ଦିନ ଥିଲା ଦାମୀ ପୋଷାକ ପିନ୍ଧିବାର ପରିଭାଷା କିଛି ଭିନ୍ନ ଥିଲା l ଛାତିରେ ବଡ ବ୍ରାଣ୍ଡର ନାଁ,ଜ୍ୟାକେଟ୍ରେ ବଡ଼ ଲୋଗୋ , ବ୍ୟାଗ୍ରେ ଚାରିଆଡ଼େ ଡିଜାଇନ୍ ଏବଂ ବେଲ୍ଟରେ ଚମକୁଥିବା ବ୍ରାଣ୍ଡର ଚିହ୍ନ ହିଁ ଦାମୀ ପୋଷାକର ପରିଚୟ ଥିଲା । Louis Vuitton, Gucci, Versace, Balenciaga ଭଳି ଲକ୍ଜୁରୀ ବ୍ରାଣ୍ଡର ନାଁ ଯେତେ ବଡ଼ ଦେଖାଯାଉଥିଲା, ସେତେ ଅଧିକ ଲୋକଙ୍କ ନଜର ଆକର୍ଷିତ ହେଉଥିଲା। ବଜାରକୁ ଗଲେ ପ୍ରଥମେ ବ୍ରାଣ୍ଡର ଲୋଗୋ ଉପରେକୁ ନଜର ଯାଉଥିଲା l କିନ୍ତୁ ଆଜି ଫ୍ୟାସନ ଦୁନିଆରେ ଏକ ଭିନ୍ନ ପରିବର୍ତ୍ତନ ଦେଖିବାକୁ ମିଳୁଛି l

ଅନେକ ଧନୀ ଓ ଉଚ୍ଚବର୍ଗର ଗ୍ରାହକ ବଡ଼ ବଡ଼ ଲୋଗୋ ଥିବା ପୋଷାକ ବଦଳରେ ସାଧାରଣ ଦେଖାଯାଉଥିବା, କିନ୍ତୁ ଅତ୍ୟନ୍ତ ଉଚ୍ଚମାନର ପୋଷାକକୁ ଅଧିକ ପସନ୍ଦ କରୁଛନ୍ତି। ସେମାନଙ୍କ ପୋଷାକରେ ହୁଏତ କୌଣସି ବଡ଼ ବ୍ରାଣ୍ଡର ନାଁ ନଥାଏ। ରଙ୍ଗ ମଧ୍ୟ ଖୁବ୍ ସାଧାରଣ ଧଳା, କଳା, ବେଜ୍, ଧୂସର କିମ୍ବା ହାଲୁକା ବାଦାମୀ। କିନ୍ତୁ ସେହି ପୋଷାକର ଦାମ୍ ହଜାର ହଜାର ନୁହେଁ, ବେଳେବେଳେ ଲକ୍ଷ ଲକ୍ଷ ଟଙ୍କା ହୋଇପାରେ। ଏହି ପରିବର୍ତ୍ତିତ ଫ୍ୟାଶନ୍ ଧାରାକୁ କୁହାଯାଉଛି Quiet Luxury ବା Stealth Wealth। ଯାହାର ଓଡ଼ିଆ ଅର୍ଥ ହେଉଛି ଚାକଚକ୍ୟ ବିହୀନ ଅତ୍ୟନ୍ତ ମୂଲ୍ୟବାନ ବା ଉଚ୍ଚକୋଟୀର ପୋଷାକ ପରିଧାନର ଶୈଳୀ l ଯାହା ଦେଖିବାକୁ ଅତ୍ୟନ୍ତ ଭଦ୍ର ସ୍ୱଭାବର ମାନେ ହୋଇଥାଏ l କିନ୍ତୁ ପ୍ରଶ୍ନ ହେଉଛି, ଯେଉଁ ଲୋକଙ୍କ ପାଖରେ ଟଙ୍କାର ଅଭାବ ନାହିଁ, ସେମାନେ ନିଜର ଦାମୀ ପୋଷାକର ବ୍ରାଣ୍ଡକୁ ଦୁନିଆ ଆଗରେ ଦେଖାଇବାକୁ କାହିଁକି ଚାହୁଁନାହାନ୍ତି? ଲୋକଙ୍କୁ ନିଜର ଧନୀ ହେବାର ପରିଚୟ ଦେବା ପାଇଁ ଆଉ ବଡ଼ ଲୋଗୋ ଆବଶ୍ୟକ ନାହିଁ କି? ଏହା ପଛରେ ରହିଛି ଫ୍ୟାଶନ୍, ମନୋବିଜ୍ଞାନ, ସାମାଜିକ ପ୍ରତିଷ୍ଠା ଏବଂ ଧନୀ ଲୋକଙ୍କ ଜୀବନଶୈଳୀ ସହ ଜଡ଼ିତ ଅନେକ ରୋଚକ କାରଣ।

