ନୂଆଦିଲ୍ଲୀ: ଦେଶରେ ଲାଗୁ ହୋଇଛି ନୂଆ ଇନ୍ଧନ ନିୟମ। ଏହ ଅନୁଯାୟୀ ଏଣିକି ଦେଶର ସବୁ ପଟ୍ରୋଲ ପମ୍ପରେ ସର୍ବନିମ୍ନ ୯୫ RON ଅକ୍ଟେନ ରେଟିଂ ଥିବା ଇ୨୦ ଇନ୍ଧନ ବିକ୍ରି ବାଧ୍ୟତାମୂଳକ ହୋଇଛି। ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଲାଗୁ ହୋଇଥିବା ଏହି ନିୟମର ଉଦ୍ଦେଶ୍ୟ ହେଉଛି, ସ୍ବଚ୍ଛ ପରିବହନ, ଅଶୋଧିତ ତେଲ ଉପରେ ନିର୍ଭରତା କମାଇବା ଏବଂ ଶକ୍ତି ସୁରକ୍ଷାକୁ ମଜଭୁତ କରିବା।

ଦେଶରେ ୯୫ RON E20 ଇନ୍ଧନ ନିୟମ ଲାଗୁ

ଏହା ପୂର୍ବରୁ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଦେଶର ବିଭିନ୍ନ ତେଲ କମ୍ପାନିଙ୍କୁ ଏନେଇ ଫେବ୍ରୁଆରୀ ୧୭ରେ ଏନେଇ ଏକ ବିଜ୍ଞପ୍ତି ଜାରି କରିଥିଲା। ଯେଉଁଥିରେ, ଏପ୍ରିଲ ୧ରୁ ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶାଇ ବିକ୍ରି କରିବାକୁ ତେଲ କମ୍ପାନିଙ୍କୁ ବିକ୍ରି କରିବାକୁ କୁହାଯାଇଥିଲା। ଖାଲି ସେତିକି ନୁହେଁ ଏହା ସହ ଭାରତୀୟ ମାନକ ବ୍ୟୁରୋ (ବିଆଇଏସ)ର ନିର୍ଦ୍ଦେଶ ପାଳନ କରିବାକୁ ହେବ। ଯେମିତି ଦେଶରେ ଇ୨୦ ତେଲର ଗୁଣବତ୍ତା ଗୋଟିଏ ପ୍ରକାର ରହିବ। ଅବଶ୍ୟ କେନ୍ଦ୍ର ସରକାର ଆବଶ୍ୟକତାସ୍ଥଳେ କିମ୍ବା ଅତି ଜରୁରୀ ପରିସ୍ଥିତିରେ କିଛି କ୍ଷେତ୍ର ପାଇଁ ଗୁଣବତ୍ତାରେ କୋହଳ ଅନୁମତି ଦେଇଛନ୍ତି।

Also Read: ଯୁଦ୍ଧ ଯୋଗୁ ବଢ଼ିବ ଘର ଖର୍ଚ୍ଚ, ତେଲ ଲୁଣ ଠାରୁ ଆରମ୍ଭ କରି ପାଣି ବୋତଲ ପର୍ଯ୍ୟନ୍ତ ହେବ ମହଙ୍ଗା

କ’ଣ ଏହି ୯୫ RONର E20 ତେଲ ?

ପ୍ରକୃତରେ ଇ୨୦ର ମାନକ ବା ଗୁଣବତ୍ତା ହେଉଛି ୯୫ RON ଅକ୍ଟେନ। ୯୫ RONର ମାନକ ଏଥିପାଇଁ ଗୁରୁତ୍ବପୂର୍ଣ୍ଣ, କାରଣ ଏହା ଇଞ୍ଜିନର ନକିଂ ପ୍ରତି ପ୍ରତିରୋଧକ କ୍ଷମତାକୁ ବଢ଼ାଇଥାଏ। ଅର୍ଥାତ ଇଞ୍ଜିନରେ ତେଲ ଠିକ୍ ଭାବରେ ଜଳିଥାଏ ଏବଂ ଅଯଥାରେ ତେଲ ନଷ୍ଟ ହୋଇନଥାଏ। ଆଉ ଗାଡ଼ିର ମାଇଲେଜ ମଧ୍ୟ ବଢ଼ିଥାଏ। ଭାରତରେ ପେଟ୍ରୋଲର ଅକ୍ଟେନ ରେଟିଂ ସାଧାରଣତଃ ୯୧ରୁ ୯୨ ଆରଓଏନ ପାଖାପାଖି ରହିଥାଏ। ଯେତେବେଳେକି ଇଥାନଲର ଅକ୍ଟେନ ରେଟିଂ ସ୍ବାଭାବିକ ଭାବରେ ପ୍ରାୟ ୧୦୮ ଆରଓଏନ ରହିଥାଏ।

