ମୁମ୍ବାଇ, ୦୨/୦୪ : ଟ୍ରମ୍ପଙ୍କ ସମ୍ବୋଧନ ପରେ ସେୟାର ବଜାରରେ ହାହାକାର । ବଢିଲା ଅଶୋଦ୍ଧିତ ତୈଳ ଦର । ଭାରତୀୟ ସେୟାର ମାର୍କେଟ୍ କରିଗଲା କ୍ରାସ୍ । ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଦେଶବାସୀଙ୍କୁ ସମ୍ବୋଧନ କରିବା ପରେ ଏହାର ନକରାତ୍ମକ ପ୍ରଭାବ ସାରା ବିଶ୍ୱରେ ପଡିଛି । ଭାରତ ସମେତ ବିଭିନ୍ନ ଦେଶର ସେୟାର ମାର୍କେଟ୍ ଖସିଥିବା ବେଳେ ଅଶୋଦ୍ଧିତ ତୈଳ ଦାମ୍ ବଢିଯାଇଛି ।

ସେୟାର ବଜାର କ୍ରାସ୍

ଟ୍ରମ୍ପଙ୍କ ସମ୍ବୋଧନର ସିଧାସଳଖ ପ୍ରଭାବ ଭାରତୀୟ ବଜାର ଉପରେ ପଡିଛି । ଗୁରୁବାର ସେୟାର ବଜାର ଖୋଲୁ ଖୋଲୁ ପ୍ରାୟ ୧୫୦୦ ପଏଣ୍ଟ ତଳକୁ ଖସି ଆସିଛି । ଗୁରୁବାର ଏହା ୧୫୫୭ ପଏଣ୍ଟ ତଳକୁ ଖସି ୭୧୫୭୬.୩୫ ଅଙ୍କକୁ ଚାଲି ଆସିଛି । ଅର୍ଥାତ ପୂର୍ବଦିନ ଅପେକ୍ଷା ବିଏସଇ ସେନସେକ୍ସ ୨.୧୩ ପ୍ରତିଶତ ହ୍ରାସ ପାଇଛି । ଏତତ୍ ବ୍ୟତୀତ ନିଫ୍ଟି ମଧ୍ୟ ୪୯୫ ପଏଣ୍ଟ ତଳକୁ ଖସିଛି । ଏହା ୨.୧୯ ପ୍ରତିଶତ ଖସି ୨୨୧୮୫.୬୦ ସ୍ତରକୁ ଆସିଯାଇଛି ।

Also Read :-Iran War : ଇରାନରେ ସରକାର ବନାମ ସେନା : ବଢୁଛି IRGCର ଦବଦବା, ଶାସନ କଳକୁ କଲାଣି କବଜା

ବଢିଲା ତେଲଦର

ଟ୍ରମ୍ପଙ୍କ ବୟାନ ପରେ ଅଶୋଦ୍ଧିତ ତୈଳ ଦର ହୁହୁ ହୋଇ ବଢିଛି । ବ୍ରେଣ୍ଟ୍ କ୍ରୁଡ୍ ଅଏଲ ୫ ପ୍ରତିଶତ ବୃଦ୍ଧି ପାଇ ବ୍ୟାରେଲ ପିଛା ୧୦ ଡଲରା ଅତିକ୍ରମ କରିଛି । ଯାହା ଅନେକ ଦେଶରେ ଶକ୍ତି ସଙ୍କଟ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି ।

କ'ଣ କହିଛନ୍ତି ଟ୍ରମ୍ପ୍

ଟ୍ରମ୍ପ୍ କହିଛନ୍ତି ଯେ, ଇରାନର ସମସ୍ତ ଟପ୍ ନେତାଙ୍କୁ ନିପାତ କରାଯାଇଛି । ମାସେ ହେଲା ଇରାନ ସହ ଯୁଦ୍ଧ ଜାରି ରହିଛି । ଇରାନର ପରମାଣୁ ପ୍ରକଳ୍ପକୁ କେବେ ହେଲେ ସଫଳ କରାଇଦିଆଯିବ ନାହିଁ । ଇରାନ କେବେହେଲେ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ହୋଇପାରିବ ନାହିଁ । ଇସ୍ରାଏଲ ଏବଂ ଆମେରିକା ଏହି କାମରେ ଲାଗିଛନ୍ତି । ଆମେରିକାର ଯବାନ ମଧ୍ୟ ଏଥିରେ ପ୍ରାଣ ହରାଇଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଇରାନର ନୌସେନା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ବାୟୁସେନାକୁ ଆମେରିକା ଶକ୍ତିହୀନ କରିଦେଇଛି । ଆଇଆରଜିସିର ନେତୃତ୍ୱକୁ ୟୁଏସ ଏବଂ ଇସ୍ରାଏଲ ଅକାମୀ କରିଦେଇଛନ୍ତି । ଏହାସହ ସେ ଆମେରିକା ସୈନ୍ୟଙ୍କ ପ୍ରଶଂସା କରିଛନ୍ତି । ତାଙ୍କ କହିବାନୁସାରେ, ଭେନେଜୁଏଲାରେ ଆମେରିକା ସୈନ୍ୟ ନିଜର ଦମ୍ ଦେଖାଇଥିଲେ । ମାତ୍ର କିଛି ମିନିଟରେ ଏକ ବଡ ଅପରେସନକୁ ସେମାନେ ସଫଳ କରିଥିଲେ । ଯାହା ସାରା ବିଶ୍ୱରେ ଆମେରିକାକୁ ଅନେକ ସମ୍ମାନ ଦେଇଛି । ଏବେ ଆମେରିକା ଭେନେଜୁଏଲାର ବିଶାଳ ଗ୍ୟାସ୍ ଏବଂ ତୈଳକୁ ବିକ୍ରି କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରୁଛି । ମଧ୍ୟପ୍ରାଚ୍ୟରେ ମଧ୍ୟ ଶକ୍ତି କ୍ଷେତ୍ରରେ ଆମେରିକାକୁ ସ୍ୱାଧିନତା ମିଳିଛି । ଯାହା ସେ ସହଯୋଗୀ ଗଲଫ୍ ଦେଶଙ୍କ ସହ ମିଶି ଆଗକୁ ବଢାଇବେ ।