ପୂର୍ବରୁ ଲୋକମାନେ କୌଣସି ପୋଷାକରେ ବଡ଼ ବ୍ରାଣ୍ଡର ନାଁ ଦେଖିଲେ ତାହାକୁ ଦାମୀ ଓ ଷ୍ଟାଟସ୍ର ପ୍ରତୀକ ବୋଲି ଭାବୁଥିଲେ। କିନ୍ତୁ ଆଜି ଲକ୍ଜୁରୀ ଫ୍ୟାଶନ୍ର ଏକ ବଡ଼ ଗ୍ରାହକ ବର୍ଗ ପୋଷାକର ବାହାରକୁ ଦେଖିବା ଅପେକ୍ଷା ତାହାର ଗୁଣବତ୍ତାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଉଦାହରଣ ସ୍ୱରୂପ, ଗୋଟିଏ ସାଧାରଣ ଦେଖାଯାଉଥିବା କ୍ୟାଶମିୟର୍ ସ୍ୱେଟର୍ର ଦାମ୍ ଅତ୍ୟଧିକ ହୋଇପାରେ। ଏହାର କାରଣ କେବଳ ବ୍ରାଣ୍ଡର ନାଁ ନୁହେଁ; ବରଂ କପଡ଼ାର ମାନ, ତିଆରି କରିବାର କୌଶଳ, ଫିନିସିଂ ଏବଂ ଦୀର୍ଘସ୍ଥାୟୀ ଗୁଣ। ଅର୍ଥାତ୍, ନୂଆ ଲକ୍ଜୁରୀ ଚିନ୍ତାଧାରା ଶିଖାଉଛି ପୋଷାକ କେତେ ଦାମୀ ତାହା ଅନ୍ୟମାନଙ୍କୁ ଦେଖାଇବା ଅପେକ୍ଷା ନିଜେ ତାହାର ଗୁଣବତ୍ତା ଅନୁଭବ କରିବା ଅଧିକ ଗୁରୁତ୍ୱପୂର୍ଣ ।

ସେଥି ପାଇଁତ ଏହି ପରିବର୍ତ୍ତନକୁ Quiet Luxury ବୋଲି କୁହାଯାଉଛି l ଯାହାର ଅର୍ଥ ହେଉଛି ନିଜର ଧନସମ୍ପତ୍ତିକୁ ଅତିରିକ୍ତ ଭାବରେ ପ୍ରଦର୍ଶନ ନକରି, ସରଳ ଓ ରୁଚିସମ୍ପନ୍ନ ଶୈଳୀରେ ଜୀବନଯାପନ କରିବା। ଏହି ଧାରାରେ ଜଣେ ବ୍ୟକ୍ତି ଏମିତି ପୋଷାକ ପିନ୍ଧନ୍ତି, ଯାହା ଦେଖି ସାଧାରଣ ଲୋକ ତାହାର ମୂଲ୍ୟ ଅନୁମାନ କରିପାରିବେ ନାହିଁ। କିନ୍ତୁ ଫ୍ୟାଶନ୍ ବିଷୟରେ ଭଲ ଜ୍ଞାନ ଥିବା ଲୋକ ତାହାର କପଡ଼ା, କଟିଂ, ଡିଜାଇନ୍ ଓ ତିଆରିର ମାନ ଦେଖି ବ୍ରାଣ୍ଡକୁ ଚିହ୍ନିପାରନ୍ତି। 

ତେବେ ଏଠାରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମନୋବୈଜ୍ଞାନିକ ଦିଗ ମଧ୍ୟ ଲୁଚି ରହିଛି । ଯେଉଁ ବ୍ୟକ୍ତି ନିଜର ସାମାଜିକ ପରିଚୟ ପ୍ରତିଷ୍ଠା କରିବା ପାଇଁ ସବୁବେଳେ ଅନ୍ୟମାନଙ୍କ ସ୍ୱୀକୃତି ଖୋଜନ୍ତି, ସେ ହୁଏତ ବଡ଼ ଲୋଗୋ ଥିବା ପୋଷାକ ପସନ୍ଦ କରିପାରନ୍ତି। ଅନ୍ୟପକ୍ଷରେ, ଯେଉଁ ଗ୍ରାହକଙ୍କ ପାଇଁ ନିଜର ରୁଚି, ସ୍ୱତନ୍ତ୍ରତା ଓ ନିର୍ଦ୍ଦିଷ୍ଟ ସାମାଜିକ ପରିଚୟ ଅଧିକ ମହତ୍ତ୍ୱ ରଖେ, ସେମାନେ ସୂକ୍ଷ୍ମ ଡିଜାଇନ୍କୁ ପସନ୍ଦ କରିପାରନ୍ତି। ତେଣୁ Quiet Luxury କେବଳ ପୋଷାକର ଫ୍ୟାଶନ୍ ନୁହେଁ, ଏହା ଏକ ଭିନ୍ନ ସାମାଜିକ ମାନସିକତାର ପ୍ରତିଫଳନ ମଧ୍ୟ।

