ଭୁବନେଶ୍ୱର: ଓଡ଼ିଶା ମିନେରାଲ୍ସ କର୍ପୋରେସନ୍ (OMC) ଏବଂ ବେଦାନ୍ତ ମଧ୍ୟରେ ବହୁଦିନରୁ ଚାଲିଥିବା ବକ୍ସାଇଟ୍ ଆଇନଗତ ବିବାଦର ଅନ୍ତ ଘଟିଛି। ପୂର୍ବ ଚୁକ୍ତିକୁ ପୁନଃ ଲାଗୁ କରିବାକୁ ଦାବି କରି ବେଦାନ୍ତ ପକ୍ଷରୁ ହାଇକୋର୍ଟରେ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଏହାସହ ୨୦୧୫ ମସିହାରେ ଓଏମସି ପକ୍ଷରୁ ଏହି ଯୌଥ ଉଦ୍ୟୋଗ (Joint Venture) ଚୁକ୍ତିକୁ ବାତିଲ କରାଯାଇଥିବା ନିଷ୍ପତ୍ତିକୁ ହାଇକୋର୍ଟ କାଏମ ରଖିଛନ୍ତି।

କ'ଣ ଥିଲା ପୂରା ବିବାଦ ?

ବକ୍ସାଇଟ୍ ଉତ୍ତୋଳନ ଏବଂ ଯୋଗାଣ ପାଇଁ ୨୦୦୪ ମସିହାରେ ଓଏମସି ଏବଂ ତତ୍କାଳୀନ ଷ୍ଟର୍ଲାଇଟ୍ (ବର୍ତ୍ତମାନର ବେଦାନ୍ତ) ମଧ୍ୟରେ ଏକ ଚୁକ୍ତି ହୋଇଥିଲା। ଏହି ଯୌଥ ଉଦ୍ୟୋଗ ବ୍ୟବସ୍ଥା ଅଧୀନରେ ବେଦାନ୍ତର ଓଡ଼ିଶା ସ୍ଥିତ ଆଲୁମିନିୟମ୍ ପ୍ରକଳ୍ପକୁ ବକ୍ସାଇଟ୍ ଯୋଗାଇବାର ବ୍ୟବସ୍ଥା ଥିଲା। ବେଦାନ୍ତର ଯୁକ୍ତି ଥିଲା ଯେ, ସେହି ଚୁକ୍ତି ଏବଂ ପ୍ରତିଶ୍ରୁତି ଉପରେ ଭରସା କରି କମ୍ପାନୀ ରାଜ୍ୟରେକୋଟି କୋଟି ଟଙ୍କା ନିବେଶ କରିଛି।

Also  Read: ଓଡ଼ିଶାର ସିଇଓଙ୍କ ଇସ୍ତଫାକୁ ନେଇ ପୂର୍ବତନ ମୁଖ୍ୟ ସଚିବଙ୍କ ବଡ଼ ବୟାନ, କହିଲେ...

ତେବେ ଚୁକ୍ତିର ସର୍ତ୍ତ ଖିଲାପ ହେଉଥିବା ଏବଂ କମ୍ପାନୀ ନିଜର ଦାୟିତ୍ୱ ଠିକ୍ ଭାବେ ପାଳନ ନକରୁଥିବା ଦର୍ଶାଇ ୨୦୧୫ ସେପ୍ଟେମ୍ବରରେ ଓଏମସି ଏହି ଯୌଥ ଉଦ୍ୟୋଗ ଚୁକ୍ତିକୁ ବାତିଲ କରିଦେଇଥିଲା। ଓଏମସିର ଏହି ନିଷ୍ପତ୍ତିକୁ ବିରୋଧ କରି ବେଦାନ୍ତ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

ହାଇକୋର୍ଟଙ୍କ ଚୂଡ଼ାନ୍ତ ରାୟ

ମାମଲାରୁ ଶୁଣାଣି କରି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ୨୦୧୫ର ବାତିଲ ନିଷ୍ପତ୍ତିକୁ ଯଥାସମୟରେ ଏବଂ ସଫଳତାର ସହ ଚ୍ୟାଲେଞ୍ଜ କରାଯାଇନଥିଲା, ଯାହା ବର୍ତ୍ତମାନ ଚୂଡ଼ାନ୍ତ ହୋଇସାରିଛି। ଏତେ ବର୍ଷ ପରେ ପୁରୁଣା ଯୌଥ ଉଦ୍ୟୋଗ ଚୁକ୍ତିକୁ ପୁନର୍ଜୀବିତ କରି ସେ ଆଧାରରେ କୌଣସି ଅଧିକାର ଦାବି କରାଯାଇପାରିବ ନାହିଁ। ପ୍ରଚଳିତ ଖଣି ଆଇନର 'Average Sale Price' (ASP) ନିୟମ ଅନୁଯାୟୀ ଏହାର ହିସାବ କରାଯାଇଥିବାବେଳେ, ହାଇକୋର୍ଟଙ୍କ ଏହି ରାୟ ପରେ ଓଏମସି ଆଇନଗତ ଭାବେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବାକୁ ସକ୍ଷମ ହୋଇଛି।