ଉଚ୍ଚ ଅକ୍ଟେନ ଇନ୍ଧନର ଉଦ୍ଦେଶ୍ୟ ?

ତେବେ ୨୦ ପ୍ରତିଶତ ଇଥାନଲ ମିଶାଇବା ଦ୍ବାରା ଅକ୍ଟେନ ସ୍ତରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥାଏ। ତେଲ ଉଦ୍ୟୋଗର ଅନୁମାନ ଅନୁସାରେ, ଏହି ବୃଦ୍ଧି ପ୍ରାୟ ୬ ଆରଓଏନ ପର୍ଯ୍ୟନ୍ତ ରହିଥାଏ। ଏହାଦ୍ବାରା ଇ୨୦ ପେଟ୍ରୋଲର ଅକ୍ଟେନ ସ୍ତର ପ୍ରାୟ ୯୭ରୁ ୯୮ ପର୍ଯ୍ୟନ୍ତ ପହଞ୍ଚିଯାଏ। ଏହି ଉଚ୍ଚ ଅକ୍ଟେନ ଯୋଗୁ ଇଞ୍ଜିନ ଠିକ ଭାବରେ କାର୍ଯ୍ୟ କରିଥାଏ। ଇଞ୍ଜିନରେ ତେଲର ଦହନକୁ ମଧ୍ୟ ସ୍ଥିର ରହିଥାଏ।

Also Read: ଟ୍ରମ୍ପଙ୍କ ବୟାନ ପରେ ଭୁଶୁଡିଲା ବଜାର : ସେୟାର ମାର୍କେଟ୍ କ୍ରାଶ୍, ବଢିଲା ଅଶୋଦ୍ଧିତ ତେଲ ରେଟ୍

ଚାଷୀଙ୍କ ଆୟ ବୃଦ୍ଧି ହେବ

ସେହିଭଳି ଏହି ତେଲ ଦ୍ବାରା ଗାଡ଼ିର ପରଫରମାନ୍ସରେ ସୁଧାର ବ୍ୟତୀତ ଏହି ପଦକ୍ଷେପର ଆଉ ଏକ ବଡ଼ ଉଦ୍ଦେଶ୍ୟ ମଧ୍ୟ ରହିଛି। ଏହାଦ୍ବାରା ଆମଦାନୀ ହେଉଥିବା ଅଶୋଧିତ ତେଲ ଉପରେ ନିର୍ଭରତା କମ୍ କରିବା, କାର୍ବନ ନିର୍ଗମନ କମ୍ କରିବା ଏବଂ ଦୀର୍ଘକାଳୀ ଶକ୍ତି ସୁରକ୍ଷାକୁ ମଜଭୁତ କରିବା।

ଆହୁରି ମଧ୍ୟ ଇଥାନଲ ପ୍ରସ୍ତୁତ କରିବାକୁ ଆଖୁ, ମକା ଏବଂ ଅନ୍ୟ ଶସ୍ୟ ଭଳି ଫସଲର ଆବଶ୍ୟକତା ହୋଇଥାଏ। ତେଣୁ ଏହାଦ୍ବାରା କୃଷି କଞ୍ଚାମାଲର ଚାହିଦା ବଢ଼ିବା ସହ ଚାଷୀଙ୍କ ଆୟରେ ବୃଦ୍ଧି ହେବା ନେଇ ମଧ୍ୟ ଅନୁମାନ ରହିଛି।