କଟକ ୩୦।୯: ଚିକିତ୍ସା ପାଇଁ ଆସିଥିଲେ କଟକ ବଡ଼ ମେଡିକାଲକୁ । କିନ୍ତୁ ଶବ ହୋଇ ଫେରିଲେ ଯାଜପୁର ବାସିନ୍ଦା ଶ୍ରୀକାନ୍ତ ଦାସ । ତେବେ ମୃତ୍ୟୁ ସ୍ୱାଭାବିକ ନଥିଲା ବରଂ ମେଡିକାଲ କର୍ମଚାରୀ ମାନେ ତାଙ୍କୁ ପିଟି ପିଟି ମାରି ଦେଇଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି । ମୃତକ ଶ୍ରୀକାନ୍ତ ଏସ୍‌ସିବି ମେଡିକାଲର ମାନସିକ ରୋଗ ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । କିନ୍ତୁ ମଙ୍ଗଳବାର ରାତିରେ ୱାର୍ଡ ଆଟେଣ୍ଡଣ୍ଡାଣ୍ଟ ଏବଂ କିଛି ସୁରକ୍ଷା କର୍ମୀ ସଂଘବଦ୍ଧ ଭାବେ ମାଡ଼ ମାରି ଅତି ନିର୍ମମ ଭାବେ ହତ୍ୟା କରିଥିବା ନେଇ ମଙ୍ଗଳାବାଗ ଥାନାରେ ଏତଲା ଦାୟର ହୋଇଛି ।

ପରିବାର ଲୋକଙ୍କ କହିବା ମୁତାବକ, ମୃତ ଶ୍ରୀକାନ୍ତ କେବେ କେବେ ନିଶା ସେବନ କରନ୍ତି । ନିକଟରେ ଅସୁସ୍ଥ ହେବାରୁ ତାଙ୍କୁ ଏସ୍‌ସିବି ମେଡିକାଲ ଅଣାଯାଇଥିଲା । ଯେଉଁଠି ଡାକ୍ତରଙ୍କ ପରାମର୍ଶ ମୁତାବକ ମାନସିକ ରୋଗ ବିଭାଗରେ ଭର୍ତ୍ତି ହୋଇଥିଲେ ଶ୍ରୀକାନ୍ତ । ମଙ୍ଗଳବାର ରାତିରେ ମଧ୍ୟ ସେ ଖୁବ୍ ସ୍ୱାଭାବିକ ଢଙ୍ଗରେ ତାଙ୍କ ସାନ ଭାଇଙ୍କ ସହ କଥା ହୋଇଥିଲେ । ତେବେ ମଧ୍ୟରାତ୍ରିରେ ତାଙ୍କୁ ସଙ୍ଘବଦ୍ଧ ଭାବେ ମାଡ଼ ମରାଯାଉଥିବା କଥା ଶ୍ରୀକାନ୍ତଙ୍କ ଭାଇ କହିଛନ୍ତି । ବୁଧବାର ସକାଳେ ଯେତେବେଳେ ମୃତଦେହ ପୋଷ୍ଟମର୍ଟମ ପାଇଁ ଅଣାଗଲା ସେତେବେଳେ ଶ୍ରୀକାନ୍ତଙ୍କ ଦେହସାରା ମାଡ଼ ମରାଯାଇଥିବା ଦାଗ ଇତ୍ୟାଦି ମଧ୍ୟ ଦେଖିବାକୁ ମିଳିଛି ।

Also Read:- ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା: ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭ ଗିରଫ

ମାମଲାରେ ସମ୍ପୃକ୍ତ ଥିବା ଏକାଧିକ ଅଭିଯୁକ୍ତ ଏବେ ଫେରାର ଥିବା ସୂଚନା ମିଳିଛି । ତେଣେ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି । ମାନସିକ ରୋଗ ବିଭାଗର ସମସ୍ତ ସିସିଟିଭି ଫୁଟେଜ ଯାଞ୍ଚ କରାଯିବା ସହିତ, ଅଭିଯୁକ୍ତ ଏବଂ ଏସ୍ସିବି କର୍ତ୍ତୃପକ୍ଷଙ୍କୁ ପଚରା ଉଚରା କରାଯିବ ବୋଲି ପୋଲିସ କହିଛି । ତଦନ୍ତରେ ସବୁ ପ୍ରକାରର ସହଯୋଗ କରାଯିବ ବୋଲି ମଧ୍ୟ ଏସ୍‌ସିବି ଅଧୀକ୍ଷକ କହିଛନ୍ତି ।

Watch Video: