ନୂଆଦିଲ୍ଲୀ: ଭାରତୀୟ ସୁନା ମାର୍କେଟରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଯାହା ଗ୍ରାହକ ଏବଂ ନିବେଶକଙ୍କୁ ଖୁବ୍ ଚକିତ କରିଛି। ଚଳିତ ବର୍ଷ ଆରମ୍ଭରେ ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଥିବା ସୁନା ମୂଲ୍ୟ ଏବେ ପ୍ରାୟ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି। ୨୦୨୬ ଜୁନ୍ ସୁଦ୍ଧା ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ସୁନା ଦରରେ ପ୍ରାୟ ୨୨%ରୁ ଅଧିକ ହ୍ରାସ ଦେଖିବାକୁ ମିଳିଛି। ସେହିଭଳି ଆନ୍ତର୍ଜାତୀୟ ବଜାରରେ ସୁନା ଦର ଲଗାତାର ୪ ସପ୍ତାହ ଧରି ହ୍ରାସ ପାଇ ୭ ମାସର ସର୍ବନିମ୍ନ ସ୍ତର ପାଖାପାଖି କାରବାର କରୁଛି।

କାହିଁକି ଲଗାତାର ଖସୁଛି ସୁନା ଦର?

ଅର୍ଥନୈତିକ ବିଶେଷଜ୍ଞ ଏବଂ MSN Money ରିପୋର୍ଟ ଅନୁସାରେ, ସୁନା ମୂଲ୍ୟ ହ୍ରାସ ପାଇବା ପଛରେ କେତେକ ପ୍ରମୁଖ ଆନ୍ତର୍ଜାତୀୟ ଏବଂ ଘରୋଇ କାରଣ ରହିଛି:

ଆମେରିକୀୟ ସେଣ୍ଟ୍ରାଲ ବ୍ୟାଙ୍କର କଡ଼ା ଆଭିମୁଖ୍ୟ: ଆମେରିକାର ଫେଡେରାଲ ରିଜର୍ଭ (US Federal Reserve) ପକ୍ଷରୁ ସୁଧ ହାର ବୃଦ୍ଧି କରାଯିବାର ସଙ୍କେତ ଏବଂ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ କଡ଼ା ଆଭିମୁଖ୍ୟ ଯୋଗୁ ସୁନା ଉପରେ ଚାପ ବଢ଼ିଛି।

ଡଲାର ସୁଦୃଢ଼ ହେବା: ବିଶ୍ୱ ବଜାରରେ ଡଲାର ସୂଚକାଙ୍କ (US Dollar) ମଜଭୁତ ହେବା କାରଣରୁ ସାଧାରଣତଃ ସୁନା ଦର ଶସ୍ତା ହୋଇଥାଏ। ଯାହାର ପ୍ରଭାବ ଏବେ ଦେଖିବାକୁ ମିଳୁଛି।

ସେୟାର ବଜାର ପ୍ରତି ଆକର୍ଷଣ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)ର ଚାହିଦା ଏବଂ ଇକ୍ୱିଟି ବଜାରରେ ଭଲ ରିଟର୍ଣ୍ଣ ମିଳୁଥିବାରୁ ନିବେଶକମାନେ ସୁନାରୁ ଟଙ୍କା ପ୍ରତ୍ୟାହାର କରି ସେୟାର ବଜାରରେ ବିନିଯୋଗ କରୁଛନ୍ତି।

Also Read: ଅଧିକ ମୂଲ୍ୟ ହ୍ରାସ ଆଶଙ୍କାରେ ଏବେ ଭାରତୀୟ ବିକୁଛନ୍ତି ପୁରୁଣା ସୁନା, କମିବ ଆମଦାନୀ ନିର୍ଭରତା

ଆଗକୁ ଆହୁରି କମିବ କି ଦର?

ରିସର୍ଚ୍ଚ ସଂସ୍ଥା ଅଗମଣ୍ଟ (Augmont)ର ଆନାଲିଷ୍ଟଙ୍କ ଅନୁଯାୟୀ, ବଜାରରେ ଏବେ ସୁନା ଦର ସାମାନ୍ୟ ଅସ୍ଥିର ରହିପାରେ। ଆଗାମୀ ଦିନରେ ଆମେରିକାର ଆର୍ଥିକ ନୀତି ଏବଂ ବିଶ୍ୱର ଭୂ-ରାଜନୈତିକ ସ୍ଥିତି ଉପରେ ସୁନାର ଗତିପଥ ନିର୍ଭର କରିବ। ଏହି ବଡ଼ ହ୍ରାସ ପରେ ମଧ୍ୟ ଭାରତୀୟ ବଜାରରେ ଆମଦାନୀ ଶୁଳ୍କ ଏବଂ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ବିଶ୍ୱ ବଜାର ତୁଳନାରେ ଘରୋଇ ସୁନା ଦର ସାମାନ୍ୟ ମଜଭୁତ ସ୍ଥିତିରେ ରହିଛି। ବିଶେଷଜ୍ଞମାନେ ଏହି ସମୟକୁ ଦୀର୍ଘକାଳୀନ ନିବେଶକ ଓ ସୁନା କ୍ରେତାଙ୍କ ପାଇଁ ଏକ ଭଲ ସୁଯୋଗ ବୋଲି ମଧ୍ୟ ବିବେଚନା କରୁଛନ୍ତି।

ରୁପା ଦରରେ ମଧ୍ୟ ବଡ଼ କ୍ରାସ୍

ସୁନା ସହିତ ରୁପା ମୂଲ୍ୟରେ ମଧ୍ୟ ବଡ଼ ଧରଣର ଚାପ ଦେଖିବାକୁ ମିଳିଛି। ଆନ୍ତର୍ଜାତୀୟ ସ୍ତରରେ ଏବଂ ଘରୋଇ ବଜାରରେ ରୁପା ଏହାର ସର୍ବୋଚ୍ଚ ସ୍ତରରୁ ଅନେକ ତଳକୁ ଖସିଆସିଛି। ଚଳିତ ମାସରେ ବି ପ୍ରାୟ ୧୮.୫% ରୁ ଅଧିକ ହ୍ରାସ ପାଇଛି ରୁପା।