ନୂଆଦିଲ୍ଲୀ: ଯଦି ରାସ୍ତାରେ ଯାଉଥିବା ବେଳେ ଆପଣଙ୍କ ଗାଡ଼ି ସାମ୍ନାରେ ହଠାତ୍ କେହି ଜଣେ ଆସିଯାଉଛନ୍ତି, ତେବେ ଅଟୋମେଟିକ ବ୍ରେକ୍ ଲାଗି ଗାଡ଼ି ଅଟକିଯିବ। ୨୦୩୦ ଅକ୍ଟୋବର ୧ ତାରିଖରୁ ଲଞ୍ଚ ହେବାକୁ ଥିବା ସମସ୍ତ କାରରେ ଏହି ଅଟୋମେଟିକ ଇମର୍ଜେନ୍ସି ବ୍ରେକିଂ ସିଷ୍ଟମ(AEBS) ମିଳିବ।

ଏହାର ଦୁଇ ବର୍ଷ ପରେ ଅର୍ଥାତ୍ ୧ ଅକ୍ଟୋବର ୨୦୩୨ ବେଳକୁ ବଜାରରେ ବିକ୍ରି ହେଉଥିବା ସମସ୍ତ ନୂଆ ଓ ପୁରୁଣା କାରଗୁଡ଼ିକରେ ଏହି ସିଷ୍ଟମ ଲାଗିବା ବାଧ୍ୟତାମୂଳକ କରାଯିବ। ସଡ଼କ ଦୁର୍ଘଟଣା ଓ ଗାଡ଼ିଗୁଡ଼ିକର ସୁରକ୍ଷା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ଏହି ସୁରକ୍ଷିତ ଫିଚର୍ସକୁ ବାଧ୍ୟାତାମୂଳକ କରିବାକୁ ପ୍ରସ୍ତାବ ଦେଇଛି।

ଏହା ବାଦ କମର୍ସିଆଲ୍ ଗାଡ଼ିଗୁଡ଼ିକରେ ଡ୍ରାଇଭିଂ ସ୍ଲିପ୍ ୱାର୍ଣ୍ଣିଂ ସିଷ୍ଟମକୁ ବି ଅନିର୍ବାର୍ଯ୍ୟ କରାଯିବ। ଫଳରେ ଗାଡ଼ି ଚଳାଉ ଥିବା ବେଳେ ଯଦି ଡ୍ରାଇଭରଙ୍କ ଆଖି ଲାଗିଯାଏ, କିମ୍ବା ସେମାନେ ଅନ୍ୟମନସ୍କ ହୁଅନ୍ତି ତେବେ ସେମାନଙ୍କୁ ଆଲର୍ଟ କରାଯାଇପାରିବ। ସରକାରଙ୍କର ଏହି ନୂଆ ନିୟମ AIS- 185 ଷ୍ଟାଣ୍ଡାର୍ଡ ଅନୁସାରେ ଲାଗୁ କରାଯିବ।

ଏବେ କେବଳ ମହଙ୍ଗା କାର୍ଗୁ଼ଡ଼ିକରେ ମିଳୁଛି ଏହି ଫିଚର୍ସ

ଅଟୋମେଟିକ ବ୍ରେକ ଲାଗିବାର ଏହି ସୁବିଧା ବର୍ତ୍ତମାନ କେବଳ ଆଡଭାନ୍ସ ଡ୍ରାଇଭିଂ ଆସିଷ୍ଟ ସିଷ୍ଟମ(ADAS)ଯୁକ୍ତ ମହଙ୍ଗା ଓ ପ୍ରିମିୟମ କାର୍ଗୁଡ଼ିକରେ ମିଳୁଛି। ହେଲେ ବାସ୍ତବ କଥା ହେଲା ଭାରତରେ ପ୍ରବଳ ଟ୍ରାଫିକ ଓ ଗାଡ଼ିଗୁଡ଼ିକ ମଧ୍ୟରେ କମ ଦୂରତା ଯୋଗୁ ଲୋକେ ନିଜ ଗାଡ଼ିରେ ଏହି ସିଷ୍ଟମକୁ ବନ୍ଦ କରିଦେଉଛନ୍ତି। କାରଣ ହଠାତ ବ୍ରେକ୍ ଲାଗିବା ଦ୍ୱାରା ପଛରୁ ଆସୁଥିବା ଗାଡ଼ି ଧକ୍କା ଦେଇପାରେ। ଏଥିପାଇଁ ଏହି ନୂଆ ନିୟମକୁ ଭାରତର ସଡ଼କ ଓ ଟ୍ରାଫିକ ମହୋଲ ହିସାବରେ ପ୍ରସ୍ତୁତ କରିବାକୁ ସରକାର ପ୍ରସ୍ତାବ ଦେଇଛନ୍ତି।

Also Read- ଡ୍ରାଇଭିଂ ଲାଇସେନ୍ସ ପାଇଁ ଟେଷ୍ଟରେ ରଖିବାକୁ ହେବ ୭୫% ମାର୍କ: ନୂଆ ଡ୍ରାଫ୍ଟ ଜାରି କଲେ ସରକାର

