ଚେନ୍ନାଇ:  ସୀମା ପୁନଃ ନିର୍ଦ୍ଧାରଣ ବିଧେୟକ ଉପରେ କେନ୍ଦ୍ର ସରକାରଙ୍କୁ ସମର୍ଥନ ନ ଦେବା ପାଇଁ ଏମକେ ଷ୍ଟାଲିନଙ୍କୁ ମନାଇବା ପାଇଁ ପୂରା ଶକ୍ତି ଖଟାଇ ଦେଇଛି ବିରୋଧୀ ଇଣ୍ଡି ମେଣ୍ଟ। ତେଣୁ ରାହୁଲ ଗାନ୍ଧୀ, ଖଡ଼ଗେ, ସୋନିଆଙ୍କ ସମେତ ମମତା ଓ ଇଣ୍ଡି ମେଣ୍ଟର ବଡ଼ ବଡ଼ ନେତା ଚେନ୍ନାଇ ବାହାରିଛନ୍ତି। ରାହୁଲ ତାମିଲନାଡୁର ହିତ ଏବଂ ଦେଶର ହିତ ପାଇଁ ଏହି ସାମ୍ବିଧାନିକ ସଂଶୋଧନ ବିଧେୟକକୁ ବିରୋଧ କରିବାକୁ ଷ୍ଟାଲିନଙ୍କୁ ଅପିଲ୍ କରିଛନ୍ତି। ଏହା ଉପରେ ଷ୍ଟାଲିନଙ୍କ ଜବାବ ମଧ୍ୟ ଆସି ଯାଇଛି। ଷ୍ଟାଲିନଙ୍କ ଜବାବ ବିରୋଧୀ ମେଣ୍ଟ ପାଇଁ ବଡ଼ ଝଟକା ସଦୃଶ ହୋଇଛି।

ଷ୍ଟାଲିନ ସ୍ପଷ୍ଟ ଶବ୍ଦରେ କହିଛନ୍ତି, ରାଜ୍ୟଗୁଡ଼ିକର ଅଧିକାର ଏବଂ ତାମିଲନାଡ଼ୁର ହିତରେ ଡିଏମକେ କୌଣସି ସାଲିସ କରିବ ନାହିଁ। ସେ ଏକ୍ସରେ ପୋଷ୍ଟରେ ଲେଖିଛନ୍ତି, ସମ୍ବିଧାନ ଓ ରାଜ୍ୟଗୁଡ଼ିକର ଅଧିକାରର ରକ୍ଷାରେ ଡିଏମକେର ଐତିହାସିକ ଭୂମିକାକୁ ସ୍ଵୀକାର କରିଥିବାରୁ  ରାହୁଲ ଗାନ୍ଧୀଙ୍କ ଧନ୍ୟବାଦ।  ଡିଏମକେ ସର୍ବଦା ତାମିଲନାଡୁ ଓ ତାମିଲ ଲୋକଙ୍କ ହିତକୁ ସବୁଠୁ ଉପରେ ରଖି ନିଷ୍ପତ୍ତି ନେଇଛି। ଏହି ପ୍ରସଙ୍ଗରେ ଆମେ କୌଣସି ପ୍ରକାରର ସାଲିସ କରିନୁ।

ସେ ଐତିହାସିକ ପ୍ରତୀକର ବ୍ୟବହାର କରି ଲେଖିଛନ୍ତି, ତାଙ୍କୁ ପୂରା ବିଶ୍ଵାସ ଯେ, ଇତିହାସ ତାଙ୍କୁ ‘ଏଟ୍ଟାପ୍ପନ’ ଅର୍ଥାତ ଗଦ୍ଦାର ଭାବେ ନୁହେଁ ବରଂ ‘କଟ୍ଟାବୋମ୍ମନ’ ଅର୍ଥାତ ବୀର ରୂପେ ମନେ ରଖିବ। ଏହି ପ୍ରସଙ୍ଗରେ ଆମେ ଆଉ ୟୁ-ଟର୍ଣ୍ଣ ମାରି ପାରିବୁନି। ଷ୍ଟାଲିନଙ୍କ ଏହି ବୟାନ ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ ଡିଏମକେର କଡ଼ା ଆଭିମୁଖ୍ୟ ବିରୋଧୀ ଇଣ୍ଡି ମେଣ୍ଟର ମୁସ୍କିଲରେ ପକାଇ ଦେଇଛି। ଏହି ପ୍ରସଙ୍ଗରେ ସମସ୍ତ ବିରୋଧୀ ଦଳକୁ ଗୋଟିଏ ମଞ୍ଚରେ ଆଣିବା କଂଗ୍ରେସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।

