ଖୋର୍ଦ୍ଧା ୧।୧୦: ପାର୍ବଣର ମାହୋଲ । ଆଉ କିଛି ଦିନ ପରେ ଦୁର୍ଗତି ନାଶିନୀ ମା' ଦୁର୍ଗା ଧରାପୃଷ୍ଠକୁ ଅବତରଣ କରିବେ । ଏହାପରେ କୁମାର ପୂର୍ଣ୍ଣିମା ତିଥିରେ ମା' ଗଜଲକ୍ଷ୍ମୀଙ୍କ ପୂଜା ଖୋର୍ଦ୍ଧା ସହରରେ ମହା ଆଡମ୍ବରରେ ଅନୁଷ୍ଠିତ ହେବ । ପୂଜାକୁ ଶାନ୍ତି ଶୃଙ୍ଖଳାରେ ପାଳନ କରିବାକୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଆଜି ଜୟୀ ରାଜଗୁରୁ ଟାଉନ ହଲ୍ରେ ଅନୁଷ୍ଠିତ ହୋଇଛି । ଦୁର୍ଗା ପୂଜା ଏବଂ ଗଜଲକ୍ଷ୍ମୀ ପୂଜା ଭସାଣି ଉତ୍ସବରେ ଡିଜେ ସାଉଣ୍ଡକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ପୂଜାକୁ ସରସ ସୁନ୍ଦର କରିବା ନେଇ ପ୍ରଶାସନର ସମସ୍ତ ବିଭାଗକୁ ଅବଗତ କରାଯାଇଛି ।

Also Read:- ବେଆଇନ ମଦ ବିକ୍ରିକୁ ନେଇ ଗାଁରେ ଅସନ୍ତୋଷ, ଏକାଠି ହେଲେ ଶତାଧିକ ମହିଳା

ଖୋର୍ଦ୍ଧାରେ ୩୯ ମଣ୍ଡପରେ ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବ । ପୂଜାର ୭ ଦିନ ପରେ ଭସାଣ ଉତ୍ସବ ଅନୁଷ୍ଠିତ ହେବ । ଭସାଣ ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟଯନ୍ତ୍ରର ବ୍ୟବସ୍ଥା କରିବା ନେଇ ସମସ୍ତ ପୂଜା କମିଟିର ସଦସ୍ଯଙ୍କୁ କୁହାଯାଇଛି । ପୂଜା ପ୍ରସ୍ତୁତି ବୈଠକରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଉପ ଜିଲ୍ଲାପାଳ ସଂକଳ୍ପ ସ୍ଵସ୍ତିକ ସାହୁ, ଖୋର୍ଦ୍ଧା ପୌରପରିଷଦର ଚେୟାରମ୍ୟାନ କନକଲକ୍ଷ୍ମୀ ମହାନ୍ତି, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସମେତ ସମସ୍ତ ପୂଜା କମିଟିର ବରିଷ୍ଠ ସଭ୍ଯ ଉପସ୍ଥିତ ଅଛନ୍ତି ।