ନୂଆଦିଲ୍ଲୀ ୨୯।୧୧; ମୃତ୍ୟୁ ଏମିତି ବି ଆସେ! ଭୋଟ ଦେଇ ନିଜ ଗାଁର ଭବିଷ୍ୟତ ଗଢ଼ିବାକୁ ବାହାରିଥିଲେ, ହେଲେ ରାସ୍ତାରେ ଛକି ବସିଥିଲା ଯମ। ଆନ୍ଧ୍ରପ୍ରଦେଶରେ ଘଟିଛି ଦୁଇ ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁଇଟି ଦୁର୍ଘଟଣାରେ ଚାଲିଯାଇଛି ୮ ଜଣଙ୍କ ଜୀବନ। ଅନେକ ଲୋକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଗୋଟିଏ ଦୁର୍ଘଟଣାରେ ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାକୁ ନିଜ ଗାଁକୁ ଫେରୁଥିବା ଲୋକଙ୍କ ଖୁସି ମୁହୂର୍ତ୍ତ ଶୋକରେ ପରିଣତ ହୋଇଛି।

ପ୍ରଥମ ଦୁର୍ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାର ଟାଙ୍ଗୁଟୁର ଟୋଲ୍ ଗେଟ୍ ନିକଟରେ। ଟୋଲ୍ ଗେଟ୍ ପାଖରେ ଏକ କାର ଥିବାବେଳେ ଦ୍ରୁତଗତିରେ ଆସୁଥିବା ଏକ ଲରି କାରକୁ ଧକ୍କା ଦେଇଥିଲା। ଏହି ଭୟଙ୍କର ଧକ୍କାରେ କାରରେ ଥିବା ଚାରି ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ସବୁଠାରୁ ଦୁଃଖଦ କଥା ହେଉଛି, ମୃତକମାନେ କର୍ଣ୍ଣାଟକରୁ ନିଜ ଜନ୍ମଭୂମିକୁ ପଞ୍ଚାୟତ ନିର୍ବାଚନରେ ଭୋଟ ଦେବା ପାଇଁ ଫେରୁଥିଲେ। ହେଲେ ଭୋଟ ଦେବା ପୂର୍ବରୁ ରାସ୍ତାରେ ହିଁ ଲିଭିଗଲା ଜୀବନ ଦୀପ।

ସେହିପରି ଦ୍ୱିତୀୟ ଦୁର୍ଘଟଣା ଘଟିଛି ଅନନ୍ତପୁର ଜିଲ୍ଲାର ୟାଡିକି ମଣ୍ଡଳ ଅନ୍ତର୍ଗତ ରାୟଲାଚେରୁଭୁ ନିକଟରେ। ଏଠାରେ ମଧ୍ୟ ଏକ ଲରି ଅନ୍ୟ ଏକ ଗାଡ଼ିକୁ ଧକ୍କା ଦେଇଥିଲା। ଫଳରେ ଚାରି ଜଣଙ୍କ ଜୀବନ ଯାଇଥିବା ବେଳେ ଆଠ ଜଣ ଗୁରୁତର ଆହତ ହୋଇଛନ୍ତି। ଗାଡ଼ିଟି ହାଇଦ୍ରାବାଦରୁ ତାଡିପଟ୍ଟି ଅଭିମୁଖେ ଯାଉଥିବା ଜଣାପଡ଼ିଛି। କେବଳ ଆନ୍ଧ୍ରପ୍ରଦେଶ ନୁହେଁ, ମହାରାଷ୍ଟ୍ରର ପୁଣେରେ ମଧ୍ୟ ସମାନ ଧରଣର ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା। ୟେୱାଲେୱାଡି ଅଞ୍ଚଳର ଟ୍ରିନିଟି କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ରିସର୍ଚ୍ଚ ବାହାରେ ବସ୍କୁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀଙ୍କ ଉପରେ ମାଡ଼ିଯାଇଥିଲା ଏକ ଟ୍ରକ୍। ଟ୍ରକ୍ଟି ବୋପଦେବ ଘାଟରୁ ତଳକୁ ଓହ୍ଲାଉଥିବା ବେଳେ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ। ପ୍ରଥମେ ଏକ ଗାଡ଼ିକୁ ଧକ୍କା ଦେବା ପରେ ଟ୍ରକ ବସ ଷ୍ଟପରେ ଅପେକ୍ଷା କରିଥିବା ଛାତ୍ରଛାତ୍ରୀଙ୍କୁ ଚାପି ଦେଇଥିଲା।