ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶରେ ଫ୍ଲେକ୍ସ ଫୁଏଲକୁ ପ୍ରୋତ୍ସାହିତ କରିବା ପାଇଁ ପର୍ଯ୍ୟାୟକ୍ରମେ ଇ-୮୫ ଇନ୍ଧନ ବିତରଣ କେନ୍ଦ୍ର ସ୍ଥାପନା କରିବା ଆରମ୍ଭ କରିଛନ୍ତି। ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଗୁରୁବାର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର), ମୁମ୍ବାଇ, ପୁଣେ ଓ ନାଗପୁର ଭଳି ପ୍ରମୁଖ ସହରାଞ୍ଚଳମାନଙ୍କରେ ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୧୦୦ଟି ଇ-୮୫ ଫୁଏଲ ଡିସ୍ପେନସିଂ ଷ୍ଟେସନ ଖୋଲାଯିବ।

ଦିଲ୍ଲୀରେ ମାରୁତି ସୁଜୁକି ୱାଗନଆର ଫ୍ଲେକ୍ସ ଫୁଏଲ ମଡେଲର ଲଞ୍ଚ କାଳରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଇ-୮୫ ଏକ ଏପରି ଇନ୍ଧନ ବ୍ଲେଣ୍ଡ ଯେଉଁଥିରେ ୮୫ % ପର୍ଯ୍ୟନ୍ତ ଇଥନଲ ରହୁଛି। ଏହା ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍) ଦ୍ୱାରା ଫ୍ଲେକ୍ସ ଫୁଏଲ ବାହନ ଲାଗି ମାନକ ଇନ୍ଧନ ରୂପେ ମାନ୍ୟତା ପ୍ରାପ୍ତ। ସେ କହିଛନ୍ତି ଯେ ଇ-୮୫କୁ ଦେଶର ସବୁଠୁ ସ୍ୱଚ୍ଛ ଇନ୍ଧନ ବିକଳ୍ପ ମଧ୍ୟରେ ଗୋଟିଏ ମନେ କରାଯାଉଛି ଓ କେତେକ ମାମଲାରେ ଇଲେକ୍ଟ୍ରିକ୍ ବାହନଙ୍କ ତୁଳନାରେ ମଧ୍ୟ ଅଧିକ ପରିବେଶ ଅନୁକୂଳ ହୋଇପାରେ। ଏହା ଭାରତର ବିକଳ୍ପ ଇନ୍ଧନ ସ୍ରୋତ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

Also Read..Petrol Price Relief: ନୂଆ ରୂପରେ ଲଞ୍ଚ ହେଲା Hero Splendor+ ଓ Hero HF Deluxe: ଫ୍ଲେକ୍ସ ଫ୍ୟୁଲରେ ଚାଲିବ ବାଇକ, ବହୁତ ଶସ୍ତା ବି

ପୁରୀ କହିଛନ୍ତି ଯେ ଫ୍ଲେକ୍ସ ଫୁଏଲ ଇନଫ୍ରାଷ୍ଟ୍ରକ୍ଚରକୁ ଧିରେ ଧିରେ ସମ୍ପ୍ରସାରଣ କରାଯିବ। ଡିସେମ୍ବର ୨୦୨୬ ସୁଦ୍ଧା ଦେଶରେ ଫ୍ଲେକ୍ସ ଫୁଏଲ ଷ୍ଟେସନ ସଂଖ୍ୟା ୫୦୦ ପର୍ଯ୍ୟନ୍ତ ବଢିଯିବ ଓ ୨୦୨୭ ଶେଷ ବେଳକୁ ସାରା ଦେଶର ପ୍ରମୁଖ ସହରାଞ୍ଚଳମାନଙ୍କରେ ଏପରି ୫ ହଜାରଟି ଷ୍ଟେସନ ସ୍ଥାପନା କରିବାକୁ ଲକ୍ଷ୍ୟ ରଖା ଯାଇଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଭାରତରେ ମୋବିଲିଟି ସେକ୍ଟରର ଦ୍ରୁତ ବୃଦ୍ଧି ହେଉଛି। ଫ୍ଲେକ୍ସ ଫୁଏଲ ଟେକ୍ନୋଲଜି ଏବେ କେବଳ ଦୁଇ ଚକିଆ ଯାନ ମଧ୍ୟରେ ସୀମିତ ନାହିଁ, ୪ ଚକିଆ ବାହନରେ ବି ଏହାର ଉପଯୋଗ ଆରମ୍ଭ ହୋଇଗଲାଣି। ଏଣୁ ଦେଶରେ ଫ୍ଲେକ୍ସ ଫୁଏଲ ଇକୋ ସିଷ୍ଟମ ଦ୍ରୁତ ଅଭିବୃଦ୍ଧି ହାସଲ କରିବ।

ସେ କହିଛନ୍ତି ଯେ ନୂଆ ଦୁଇ ଓ ଚାରି ଚକିଆ ବାହନ ଯଦି ୫୦% ଫ୍ଲେକ୍ସ ଫୁଏଲ ଟେକ୍ନୋଲଜି ଆପଣେଇବେ ତେବେ ଏଥି ଲାଗି ୩୧୧.୮ କୋଟି ଲିଟର ଅତିରିକ୍ତ ଇଥନଲର ଚାହିଦା ବଢିବ। ଏହା ଦ୍ୱାରା ଚାଷୀଙ୍କ ଆୟ ପାଖାପାଖି ୧୨,୪୦୩ କୋଟି ଟଙ୍କାକୁ ବୃଦ୍ଧି ପାଇବ। ଏହି ତୈଳ ଉପଯୋଗ କରି ୬୬.୪ଲକ୍ଷ ମେଟ୍ରିକ ଟନ କାର୍ବନ ଉର୍ତ୍ସଜନ ହ୍ରାସ କରାଯାଇ ପାରିବ। ହରଦୀପ ସିଂହ ପୁରୀ କହିଛନ୍ତି ଯେ ଏହି ପଦକ୍ଷେପ ନା କେବଳ ଭାରତର ଇନ୍ଧନ ଆମଦାନୀ ବିଲ୍ ହ୍ରାସ କରିବ ବରଂ ଚାଷୀଙ୍କୁ ଆୟର ଏକ ସ୍ଥାୟୀ ଓ ନୂଆ ସ୍ରୋତ ପ୍ରଦାନ କରିବ।

ଏହା ଦ୍ୱାରା ଚାଷୀ କେବଳ ଆମର ଅନ୍ନଦାତା ନୁହେଁ ବରଂ ଇନ୍ଧନଦାତା ମଧ୍ୟ ହେବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରି କହିଛନ୍ତି ଯେ ଆଶା କରୁଛି ଆଗକୁ ଦେଶରେ ଅଧିକ ବାହନ ନିର୍ମାଣକାରୀ କମ୍ପାନୀ ଫ୍ଲେକ୍ସ ଫୁଏଲ ସେଗମେଣ୍ଟରେ ସାମିଲ ହେବେ। କାରଣ ଭାରତ ପରିବେଶ ଅନୁକୂଳ ପରିବହନ ଦିଗରେ ଦ୍ରୁତ ଆଗକୁ ବଢୁଛି।

Also Read..Flex-Fuel WagonR : ମାରୁତି ସୁଜୁକି ୱାଗନ-ଆର ଫ୍ଲେକ୍ସ-ଫୁଏଲ ଭର୍ସନ ଲଞ୍ଚ୍, କମ ହେବ ପେଟ୍ରୋଲ ଖର୍ଚ୍ଚ