ସବୁଠାରୁ ବଡ଼ କାରଣ ହେଉଛି, ଯଦି ଆପଣ ଫ୍ୟାଶନ୍ ବିଷୟରେ ଜାଣନ୍ତି, ତେବେ କୌଣସି ପୋଷାକର ବ୍ରାଣ୍ଡ କିମ୍ବା ଗୁଣବତ୍ତା ବୁଝିବା ପାଇଁ ତାହେଲେ ବଡ଼ ଲୋଗୋ ଦରକାର ନାହିଁ। ଧରନ୍ତୁ, ଦୁଇଜଣ ବ୍ୟକ୍ତି ଏକ ସମାନ ରଙ୍ଗର ସାଧାରଣ ଦେଖାଯାଉଥିବା ସ୍ୱେଟର୍ ପିନ୍ଧିଛନ୍ତି। ଜଣଙ୍କ ସ୍ୱେଟର୍ର ଦାମ୍ ୨,୦୦୦ ଟଙ୍କା ଏବଂ ଅନ୍ୟ ଜଣଙ୍କ ସ୍ୱେଟର୍ର ଦାମ୍ ୨ ଲକ୍ଷ ଟଙ୍କା ହୋଇପାରେ। ଦୂରରୁ ଦେଖିଲେ ଉଭୟ ପୋଷାକ ପ୍ରାୟ ସମାନ ଲାଗିପାରେ। କିନ୍ତୁ କପଡ଼ାର ଗୁଣ, ତିଆରିର ସୂକ୍ଷ୍ମତା ଏବଂ ଡିଜାଇନ୍ର ମାନ ବିଷୟରେ ଜ୍ଞାନ ଥିବା ବ୍ୟକ୍ତି ଏହି ପାର୍ଥକ୍ୟ ବୁଝିପାରନ୍ତି। ତେଣୁ ଏଠାରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ଅପେକ୍ଷା ନିଜ ରୁଚିକୁ ବୁଝୁଥିବା ଲୋକଙ୍କ ନଜରରେ ପରିଚିତ ହେବା ଅଧିକ ଗୁରୁତ୍ୱପୂର୍ଣ୍ଣ।

ପୂର୍ବରୁ ଯେତେବେଳେ କୌଣସି ବ୍ରାଣ୍ଡର ପୋଷାକ ବଜାରକୁ ଆସୁଥିଲା, ତାହାର ବଡ଼ ଲୋଗୋ ଦେଖି ଲୋକମାନେ ସହଜରେ ବ୍ରାଣ୍ଡକୁ ଚିହ୍ନିପାରୁଥିଲେ। କିନ୍ତୁ ଆଜି ବଜାରରେ ନକଲି ପୋଷାକ, ନକଲି ବ୍ୟାଗ୍ ଓ ନକଲି ବ୍ରାଣ୍ଡେଡ୍ ସାମଗ୍ରୀର ବ୍ୟାପକ ଉପଲବ୍ଧତା ଯୋଗୁଁ କେବଳ ଲୋଗୋ ଦେଖି କୌଣସି ଜିନିଷର ପ୍ରକୃତ ମୂଲ୍ୟ ବୁଝିବା କଷ୍ଟକର ହୋଇପଡ଼ିଛି।

also read- ଦୀପାବଳିରେ ଟିକିଏ ଅସାବଧାନତା, ଆଣିପାରେ ବଡ଼ ବିପଦ ; ଅଗ୍ନିକାଣ୍ଡରୁ ରୁହନ୍ତୁ ସାବଧାନ !

ଯେକୌଣସି ବ୍ୟକ୍ତି ବଡ଼ ଲୋଗୋ ଥିବା ଏକ ନକଲି ଜ୍ୟାକେଟ୍ କିମ୍ବା ବ୍ୟାଗ୍ କିଣି ପିନ୍ଧିପାରନ୍ତି। ତେଣୁ ବ୍ରାଣ୍ଡର ନାଁ ଦେଖାଇବା ମାତ୍ରକେ ଜଣେ ବ୍ୟକ୍ତିଙ୍କ ଆର୍ଥିକ ସାମର୍ଥ୍ୟ ବା ପୋଷାକର ପ୍ରକୃତ ଗୁଣବତ୍ତା ପ୍ରମାଣିତ ହୁଏ ନାହିଁ। ଏହି କାରଣରୁ କିଛି ଉଚ୍ଚବର୍ଗର ଗ୍ରାହକ ଏପରି ବ୍ରାଣ୍ଡ ଓ ଡିଜାଇନ୍ ବାଛୁଛନ୍ତି, ଯାହାର ପରିଚୟ ତାହାର କପଡ଼ା, କାରିଗରୀ ଓ ଡିଜାଇନ୍ରେ ଲୁଚି ରହିଥାଏ। ତେବେ ଏହା ମଧ୍ୟ ଏକ ବଜାର ରଣନୀତି। ଛୋଟ ଲୋଗୋ କିମ୍ବା ଲୋଗୋ ବିନା ଡିଜାଇନ୍ ମାଧ୍ୟମରେ ବ୍ରାଣ୍ଡ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିପାରେ। ତେବେ ବର୍ତ୍ତମାନ ସମୟରେ ଲୋଗ ପୋଷାକର ଗୁଣବତା ସ୍ଥିର କରେନି , ପୋଷାକର ବ୍ୟବହାରରୁ ହିଁ ଜଣା ପଡିଥାଏ ଅସଲି ଗୁଣବତା