ଛୋଟ ଟ୍ରକ ଓ ମାଲ ପରିବହନ କରୁଥିବା ଟ୍ରକ୍ ପାଇଁ ବି ନୂଆ ନିୟମ

କେବଳ ପାସେଞ୍ଜର କାର ପାଇଁ ନୁହେଁ ବରଂ ଛୋଟ ଛୋଟ ମାଲ ପରିବାହୀ ଟ୍ରକ୍ ଗୁଡ଼ିକ ପାଇଁ ମଧ୍ୟ ନୂଆ ନିୟମ ଆଣିବାକୁ ଚାହୁଁଛନ୍ତି ସରକାର। ଯଦି କମ୍ପାନୀ ୧ ଅକ୍ଟୋବର ୨୦୨୮ ଠାରୁ କାର କିମ୍ବା ଛୋଟ ମାଲବାହୀ ଟ୍ରକରେ ଅଟୋମେଟିକ ବ୍ରେକିଂ ଫିଚର୍ସ ଦେବା ଆରମ୍ଭ କରୁଛନ୍ତି, ତେବେ ସେମାନଙ୍କୁ ଭାରତୀୟ ମାନକ ହିସାବରେ ବନାଇବାକୁ ପଡ଼ିବ।

ଡ୍ରାଇଭରଙ୍କୁ ନିଦ ଆସିଲେ ଗାଡ଼ିରେ ବାଜିବ ଆଲାର୍ମ

ସରକାରଙ୍କର ଏହି AIS-185 ନିୟମ କେବଳ ଅଟୋମେଟିକ ବ୍ରେକ ଲାଗିବାରେ ସୀମିତ ନାହିଁ, ବରଂ ଏଥିରେ ଆପଣଙ୍କ ସୁରକ୍ଷା ପାଇଁ ଏକାଧିକ ସ୍ମାର୍ଟଫିଚର୍ସ ଶାମିଲ କରାଯାଇଛି। ଆସନ୍ତୁ ସେଗୁଡ଼ିକୁ ଜାଣିବା।

ଡ୍ରାଇଭରକୁ ନିଦ ଆସିଲେ ଆଲର୍ଟ- ୧ ଅକ୍ଟୋବର ୨୦୨୯ରୁ ବସ୍, କ୍ୟାବ ଓ କମର୍ସିଆଲ୍ ଗାଡ଼ିଗୁଡ଼ିକରେ ଏକ ଆଲାର୍ମ ସିଷ୍ଟମ ଲାଗିବା ବାଧ୍ୟତାମୂଳକ ହେବ। ଗାଡ଼ି ଚଲାଇବା ବେଳେ ଡ୍ରାଇଭରଙ୍କୁ ନିଦ ଆସିଲେ କିମ୍ବା ଅନ୍ୟମନସ୍କ ହେଲେ ଆପେ ଆପେ ଆଲାର୍ମ ବାଜି ଉଠିବ। ଏଥିରେ ଡ୍ରାଇଭର ସଚେତ ହୋଇଯିବ। ଯାହା ଦୁର୍ଘଟଣା ହ୍ରାସ କରିପାରେ।

ନିଜ ଲେନ୍‌ରେ ରହିବ ଗାଡ଼ି- କମର୍ସିଆଲ ଗାଡ଼ିଗୁଡ଼ିକରେ ୧ ଅକ୍ଟୋବର, ୨୦୨୯ରୁ ଏହି ଟେକ୍ନୋଲୋଜି ବାଧ୍ୟତାମୁଳକ କରାଯିବ। ଏହି ଟେକ୍ନୋଲୋଜୀ ଗାଡ଼ିକୁ ସଡ଼କରେ ନିଜ ଲେନ୍ରୁ ବାହାରିଯିବାକୁ ଦେବ ନାହିଁ।

ପିଲାଙ୍କ ସୁରକ୍ଷା ଓ ସାମଗ୍ରୀର ଉଚିତ ରକ୍ଷଣାବେକ୍ଷଣ- ଗାଡ଼ି ଚଳାଇବା ସମୟରେ ଷ୍ଟିୟରିଂକୁ ସମ୍ଭାଳିବା ସହଜରେ କରାଯିବ। ଏଥିସହିତ ପିଲାଙ୍କୁ ବସିବା ପାଇଁ ସ୍ପେଶାଲ୍ ଚାଇଲ୍ଡ ସିଟ ସେଫ୍ଟି ଓ ଏକ୍ସିଡେଣ୍ଟ ସମୟରେ ଗାଡ଼ିରେ ଥିବା ସାମଗ୍ରୀ ଝଟ୍‌କାରେ ଯେମିତି ଉପରକୁ ଉଠି ଯାତ୍ରୀଙ୍କୁ ଆଘାତ ନ ଦେଉ ଏଥିପାଇଁ ବି ନିୟମ କଡା କରାଯିବ।

ନୂଆ ନିୟମ ନେଇ ଲୋକଙ୍କ ପରାମର୍ଶ ଲୋଡ଼ିଲେ ସରକାର

ସଡ଼କ ପରିବହନ ମନ୍ତ୍ରଣାଳୟ ଏହି ନୂଆ ନିୟମର ଡ୍ରାଫ୍ଟ ଜାରି କରିଥିବା ବେଳେ ଏହା ଉପରେ ପରାମର୍ଶ ମଧ୍ୟ ଲୋଡ଼ିଛନ୍ତି। କାର କମ୍ପାନୀ ଓ ଅଟୋ ଏକ୍ସପର୍ଟ୍ସମାନେ ୩୦ ଦିନ ମଧ୍ୟରେ ଏହା ଉପରେ ନିଜର ମତ ରଖିପାରିବେ। ସମସ୍ତଙ୍କ ପରାମର୍ଶ ଓ ଦେଖିବା ଓ ବିଚାର କରିବା ପରେ ସରକାର ଫାଇନାଲ୍ ନିୟମ ଲାଗୁ କରିବେ।