ଭୁବନେଶ୍ୱର ୩୦।୭: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ବନ୍ୟା ପ୍ରପୀଡ଼ିତଙ୍କ ସହାୟତା ପାଇଁ ଆଗେଇ ଆସିଛି ଓଡ଼ିଶା ରେଡ୍ କ୍ରସ୍ । ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକମାନେ ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ସମସ୍ୟାର ସମ୍ମୁଖୀନ ହେଉଥିବାରୁ ସେମାନଙ୍କ ପାଖରେ ତୁରନ୍ତ ଶୁଖିଲା ଖାଦ୍ୟ ସାମଗ୍ରୀ ପହଞ୍ଚାଇବାକୁ ରିଲିଫ କାର୍ଯ୍ୟ ଆରମ୍ଭ କରାଯାଇଛି । ପ୍ରଥମ ଦିନରେ ହଜାରେ ରିଲିଫ୍ ପ୍ୟାକେଟ ବଣ୍ଟନ କରିବାକୁ ଯୋଜନା ରଖାଯାଇଛି ।

ବନ୍ୟା ଜଳରେ ଫସିଛନ୍ତି ଲୋକେ । ସହାୟତା ପାଇଁ ହାତ ବଢ଼ାଇଲା ଓଡ଼ିଶା ରେଡ୍ କ୍ରସ୍ । ପ୍ରଥମ ପର୍ଯ୍ୟାୟରେ ଭଦ୍ରକ ଜିଲ୍ଲାର ଧାମନଗର ଅଞ୍ଚଳକୁ ରିଲିଫ ସାମଗ୍ରୀ ପଠାଯାଇଛି । ପ୍ରତ୍ୟେକ ରିଲିଫ ପ୍ୟାକେଟରେ ୨ କେଜି ଚୂଡ଼ା, ୧ କେଜି ଛତୁଆ, ୨୫୦ ଗ୍ରାମ ଚିନି ଏବଂ ୫୦୦ ଗ୍ରାମ ବିସ୍କୁଟ ରଖାଯାଇଛି । ବନ୍ୟା ପରିସ୍ଥିତିରେ ରନ୍ଧା ଖାଦ୍ୟ ପ୍ରସ୍ତୁତ କରିବା କଷ୍ଟକର ହେଉଥିବାରୁ ଏହି ଶୁଖିଲା ଖାଦ୍ୟ ସାମଗ୍ରୀ ପୀଡ଼ିତ ପରିବାରଙ୍କ ପାଇଁ ତୁରନ୍ତ ଉପଯୋଗୀ ହେବ ବୋଲି ରେଡ୍ କ୍ରସ୍ ପକ୍ଷରୁ କୁହାଯାଇଛି । ବନ୍ୟା ପୀଡ଼ିତଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ନେଇ ମଧ୍ୟ ସତର୍କ କରିଛନ୍ତି ରେଡ୍ କ୍ରସ୍ କର୍ମଚାରୀ । ଏଥିସହ ବନ୍ୟା ପାଣିରେ ସାପ ଦଂଶନର ଆଶଙ୍କା ଅଧିକ ଥିବାରୁ ସତର୍କ ରହିବା, କେବଳ ବିଶୁଦ୍ଧ କିମ୍ବା ଫୁଟାଇଥିବା ପାଣି ପିଇବା, ଖୋଲା ସ୍ଥାନର ଖାଦ୍ୟ ଖାଇବାରୁ ଦୂରେଇ ରହିବା ଏବଂ ଡାଇରିଆ, ହଇଜା ଭଳି ଜଳବାହିତ ରୋଗର ଲକ୍ଷଣ ଦେଖାଦେଲେ ତୁରନ୍ତ ସ୍ୱାସ୍ଥ୍ୟକେନ୍ଦ୍ର ସହ ଯୋଗାଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି । ବିଶେଷକରି ଗର୍ଭବତୀ ମହିଳା, ଛୋଟ ଶିଶୁ ଓ ବୟସ୍କଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନ ନେବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି ।

Also Read:- ମା’ ଭଟ୍ଟାରିକା ଓ ବାବା ସିଂହନାଥ ପୀଠରେ BNS 163 ଧାରା, ବନ୍ୟା ନ ଛାଡ଼ିବା ଯାଏଁ ଶ୍ରଦ୍ଧାଳୁଙ୍କୁ ବାରଣ

ଗୁରୁବାର ସକାଳୁ ହିଁ ଭୁବନେଶ୍ବର ରେଡ୍ କ୍ରସ୍ ଭବନରେ ରିଲିଫ୍ ସାମଗ୍ରୀ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ପ୍ୟାକିଂ ଓ ପଠାଇବା କାର୍ଯ୍ୟରେ ପ୍ରାୟ ୫୦ ଜଣ ସ୍ୱେଚ୍ଛାସେବୀ ଦିନରାତି କାମ କରୁଛନ୍ତି । ସ୍ୱେଚ୍ଛାସେବୀମାନେ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ରିଲିଫ୍ ପ୍ୟାକେଟ୍ ପ୍ରସ୍ତୁତ କରି ସେଗୁଡ଼ିକୁ ପ୍ରଭାବିତ ଅଞ୍ଚଳକୁ ପଠାଉଛନ୍ତି । ଧାମନଗର ପରେ ପର୍ଯ୍ୟାୟକ୍ରମେ ବାଲେଶ୍ୱର ଓ ଯାଜପୁର ଭଳି ବନ୍ୟା ପ୍ରଭାବିତ ଜିଲ୍ଲାକୁ ମଧ୍ୟ ରିଲିଫ୍ ସାମଗ୍ରୀ ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି । ଏଥିରେ ୫୦ରୁ ଅଧିକ ଭଲ୍ୟୁଣ୍ଟର କାମ କରୁଛନ୍ତି । ଏଭଳି ସାହାଯ୍ୟପୂର୍ଣ୍ଣ କାର୍ଯ୍ୟରେ ସାମିଲ ହୋଇ ବେଶ୍ ଆନନ୍ଦିତ ଥିବା ଛାତ୍ରଛାତ୍ରୀ କହିଛନ୍ତି ।