଟରେ ରାସ୍ତାରେ ହଠାତ୍ ୬ ଜଣ ଯୁବକ ସେମାନଙ୍କ ବାଇକକୁ ଅଟକାଇଥିଲେ । ଏହାପରେ ବାପା ଓ ମାଆଙ୍କ ଆଖି ଆଗରେ ସେମାନଙ୍କ ଝିଅକୁ ଜୋରଜବରଦସ୍ତ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା । ହଠାତ୍ ଘଟିଥିବା ଏହି ଘଟଣାରେ ଭୟଭୀତ ହୋଇପଡ଼ିଥିଲେ ପରିବାର ଲୋକେ । ପରେ ଏନେଇ ଥାନାରେ ଅଭିଯୋଗ କରିଥିଲେ ଯୁବତୀଙ୍କ ପରିବାର ।

Also Read:-ଓଡ଼ିଶାର ରାଜନୀତିରେ ବଡ଼ ପରିବର୍ତ୍ତନ ! ଲୋକସଭା ୩୧, ବିଧାନସଭା ଆସନ ୨୨୦କୁ ବୃଦ୍ଧି ସମ୍ଭାବନା

ଅଭିଯୋଗକୁ ଗୁରୁତର ସହ ନେଇ ରା.ଉଦୟଗିରି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଯୁବତୀଙ୍କୁ ଖୋଜିବା ସହ ଅପହରଣରେ ସମ୍ପୃକ୍ତ ଥିବା ସନ୍ଦିଗ୍ଧଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଥିଲା । ତଦନ୍ତ ପରେ ଶିଆଳିଲଟି ମୂଷାଦଳି ନିକଟରୁ ଯୁବତୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏଥିସହ ଅପହରଣରେ ବ୍ୟବହୃତ ବୋଲେରୋ ଗାଡ଼ିକୁ ମଧ୍ୟ ଜବତ କରିଛି ପୋଲିସ ।

ଘଟଣାରେ ଦୁଇ ଜଣ ଯୁବକଙ୍କୁ ଅଟକ ରଖାଯାଇଛି । ତେବେ ଅପହରଣରେ ଅଭିଯୁକ୍ତଙ୍କ ସଂଖ୍ୟା ୬ ଥିବା ଅଭିଯୋଗ ହୋଇଥିବାରୁ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ମଧ୍ୟ ତଦନ୍ତ ଚାଲିଛି । ଅପହରଣର କାରଣ, ଏହା ପଛରେ ଥିବା ଉଦ୍ଦେଶ୍ୟ ଏବଂ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ପୋଲିସ ତଥ୍ୟ ସଂଗ୍ରହ କରୁଛି । ତେବେ ଯୁବତୀଙ୍କୁ ଉଦ୍ଧାର କରାଯିବା ପରେ ପରିବାର ଲୋକଙ୍କୁ ଆଶ୍ୱସ୍ତି ମିଳିଛି । ତଦନ୍ତ ପରେ ଘଟଣାର ପୂରା ସତ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।