ଦେବଗଡ଼: ଦେବଗଡ଼ ଜିଲ୍ଲାରେ ଶନିବାର ଦୁଇଟି ପୃଥକ ହତ୍ୟାକାଣ୍ଡ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଦେବଗଡ଼ ଆଦର୍ଶ ଥାନା ଅଞ୍ଚଳରେ ଜଣେ ମଦ୍ୟପ ସ୍ୱାମୀ ନିଜ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଥିବା ବେଳେ ରିଆମାଳ ଥାନା ଅଞ୍ଚଳରେ ସମ୍ପର୍କୀୟ ଭାଇର ପଥର ଆକ୍ରମଣରେ ବଡ଼ ଭାଇର ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ଦେବଗଡ଼ ଆଦର୍ଶ ଥାନା ଅନ୍ତର୍ଗତ ୯ ନମ୍ବର ୱାର୍ଡ ନୂଆସାହି ଅଞ୍ଚଳରେ, ପଶ୍ଚିମବଙ୍ଗ ମୁର୍ସିଦାବାଦ ଅଞ୍ଚଳର ରାହୁଲ ଶେଖ ଦେବଗଡ଼ରେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। ସେ ସ୍ଥାନୀୟ ଅଞ୍ଚଳର ହେମଲତା ଭୋଇଙ୍କୁ ପ୍ରେମ ବିବାହ କରି ନୂଆସାହିରେ ଏକ ସରକାରୀ ଜାଗାରେ କୁଡ଼ିଆ କରି ରହୁଥିଲେ।

ଶନିବାର ରାହୁଲ କାମ ସାରି ମଦ୍ୟପାନ କରି ଘରକୁ ଫେରିବା ପରେ ସ୍ତ୍ରୀ ହେମଲତାଙ୍କୁ ଘରେ ପାଇନଥିଲେ। ହେମଲତା ନିକଟସ୍ଥ ପଡ଼ୋଶୀ ଘରକୁ ଯାଇଥିବା ଜାଣି ରାହୁଲ ସେଠାରେ ପହଞ୍ଚି ପାଟିତୁଣ୍ଡ କରିବା ସହ ତାଙ୍କୁ ନିର୍ଧୂମ ପିଟିଥିଲେ। ମାଡ଼ରେ ହେମଲତା ଅଚେତ ହୋଇପଡ଼ିଥିଲେ। ଖବର ପାଇ ଦେବଗଡ଼ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ, ଉତ୍ତ୍ୟକ୍ତ ସ୍ଥାନୀୟ ବାସିନ୍ଦାଙ୍କ ମାଡ଼ରେ ଅଭିଯୁକ୍ତ ରାହୁଲ ମଧ୍ୟ ଆହତ ହୋଇଛନ୍ତି। ପୋଲିସ ତାଙ୍କୁ ହେପାଜତକୁ ନେଇ ଡାକ୍ତରଖାନାରେ ଚିକିତ୍ସା କରାଉଛି।

ଅନ୍ୟଏକ ଘଟଣାକ୍ରମେ ରିଆମାଳ ଥାନା ଅନ୍ତର୍ଗତ ନିଷ୍ଠୁରଦୁମା ଗ୍ରାମରେ ଘଟିଛି ଏକ ହତ୍ୟାକାଣ୍ଡ। ମୃତକ ସେହି ଗ୍ରାମର ବୈଶାଖୁ ମାଝୀ ବୋଲି ଜଣାପଡ଼ିଛି। ବୈଶାଖୁ ଓ ଅଭିଯୁକ୍ତ ମୋହନ ମାଝୀ ସମ୍ପର୍କରେ ବଡ଼ବାପା ଓ କକା ପୁଅ ଭାଇ।

Also Read: ଟଙ୍କା ଲୁଟ୍‌ର ମିଥ୍ୟା କାହାଣୀ ରଚିଥିଲା ମଦ ଦୋକାନୀ କର୍ମଚାରୀ, ପର୍ଦ୍ଦାଫାସ କଲା ପୋଲିସ

ସୂଚନା ଅନୁଯାୟୀ, ଗତ ଗୁରୁବାର ସନ୍ଧ୍ୟାରେ ସାମାନ୍ୟ କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ବୈଶାଖୁ ଚୁଲିରୁ ନିଆଁ ଆଣି ସାନ ଭାଇ ମୋହନଙ୍କ ପିଠି ପୋଡ଼ି ଦେଇଥିଲେ ଏବଂ ପରେ ଏକ ଟାଙ୍ଗିଆ ଧରି ତାଙ୍କୁ ହାଣିବାକୁ ଗୋଡ଼ାଇଥିଲେ। ନିଜର ଆତ୍ମରକ୍ଷା ପାଇଁ ମୋହନ ପାଖରେ ପଡ଼ିଥିବା ଏକ ପଥର ଫୋପାଡ଼ିବାରୁ ତାହା ବୈଶାଖୁଙ୍କ ମୁଣ୍ଡରେ ବାଜିଥିଲା।

ଗୁରୁତର ଅବସ୍ଥାରେ ପରିବାର ଲୋକେ ବୈଶାଖୁଙ୍କୁ ପ୍ରଥମେ ଦେବଗଡ଼ ଓ ପରେ ବୁର୍ଲା ବଡ଼ ଡାକ୍ତରଖାନାକୁ ନେଇଥିଲେ। ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ଶନିବାର ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଥିବା ବେଳେ ଅଧା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଛି। ରିଆମାଳ ପୋଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଥିବା ବେଳେ ପିଠି ପୋଡ଼ିଯାଇଥିବା ଅଭିଯୁକ୍ତ ମୋହନଙ୍କୁ ପୋଲିସ ହେପାଜତରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।