ଭୁବନେଶ୍ୱର: ୨୦୧୬ରେ ରାଜଧାନୀରେ ମଟନ କେଜି ଥିଲା ୫୦୦ ଟଙ୍କା । ନୂଆବର୍ଷ, ଛାଡ଼ଖାଇ, ରଜରେ ଯାହାକୁ ଯେତେ । ହେଲେ ଏବେ ଦର ଦ୍ୱିଗୁଣ ହୋଇଗଲାଣି । ଖାସି ମାଂସ କିଲୋ ୯୦୦ରୁ ୯୫୦ ଛୁଇଁଲାଣି । ମଟନ୍ କିଣିବା ଜଣେ ମଧ୍ୟବିତ୍ତ ଲୋକ ପକ୍ଷେ ସମ୍ଭବ ହୋଇପାରୁନି । ଏପରିକି ପକେଟକୁ ବି ବାଧିଲାଣି । ଗତ ଛାଡ଼ଖାଇରେ ଏହାର ଚିତ୍ର ଦେଖିବାକୁ ମିଳିଥିଲା । ଲୋକେ ମଟନରୁ ମୁହଁ ଫେରାଇ ମାଛକୁ ଡେଇଁଥିଲେ ।

ଏବେ ଭୁବନେଶ୍ୱରରେ ମଟନର ଚାହିଦା ବଢ଼ୁଛି, ଖାଇବା ଲୋକଙ୍କ ସଂଖ୍ୟା ବି ବୃଦ୍ଧି ପାଉଛି । ମାତ୍ର ଯେତିକି ଦରକାର ସେତିକି ମିଳୁନି । ଫଳରେ ବାହାରୁ ଆସୁଛି, ଦାମ୍ ବି ବଢ଼ୁଛି । ଏବେ ମଟନ ଖାଇବା ପାଇଁ ଆଗୁଆ ଟଙ୍କା ରଖିବାକୁ ପଡ଼ିବ । ଦର ଯେଉଁଭଳି ଭାବରେ ବଢ଼ିଚାଲିଛି, କିଛିବର୍ଷ ମଧ୍ୟରେ ମଟନ୍ ଖାଇବା ସାଧାରଣ ଲୋକ ପକ୍ଷେ ଅସମ୍ଭବ ହୋଇପଡ଼ିବ ।

ବ୍ୟବସାୟୀଙ୍କ କହିବା କଥା, ବର୍ଷକୁ ବର୍ଷ ଦର ବଢ଼ିବାରେ ଲାଗିଛି । ଗତ ନୂଆବର୍ଷ ଓ ହୋଲି ବେଳେ ମଟନ୍ କେଜି ପ୍ରତି ୭୫୦ରୁ ୮୦୦ ଟଙ୍କା ଥିଲା । କିଛିମାସ ମଧ୍ୟରେ ଦର ୧୫୦ ଟଙ୍କା ବଢ଼ିଯାଇଛି । ବର୍ତ୍ତମାନ ଭୁବନେଶ୍ୱରକୁ ସପ୍ତାହକୁ ୪୦ଟି ଗାଡ଼ି ଆସୁଛି । ସେଥିରେ ୬୦୦ କୁଇଣ୍ଟାଲ ମଟନ୍ ଥାଏ । ସେଥିରୁ ୮୦ ପ୍ରତିଶତ ଆସୁଛି କୋଲକାତାରୁ । ବର୍ତ୍ତମାନ କୋଲକାତାରେ ମଟନ୍ କିଲୋ ୧୦୦୦ ଟପିସାରିଛି । କିଲୋ ୧୨୦୦ ଟଙ୍କା । ବାକି ମୟୂରଭଞ୍ଜ, ଜସିପୁର, ନୟାଗଡ଼ରୁ ଅଣାଯାଉଛି ।

ତେବେ ଗାଡି ଭଡ଼ା, କର୍ମଚାରୀଙ୍କ ମଜୁରୀକୁ ଦେଖିଲେ, ଦର ବଢ଼ିବା ସ୍ୱାଭାବିକ । ଗୋଟିଏ କେଜି ମଟନରେ ୫୦ ଟଙ୍କା ଲାଭ ମିଳୁଛି । ରାଜଧାନୀରେ ଯେଉଁଭଳି ହୋଟେଲ, ରେସ୍ତୋରାଂ ଖୋଲୁଛି ଆବଶ୍ୟକ ଅନୁସାରେ, ୮୦୦ କୁଇଣ୍ଟାଲ ମଟନ୍ ଦରକାର । ସେଦୃଷ୍ଟିରୁ ୨୦୦ କୁଇଣ୍ଟାଲ ମଟନ୍ କମ୍ ପଡ଼ୁଛି । ଚଳିତବର୍ଷ କୋଲକାତାରେ ହୋଇଥିବା ସାଧାରଣ ନିର୍ବାଚନ ପରେ ଓଡ଼ିଶାକୁ ମଟନ୍ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା । ସେହି ସମୟରୁ ଦର ବଢ଼ିବଢ଼ି ଚାଲିଛି । ଦର ବଢ଼ୁଥିବାରୁ ଗ୍ରାହକମାନେ ମୁହଁ ଫେରାଇଲେଣି।

ତେବେ ଏହାର ସମାଧାନ ପାଇଁ ସରକାରଙ୍କୁ ତତ୍ପର ହେବାକୁ ପଡ଼ିବ । ଅଲ୍ ଓଡ଼ିଶା ନନ୍ ଭେଜ୍ ଟ୍ରେଡର୍ସ ଆସୋସିଏସନର ସଭାପତି ଶେଖ ମୁନ୍ତାକିମ୍ ବକ୍ସ କହିଛନ୍ତି, ପୂର୍ବରୁ ବେପାରୀମାନେ ରେଗୁଲେଟେଡ୍ ମାର୍କେଟ କମିଟିରୁ ଛେଳି ଆଣୁଥିଲେ। ହେଲେ ଏବେ ଧୀରେ ଧୀରେ ବନ୍ଦ ହେଲାଣି । ସେହିପରି ଫାର୍ମିଂ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉ । ଛେଳି ଚାଷକୁ ଅଧିକରୁ ଅଧିକ ପ୍ରୋତ୍ସାହନ ମିଳୁ । ଯେପରିକି ବ୍ୟବସାୟୀଙ୍କୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିବନି ।

ରାଜ୍ୟବାସୀ ବର୍ଷକୁ ୧ଲକ୍ଷ ୨୨ ହଜାର ୩୬୦ ମେଟ୍ରିକ ଟନ ମଟନ ଖାଉଥିବା ବେଳେ ରାଜ୍ୟରେ ମୋଟ ୬୩ ଲକ୍ଷ ୯୪ ହଜାର ଛେଳି ପାଳନ କରାଯାଉଛି । ତେବେ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଛେଳି ଆମଦାନୀ ହେଉନଥିବା ମନ୍ତ୍ରୀ ଗୃହରେ ସ୍ପଷ୍ଟ କରିଛନ୍ତି ।