ପୁରୀ ୨୬।୧୦: ପୁଣ୍ୟର ମାସ କାର୍ତ୍ତିକ ଆରମ୍ଭ ହୋଇସାରିଥିବା ବେଳେ ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର। କାର୍ତ୍ତିକ ବ୍ରତ ପାଳନ ପାଇଁ ଏବେ ଶ୍ରୀକ୍ଷେତ୍ରରେ ଜମିଛି ହବିଷ୍ୟାଳୀଙ୍କ ପ୍ରବଳ ଭିଡ। ପୁରୀକୁ ଆସିଥିବା ହବିଷ୍ୟାଳୀ ମାନେ ଆଜି ସକାଳୁ ସଂକଳ୍ପ ନେବା ପରେ କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି। ପ୍ରାତଃ ସମୟରୁ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ସ୍ନାନ କରିବା ପରେ ହବିଷ୍ୟାଳୀ ମାନେ ଚଉଁରା ନିକଟରେ ରାଧାଦାମୋଦର ପୂଜା କରିଛନ୍ତି। ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରି ନିଜକୁ ଭାଗ୍ୟବାନ ମନେ କରିଛନ୍ତି।

ଚଳିତ ବର୍ଷ ସରକାରଙ୍କ ପକ୍ଷରୁ ହୋଇଥିବା ମୋଟ ତିନୋଟି ହବିଷ୍ୟାଳୀ ଶିବିରରେ ଦୁଇ ହଜାର ଚାରିଶହ ହବିଷ୍ୟାଳୀଙ୍କୁ ରଖିବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଜଗନ୍ନାଥ ଦର୍ଶନ ସହିତ ମହାପ୍ରସାଦ ସେବନ ଏବଂ ସୁବିଧାରେ ରହଣୀ ପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ତେବେ ଆଜିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଥିବା ବେଳେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇ ଭାବ ବିଭୋର ହୋଇଛନ୍ତି ବ୍ରତ ପାଳନ କରୁଥିବା ହବିଷ୍ୟାଳି ମାନେ।

ସରକାରଙ୍କ ପକ୍ଷରୁ ନରେନ୍ଦ୍ର କୋଣ ଠାରେ ଥିବା ବୃନ୍ଦାବତୀ ନିବାସ, ମୋଚି ସାହି କଲ୍ୟାଣ ମଣ୍ଡପ ଏବଂ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ଠାରେ ଦୁଇହଜାର ଚାରିଶହ ହବିଷ୍ୟାଳୀଙ୍କୁ ରଖାଯାଇଛି। ସେମାନଙ୍କ ପାଇଁ ମାଗଣାରେ ରହଣୀ, ପୂଜାପାଠ, ସ୍ବାସ୍ଥ୍ୟସେବା, ମହାପ୍ରସାଦ ସେବନ ସହିତ ଜଗନ୍ନାଥ ମନ୍ଦିର ଦର୍ଶନ ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ପୁରୀ ସହରରେ ଥିବା ଅନେକ ଧର୍ମଶାଳା ଓ ମଠ ବାଡ଼ି ରେ ମଧ୍ୟ ହବିଷ୍ୟାଳୀ ମାନେ ରହି ହବିଷ୍ୟ ବ୍ରତ ପାଳନ କରୁଛନ୍ତି। ସନ୍ଧ୍ୟା ସମୟରେ ଏହି ଶିବିର ରେ ପାଲା, ଦାସକାଠିଆ ସହିତ ବିଭିନ୍ନ ପ୍ରକାର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ତେବେ ଶ୍ରୀମନ୍ଦିରରେ କାର୍ତ୍ତିକ ମାସ ପାଇଁ ସମସ୍ତ ନୀତି କାନ୍ତି ଶୃଙ୍ଖଳିତ କରାଯିବା ସହ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଓ ସ୍ବତନ୍ତ୍ର ବାଳଭୋଗ ଅନୁଷ୍ଠିତ ହେଉଛି। ଭକ୍ତ ଓ ହବିଷ୍ୟାଳୀ ମାନଙ୍କ ଶୃଙ୍ଖଳିତ ଦର୍ଶନ ସହ ସୁରକ୍ଷା ପାଇଁ ପୁରୀ ଜିଲ୍ଲା ପ୍ରଶାସନ, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେହିପରି ଶ୍ରୀମନ୍ଦିରରେ ଆଜି କୁମାର ପୂର୍ଣ୍ଣିମା ପାଇଁ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହେଉଛି।

​​​​​​​

Also Read:- ବାତ୍ୟା ମୁକାବିଲା ପାଇଁ ଶକ୍ତି ବିଭାଗର ପ୍ରସ୍ତୁତି, କୋରାପୁଟରେ ଉପସ୍ଥିତ ରହିବେ ଉପମୁଖ୍ୟମନ୍ତ୍ରୀ

​​​​​​​ପରମ୍ପରା ଅନୁଯାୟୀ କୁମାର ପୂର୍ଣ୍ଣିମା ଅବସରରେ ପ୍ରଭୁ ମାଧବ ଓ ମହାଲକ୍ଷ୍ମୀ ଙ୍କ ଭିତରେ ଜୁଆ ଖେଳ ହୋଇଥାଏ। ସନ୍ଧ୍ୟା ଧୂପ ପରେ ଏହି ନୀତି ଅନୁଷ୍ଠିତ ହେବାକୁ ଥିବାବେଳେ ଏହି ଖେଳରେ ମହାପ୍ରଭୁ ହାରି ଯାଇଥାନ୍ତି। ଶେଷରେ ମହାଲକ୍ଷ୍ମୀ ଙ୍କ ନିକଟରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମାଧବ ଲକ୍ଷ୍ମୀଙ୍କ ମନ୍ଦିରରେ ସାତ ଦିନ ବନ୍ଧା ପଡ଼ିଥାନ୍ତି। ଅଷ୍ଟମୀ ତିଥିରେ ଅବକାଶ ପୂଜା ପରେ ମହାପ୍ରଭୁ ରତ୍ନ ସିଂହାସନରେ ପୁନର୍ବାର ବିଜେ କରିଥାନ୍ତି। ଏଥିସହ ଶ୍ରୀମନ୍ଦିର ରେ ଆଜି ମଧ୍ୟାହ୍ନ ଧୂପ ପରେ ଚକ୍ରରାଜ ସୁଦର୍ଶନ ଚାରି ଆଶ୍ରମ ବିଜେ କରିବାର ପରମ୍ପରା ରହିଛି।