ବହୁତ ବିଳମ୍ବ ହୋଇ ସାରିଛି

ଡିଏମକେର ଆଇଟି ସେଲ୍ ପକ୍ଷରୁ କୁହାଯାଇଛି ଯେ, ଜାହାଜ ଏବେ ଯାତ୍ରା କରି ସାରିଛି। ଚେନ୍ନାଇରେ ଆପଣଙ୍କ ସ୍ଵାଗତ ସାର। ଆମେ ଆପଣଙ୍କଠୁ ବହୁତ କିଛି ଆଶା ଥିଲା ଏବଂ ଆମେ ଆପଣଙ୍କୁ ସମର୍ଥନ ଦେବାକୁ ପୂରା ଉଦ୍ୟମ କରିଛୁ।ଯେବେ ଆମର ନେତା ଆପଣଙ୍କୁ ଛୋଟ ଭାଇ କହିଥିଲେ, ଆପଣ ଆମ ସମସ୍ତଙ୍କର ଭାଇ ହୋଇ ଯାଇଥିଲେ। ଆମର ନେତା ତାମିଲନାଡ଼ୁ ପାଇଁ ସେହି ନିଷ୍ପତ୍ତି ନେବେ, ଯାହା ରାଜ୍ୟର ହିତରେ ସବୁଠୁ ଉପରେ ରହିବ। ଏବେ ବହୁତ ବିଳମ୍ବ ହୋଇ ସାରିଛି ଏବଂ ଜାହାଜ ଯାତ୍ରା ଆରମ୍ଭ କରି ସାରିଛି।

କ'ଣ ଅପିଲ୍ କରିଥିଲେ ରାହୁଲ

ରାହୁଲ ଏକ୍ସରେ ପୋଷ୍ଟ କରି ଷ୍ଟାଲିନଙ୍କୁ ଭେଟିବାର ଉଦ୍ଦେଶ୍ୟ ବିଷୟରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ଇଣ୍ଡି ମେଣ୍ଟର ବରିଷ୍ଠ ନେତାଙ୍କ ସହ ସେ ଷ୍ଟାଲିନଙ୍କୁ ଭେଟିବାକୁ ଚେନ୍ନାଇ ଯାଉଛନ୍ତି। ଏହି ସମୟରେ ସେ ଷ୍ଟାଲିନ ଓ ଡିଏମକେକୁ ସୀମା ପୁନଃ ନିର୍ଦ୍ଧାରଣ ସମ୍ବନ୍ଧିତ ସମ୍ବିଧାନ ସଂଶୋଧନ ବିଧେୟକର ବିରୋଧ କରିବାକୁ ଅନୁରୋଧ କରିବୁ।

Also Read: ‘ବ୍ଲାଙ୍କ ଚେକ୍ ଚାହୁଁଛନ୍ତି ମୋଦୀ’: Delimitation Billକୁ ନେଇ ଏଭଳି କହିଲେ ରାହୁଲ ଗାନ୍ଧୀ

ଏହା ସହ ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ, ଲୋକସଭାର ସିଟ୍ ସଂଖ୍ୟା ବୃଦ୍ଧି କରାଯାଇ ୮୫୦ କରାଗଲେ ଗଣତନ୍ତ୍ର ସମାପ୍ତ ହୋଇଯିବ। ଏଥିରେ ବିଜେପି ଓ ଆରଏସଏସକୁ ଦେଶର ପୂରା ନିର୍ବାଚନୀ ମାନଚ୍ଚିତ୍ରକୁ ନିଜ ରାଜନୈତିକ ଫାଇଦା ହିସାବରେ ପୁନର୍ବାର ପ୍ରସ୍ତୁତ କରିବାର ସୁଯୋଗ ମିଳିଯିବ।

 

ରାହୁଲ ନିଜର ପୋଷ୍ଟରେ ଷ୍ଟାଲିନଙ୍କ ରାଜନୈତିକ ଭୂମିକାର ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଷ୍ଟାଲିନ ସର୍ବଦା ତାମିଲ ବିରୋଧୀ ଶକ୍ତି ବିରୋଧରେ ମଜବୁତର ସହ ଛିଡ଼ା ହୋଇଛନ୍ତି। ରାଷ୍ଟ୍ରୀୟ ହିତ, ତାମିଲନାଡୁର ହିତ ଓ ସମ୍ବିଧାନର ରକ୍ଷା ପାଇଁ ଏହି ବିଧେୟକକୁ ହରାଇବାରେ ବିରୋଧୀଙ୍କ ସମର୍ଥନ ଦେବାକୁ ରାହୁଲ ଏମକେ ଷ୍ଟାଲିନଙ୍କୁ ଅପିଲ୍ କରିଛନ୍ତି।

Also Read: ଓଡ଼ିଶାର ରାଜନୀତିରେ ବଡ଼ ପରିବର୍ତ୍ତନ ! ଲୋକସଭା ୩୧, ବିଧାନସଭା ଆସନ ୨୨୦କୁ ବୃଦ୍ଧି ସମ୍ଭାବନା

ସୂଚନାଯୋଗ୍ୟ, ଏହି ବିଧେୟକକୁ ରୋକିବା ପାଇଁ ନିଜର ପୂରା ଶକ୍ତି ଖଟାଇ ଦେଇଛି ଇଣ୍ଡି ମେଣ୍ଟ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ଇଣ୍ଡି ମେଣ୍ଟ ଶେଷ ଗୋଟି ଚଲାଇଛି। ଏସବୁ ନେତା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମେତ ବିରୋଧୀର ସମସ୍ତ ବଡ଼ ବଡ଼ ନେତା ରବିବାର ଚେନ୍ନାଇ ଅଭିମୁଖେ ଯାତ୍ରା କରୁଛନ୍ତି। ଇଣ୍ଡି ମେଣ୍ଟର ଗୋଟିଏ ଲକ୍ଷ୍ୟ ଡିଏମକେ ପ୍ରମୁଖ ଏମକେ ଷ୍ଟାଲିନଙ୍କୁ ଏହି ବିଧେୟକକୁ ସମର୍ଥନ ନ କରିବା ପାଇଁ ମନାଇବା।