ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ସୀମା ବାଣିଜ୍ୟ ପୁଣିଥରେ ଆରମ୍ଭ ହେବାକୁ ଯାଉଛି। ଏଥି ପାଇଁ ଚୀନ୍ ପକ୍ଷରୁ ସକରାତ୍ମକ ବାର୍ତ୍ତା ଆସିଛି। ଭାରତରେ ଚୀନ୍ ଦୂତାବାସ ମୁଖପାତ୍ର ୟୁ ଜିଙ୍ଗ ଏ ନେଇ ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ସିକ୍କିମର ନାଥୁ ଲା ପାସ୍ ରାସ୍ତାରେ ଭାରତ-ଚୀନ୍ ସୀମା ବାଣିଜ୍ୟର ୨୦୨୬ ସିଜିନ ନଭେମ୍ବର ୩୦ରେ ସମାପ୍ତ ହେଉଥିବା କହିଛନ୍ତି। ସେ ଏହାକୁ ୬ ବର୍ଷର ବ୍ୟବଧାନ ପରେ ବାଣିଜ୍ୟ ମାର୍ଗର ଐତିହାସିକ ପ୍ରତ୍ୟାବର୍ତ୍ତନ ବୋଲି କହିଛନ୍ତି। ୟୁ ଜିଂ ତାଙ୍କ ପୋଷ୍ଟରେ କହିଛନ୍ତି ଯେ ଅଗଷ୍ଟରେ ଦ୍ୱିତୀୟବାର ବାଣିଜ୍ୟ ଆରମ୍ଭ ହେବା ପରେ ଏହି ଐତିହାସିକ ମାର୍ଗ ସ୍ଥାନୀୟ ବ୍ୟବସାୟୀଙ୍କ ଲାଗି ନୂଆ ଅବସର ସୃଷ୍ଟି କରିଛି।

ଏହା ଦ୍ୱାରା ଆଞ୍ଚଳିକ ଯୋଗାଯୋଗ, ଜୀବିକା, ସାଂସ୍କୃତିକ ଆଦାନପ୍ରଦାନ ଓ ଲୋକଙ୍କ ମଧ୍ୟରେ ସମ୍ପର୍କକୁ ପ୍ରୋତ୍ସାହନ ମିଳିଛି। ସେ ଏହାକୁ ସୀମାର ଉଭୟ ପାର୍ଶ୍ୱକୁ ଆର୍ଥିକ ସମ୍ବଦ୍ଧ ଓ ମିଳିତ ସମୃଦ୍ଧି ଦିଗରେ ଏକ ସକରାତ୍ମକ ପଦକ୍ଷେପ ବୋଲି କହିଛନ୍ତି। ନାଥୁ ଲା ରାସ୍ତାରେ ଭାରତ-ଚୀନ୍ ସୀମା ବାଣିଜ୍ୟ ୨୦୨୦ରେ କୋଭିଡ-୧୯ ଓ ଦୁଇ ଦେଶଙ୍କ ମଧ୍ୟରେ ସୀମା ଉତ୍ତେଜନା ଯୋଗୁ ବନ୍ଦ ହୋଇଯାଇଥିଲା। ଦୀର୍ଘ ୬ ବର୍ଷ ପରେ ଅଗଷ୍ଟ ୧ ତାରିଖରେ ଏହି ମାର୍ଗରେ ପୁଣି ବ୍ୟବସାୟ ଆରମ୍ଭ ହୋଇଥିଲା।

ସିକ୍କିମ ସରକାରଙ୍କ ଅନୁସାରେ ଦ୍ୱୀପାକ୍ଷୀକ ବାଣିଜ୍ୟ ଆରମ୍ଭରେ ଆୟୋଜିତ ଉତ୍ସବକୁ ଉଭୟ ଭାରତ ଓ ଚୀନ୍ ଅଧିକାରୀ ମିଳିତ ଆୟୋଜନ କରିଥିଲେ ଓ ଏଥି ପାଇଁ ସ୍ଥାନୀୟ ବ୍ୟବସାୟୀଙ୍କ ନିମନ୍ତେ ବ୍ୟବସାୟ ପାସ୍ ମଧ୍ୟ ଜାରି ହୋଇଥିଲା। ନାଥୁ ଲା ବାଣିଜ୍ୟିକ ମାର୍ଗ ସିକ୍କିମର ସେରାଥଙ୍ଗ ଟ୍ରେଡ ମାର୍ଟକୁ ଚୀନ୍ ର ତୀବ୍ବତ ସ୍ୱାୟତ୍ତକ୍ଷେତ୍ରର ରେନକିଙ୍ଗଗାଙ୍ଗ ଟ୍ରେମାର୍ଟ ସହ ଯୋଡିଥାଏ। ଏହି ମାର୍ଗ ପୁଣି ଖୋଲିବାରୁ ଖାସ କରି ସୀମାବର୍ତ୍ତି ଅଞ୍ଚଳର କ୍ଷୁଦ୍ର ବ୍ୟବସାୟୀ ଓ ସ୍ଥାନୀୟ ଲୋକଙ୍କୁ ଲାଭ ମିଳିବ ବୋଲି ଆଶା କରାଯାଉଛି। ସିକ୍କିମ ସରକାର ମଧ୍ୟ କହିଛନ୍ତି ଯେ ଏହି ବାଣିଜ୍ୟ ଯୋଗୁ ସ୍ଥାନୀୟ ଉଦ୍ୟମୀ, ପରିବହନ ଓ ଅନ୍ୟ ବ୍ୟବସାୟ ପାଇଁ ଅବସର ସୃଷ୍ଟି ହୋଇପାରେ।