ଭୁବନେଶ୍ୱର ୦୮।୧୧ : ଆଜି ଆଲୋକର ପର୍ବ ପବିତ୍ର ଦୀପାବଳି । ହସଖୁସିରେ ପର୍ବ ପାଳନ କରନ୍ତୁ, ହେଲେ ଭୁଲନ୍ତୁ ନାହିଁ ସାମାଜିକ ଦାୟିତ୍ୱବୋଧ । ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ କେବଳ ସବୁଜ ବାଣ ଫୁଟାଇବାକୁ ରାଜ୍ୟବାସୀଙ୍କୁ ଅପିଲ୍ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ସନ୍ଧ୍ୟା ୭ଟାରୁ ରାତି ୯ଟା ମଧ୍ୟରେ ଖୋଲା ସ୍ଥାନରେ ସବୁଜ ବାଣ ଫୁଟାଇବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନର ଚେତାବନୀ ମଧ୍ୟ ଦେଇଛନ୍ତି ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଦୀପାବଳିରେ କେବଳ ଦୀପ ଜାଳି ପର୍ବ ପାଳନ କରିବା ସହ ପରିବେଶର ସୁରକ୍ଷାକୁ ପ୍ରାଥମିକତା ଦିଅନ୍ତୁ । ବାଣ ଫୁଟାଇବା ସମୟରେ ସାଧାରଣ ଲୋକ, ବୟସ୍କ ବ୍ୟକ୍ତି ଓ ଅନ୍ୟମାନଙ୍କ ଯେପରି କୌଣସି ସମସ୍ୟା ନହୁଏ, ସେଥିପ୍ରତି ସମସ୍ତେ ଦୃଷ୍ଟି ଦିଅନ୍ତୁ । କାରଣ ପ୍ରଦୂଷଣ ଆମ ଭବିଷ୍ୟତ ପାଇଁ ଆଦୌ ଶୁଭଙ୍କର ନୁହେଁ ।  ସେହିପରି ଆଜି ସନ୍ଧ୍ୟା ୭ଟାରୁ ରାତି ୯ଟା ଯାଏଁ କେବଳ ସବୁଜ ବାଣ ଫୁଟାଇବାକୁ ଅନୁରୋଧ କରିଛନ୍ତି । ତାହା ପୁଣି ଖୋଲା ସ୍ଥାନରେ ଏବଂ ଛୋଟ ଧରଣର ସବୁଜ ବାଣ ଫୁଟାଇବାକୁ ପରାମର୍ଶ ଦେଇଛନ୍ତି । ଜନଗହଳିପୂର୍ଣ୍ଣ ଅଞ୍ଚଳ ଓ ବସ୍ତିରେ ବାଣ ନଫୁଟାଇବାକୁ ମଧ୍ୟ କହିଛନ୍ତି ।

Also Read:-ଦୀପାବଳିରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, ପ୍ରଦୂଷଣମୁକ୍ତ ଦୀପାବଳି ପାଳନ ପାଇଁ ଆହ୍ୱାନ

ଅନ୍ୟପଟେ, ଏହି ନିୟମ ପାଳନ ନକଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି । ଏନେଇ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ପ୍ରଶାସନ ସହ ଆଲୋଚନା ହୋଇଥିବା ସେ କହିଛନ୍ତି । ତେଣୁ ସମସ୍ତେ ନିୟମ ମାନିବା ସହ ସୁରକ୍ଷିତ ଓ ପ୍ରଦୂଷଣମୁକ୍ତ ଦୀପାବଳି ପାଳନ କରିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।