କଟକ: କଟକର ଗଣେଶଘାଟ ନିକଟରେ ଗୋଷ୍ଠୀ ସଂଘର୍ଷ ଓ ଜଣଙ୍କୁ ହତ୍ୟା ଘଟଣାରେ କମିଶନରେଟ୍ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ଏହି ଘଟଣାରେ ମୋଟ ୧୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ରହିଛି। ଅନ୍ୟପଟେ ଏହି ଘଟଣାରେ ଆହୁରି ୭ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କୁ ଧରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ନିୟୋଜିତ ହୋଇଛି।

ସୂଚନଥାଉକି, ଗତକାଲି ସନ୍ଧ୍ୟାରେ କଟକ ଗଣେଶଘାଟ ନିକଟସ୍ଥ ଦୁଇଟି ସାହିର ଦୁଇ ଗୋଷ୍ଠୀ ମଧ୍ୟରେ କୌଣସି କାରଣକୁ ନେଇ ଭୟଙ୍କର ସଂଘର୍ଷ ଘଟିଥିଲା। ଏହି ସଂଘର୍ଷ ସମୟରେ ସାମଲ ସାହିର ମୁରବୀ ଅମରେନ୍ଦ୍ର ସାମଲଙ୍କୁ କିଛି ଯୁବକ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଆକ୍ରମଣରେ ଅମରେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା।

କେବଳ ସେତିକି ନୁହେଁ, ଅଭିଯୁକ୍ତମାନେ ଆଉ ଜଣେ ଯୁବକଙ୍କୁ ରାସ୍ତା ଉପରେ ଲାଠି ଓ ଲୁହା ରଡ୍‌ରେ ନିର୍ମମ ଭାବେ ଆକ୍ରମଣ କରିଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଥିବା ବେଳେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ଏହି ସଂଘର୍ଷରେ ଆଉ ୪ ଜଣ ମଧ୍ୟ ଆହତ ହୋଇଛନ୍ତି। ଘଟଣା ପରେ କମିଶନରେଟ୍ ପୋଲିସ ପକ୍ଷରୁ ଗତକାଲି ରାତିରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୨୧ ଜଣଙ୍କୁ ଅଟକ ରଖାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୯ ଜଣଙ୍କୁ ଗିରଫ ଦର୍ଶାଇ କୋର୍ଟ ଚାଲାଣ କରାଯାଇଛି।

Also Read: ମହାଭାରତ ନାଟକ ବେଳେ ଛୁରାମାଡ଼, ଦୁଇ ଯୁବକ ଗୁରୁତର

ଡିସିପିଙ୍କ ସୂଚନା ଅନୁସାରେ, ଏହି ହତ୍ୟା ଓ ଗୋଷ୍ଠୀ ସଂଘର୍ଷ ଘଟଣାରେ ଆହୁରି ୭ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଗିରଫ କରିବା ପାଇଁ ଏକାଧିକ ପୋଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି। ଆଗକୁ ଏହି ଘଟଣାରେ ଗିରଫଦାରୀ ସଂଖ୍ୟା ଆହୁରି ବଢ଼ିବା ସମ୍ଭାବନା ରହିଛି।