ଚେନ୍ନାଇ: ଚେନ୍ନାଇରେ ଖେଳାଯାଉଥିବା ଦୁଲୀପ ଟ୍ରଫି ଫାଇନାଲ୍ରେ ଇଷ୍ଟ ଜୋନ୍(ପୂର୍ବାଞ୍ଚଳ) ବୃହତ୍ ସ୍କୋର ଛିଡ଼ା କରି ମଜବୁତ୍ ସ୍ଥିତିରେ ରହିଛି। ପ୍ରଥମ ଇନିଂସରେ ଇଷ୍ଟ ଜୋନ୍ ୭୦୮ ରନର ବିଶାଳ ସ୍କୋର କରିଛି। ଦଳର ଅଧିନାୟକ ଇଶାନ କିଷନଙ୍କ ୨୭୦ ରନର ଦମଦାର ଶତକୀୟ ଇନିଂସ ଏବଂ କୁମାର କୁଶାଗ୍ରଙ୍କ ଶତକ ବଳରେ ଦଳ ଏହି ବଡ଼ ସ୍କୋର ସୃଷ୍ଟି କରି ପାରିଛି। ଏହା ପୂର୍ବରୁ ଓପନର ବୈଭବ ସୂର୍ଯ୍ୟବଂଶୀ (୪୪) ଓ ଅଭିମନ୍ୟୁ ଈଶ୍ୱରନ (୭୨) ଶତକୀୟ ଭାଗିଦାରୀ କରି ଦଳକୁ ଏକ ମଜବୁତ୍ ଆରମ୍ଭ ଦେଇଥିଲେ।

ତେବେ ୫ ଦିନିଆ ଏହି ରେଡ୍-ବଲ୍ ମ୍ୟାଚରେ ଇଷ୍ଟ ଜୋନ୍ ୫୦୦ କିମ୍ବା ୫୫୦ ରନ୍ ପରେ ଇନିଂସ ଘୋଷଣା ନ କରି କାହିଁକି ବ୍ୟାଟିଂ ଜାରି ରଖିଲା, ସେ ନେଇ ଅନେକ କ୍ରିକେଟ୍ ପ୍ରେମୀ ପ୍ରଶ୍ନ ଉଠାଉଛନ୍ତି। ଅପରପକ୍ଷରେ ସାଉଥ୍ ଜୋନ୍ ନିଜର ପ୍ରଥମ ଇନିଂସରେ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୬ ଓ୍ଵିକେଟ୍ ହରାଇ ୨୪୨ ରନ କରିଛି। ଏଭଳି ସ୍ଥିତିରେ ମ୍ୟାଚ୍ ଡ୍ର' ଆଡ଼କୁ ଗତି କଲେ ଟ୍ରଫି କାହାକୁ ମିଳିବ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Also Read: କ୍ରିକେଟ୍ ଛାଡି ଟିଭି ଶୋ' ରେ ରୋହିତ ଶର୍ମା ? କ'ଣ କହୁଛି ବିସିସିଆଇର ନିୟମ ?

ମ୍ୟାଚ୍ ଡ୍ର' ହେଲେ କିପରି ହେବ ବିଜେତା ନିଷ୍ପତ୍ତି ?

ଦୁଲୀପ ଟ୍ରଫି ଏବଂ ରଣଜୀ ଟ୍ରଫି ଭଳି ରେଡ୍-ବଲ୍ ନକ୍-ଆଉଟ୍ ମ୍ୟାଚ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ର ସ୍ପଷ୍ଟ ନିୟମ ରହିଛି। ଏହି ନିୟମ ଅନୁଯାୟୀ ପ୍ରଥମ ଇନିଂସ ଆଗୁଆ ଦଳ ହେବ ଚାମ୍ପିଅନ୍। ଯଦି ୫ ଦିନିଆ ଫାଇନାଲ୍ ମ୍ୟାଚ୍ ଡ୍ର'ରେ ଶେଷ ହୁଏ, ତେବେ ଯେଉଁ ଦଳ ପ୍ରଥମ ଇନିଂସରେ ଅଧିକ ରନ୍ କରି ଆଗୁଆ ରହିଥିବ, ସେହି ଦଳକୁ ହିଁ ବିଜେତା ଘୋଷଣା କରାଯିବ। ଏହି ସ୍ଥିତିରେ ଦୁଇ ଦଳକୁ ଯୁଗ୍ମ ବିଜେତା କରାଯାଏ ନାହିଁ।

ଇଷ୍ଟ ଜୋନ୍ ପ୍ରଥମ ଇନିଂସରେ ୭୦୮ ରନ୍ କରିସାରିଛି। ଏବେ ସାଉଥ୍ ଜୋନ୍ ଯଦି ୭୦୭ କିମ୍ବା ତା’ଠାରୁ କମ୍ ରନ୍ କରେ, ତେବେ ମ୍ୟାଚ୍ ଡ୍ର' ହେଲେ ମଧ୍ୟ ପ୍ରଥମ ଇନିଂସ ଅଗ୍ରଣୀ ଆଧାରରେ ଇଷ୍ଟ ଜୋନ୍ ଦୁଲୀପ ଟ୍ରଫି ୨୦୨୬ ଚାମ୍ପିଅନ୍ ହେବ।

Also Read: ଟିମ୍ ଇଣ୍ଡିଆ ଗୋଟିଏ ଦିନରେ ଖେଳିବ ଦୁଇଟି ମ୍ୟାଚ୍ ! ୨୮ ବର୍ଷ ପରେ ସୃଷ୍ଟି ହୋଇପାରେ ବିରଳ ସଂଯୋଗ

ଇନିଂସ ଘୋଷଣା ନକରିବା ନେଇ ଇଶାନଙ୍କ ସ୍ପଷ୍ଟୀକରଣ

ଏହି ନିୟମକୁ ଆଖିଆଗରେ ରଖି ହିଁ ଅଧିନାୟକ ଇଶାନ କିଷନ ଇନିଂସ ଘୋଷଣା ନକରି ବିଶାଳ ସ୍କୋର ଛିଡ଼ା କରିବାକୁ ପ୍ରାଥମିକତା ଦେଇଥିଲେ, ଯାହା ଦ୍ୱାରା ପ୍ରଥମ ଇନିଂସରେ ଦଳର ସ୍ଥିତି ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ। ନିଜର ଚମତ୍କାର ଫର୍ମ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଇଶାନ କହିଛନ୍ତି ଯେ, ବାହାର ଚାପରୁ ଦୂରେଇ ରହିବା ତାଙ୍କୁ ଭଲ ପ୍ରଦର୍ଶନ କରିବାରେ ସାହାଯ୍ୟ କରିଛି। ଦଳରୁ ବାହାରେ ରହିବା ସମୟରେ ସେ ବୁଝିପାରିଥିଲେ ଯେ ରନ୍ ସଂଗ୍ରହ କରିବା ହିଁ ଜଣେ ଖେଳାଳିର ମୁଖ୍ୟ କାର୍ଯ୍ୟ ଏବଂ ଏହାହିଁ କ୍ୟାରିୟରକୁ ଆଗକୁ ନେବାରେ ସାହାଯ୍ୟ କରେ।