ମୁମ୍ବାଇ: ନିଫ୍ଟି ଏବଂ ସେନସେକ୍ସ ମାସର ପ୍ରଥମ କାରବାର ଦିନରେ ନିଜକୁ ସମ୍ଭାଳିବା ପାଇଁ ବହୁତ ଚେଷ୍ଟା କରିଥିଲେ, କିନ୍ତୁ ବେଶି ସମୟ ତିଷ୍ଠି ପାରିନଥିଲେ । ଏହାପରେ ସେୟାର ବଜାରର ଯେଉଁ ଅବସ୍ଥା ହେଲା, ସେଥିରେ ନିବେଶକଙ୍କ ୬ ଲକ୍ଷ କୋଟି ଟଙ୍କା ସ୍ୱାହା ହୋଇଗଲା । ସକାଳ ୯ଟା ୧୫ ମିନିଟରେ ବଜାର ଲାଲ୍ ସଂକେତ ସହ ଖୋଲିଥିଲା, କିନ୍ତୁ ବଜାର ହ୍ରାସକୁ ଏଡାଇବା ପାଇଁ ଅନେକ ଉଦ୍ୟମ କରିଥିଲା । ପ୍ରାୟ ୨ ଘଣ୍ଟା ୪୫ ମିନିଟ୍ ଧରି ଚାଲିଥିବା ଅସ୍ଥିରତା ପରେ ଅପରାହ୍ନ ୧୨ଟାରେ ବଜାର ବିକ୍ରେତାମାନଙ୍କ ଆଗରେ ଆତ୍ମସମର୍ପଣ କରିଦେଇଥିଲା । ନିଫ୍ଟି ଏବଂ ସେନସେକ୍ସର ଇଣ୍ଟ୍ରାଡେ ଟ୍ରେଡ୍ ଚାର୍ଟରେ ଅପରାହ୍ନ ପରେ ପାହାଡ଼ରୁ ତଳକୁ ଖସିବା ଭଳି ଏକ ଚିତ୍ର ତିଆରି ହୋଇଥିଲା ।

ମାର୍କେଟରେ ଆଜି ହାହାକାରର ତାଣ୍ଡବ ଅପରାହ୍ନ ୧୨ଟାରେ ଆରମ୍ଭ ହୋଇଥିଲା । ଅପରାହ୍ନ ୧୨ଟା ୦୧ରେ ନିଫ୍ଟି ୨୨,୫୭୩ ସ୍ତରରେ ଥିଲା । ଯେତେବେଳେ ହ୍ରାସ ଆରମ୍ଭ ହେଲା, ୨ଟା ୦୫ ସୁଦ୍ଧା ଏହା ୨୨,୨୨୧.୩୫କୁ ଖସି ଆସିଥିଲା । ଅର୍ଥାତ୍ ୨ ଘଣ୍ଟା ୪ ମିନିଟ୍‌ରେ ସିଧାସଳଖ ୩୫୧.୬୫ ଅଙ୍କ (୧.୫୫%) ହ୍ରାସ ପାଇଥିଲା । ଏହି ସମୟ ମଧ୍ୟରେ ସେନସେକ୍ସ ମଧ୍ୟ ମୁହଁ ମାଡ଼ି ପଡ଼ିଥିଲା ଏବଂ ୧,୦୫୪.୩ ଅଙ୍କ (୧.୪୫%) ହରାଇଥିଲା । ସେନସେକ୍ସ ୧୨ଟାରେ ୭୨,୪୦୦.୭୭ ଅଙ୍କରେ ଥିଲା, ଯାହା ୨ଟା ୦୫ ସୁଦ୍ଧା ୭୧,୩୪୬.୪୭କୁ ଖସି ଆସିଥିଲା ।

ତେବେ କାରବାରର ଶେଷ ସେସନରେ ପୁଞ୍ଜି ବଜାର ସମାନ୍ୟ ପ୍ରତ୍ୟାବର୍ତ୍ତନ କରିଥିଲା । ସେନସେକ୍ସ ୫୭୦.୫୯ ପଏଣ୍ଟ ବା ୦.୭୯ ପ୍ରତିଶତ ହ୍ରାସ ସହ ୭୧୯୦୯.୭୦ ଏବଂ ନିଫ୍ଟି ୫୦ ୧୯୮.୫୦ ପଏଣ୍ଟ ଅର୍ଥାତ୍ ୦.୮୮ ପ୍ରତିଶତ ହ୍ରାସ ସହ ୨୨,୪୨୧.୯୫ ସ୍ତରରେ ବନ୍ଦ ହୋଇଛି । ପୂର୍ବ କାରବାର ଦିନ ସେପ୍ଟେମ୍ୱର ୩୦ରେ ବିଏସଇରେ ତାଲିକାଭୁକ୍ତ ମାର୍କେଟରେ ପୁଞ୍ଜି ୪,୭୩,୦୯,୬୩୪.୩୧ କୋଟି ଟଙ୍କା ଥିଲା, ଯାହା ଆଜି ହ୍ରାସ ପାଇ ୪,୬୭,୦୦,୫୩୧.୨୮ କୋଟି ଟଙ୍କା ହୋଇଛି । ଏହାର ଅର୍ଥ ନିବେଶକଙ୍କୁ ଆଜି ୬,୦୯,୧୦୩.୦୩ କୋଟି ଟଙ୍କା କ୍ଷତି ହୋଇଛି ।

ସୋମବାର ବି ସ୍ୱାହା ହୋଇଥିଲା ୭.୮ ଲକ୍ଷ କୋଟି ଟଙ୍କା

ଏହା ପୂର୍ବରୁ ସୋମବାର ଦିନ ସେୟାର ବଜାରରେ ବଡ଼ ହ୍ରାସ ଘଟିଥିଲା । ନିବେଶକମାନଙ୍କୁ ୭.୮୧ ଲକ୍ଷ କୋଟି ଟଙ୍କାରୁ ଅଧିକ ହରାଇବାକୁ ପଡ଼ିଥିଲା । ସୋମବାର କାରୋବାର ଶେଷ ସୁଦ୍ଧା ମୋଟ ବଜାର ପୁଞ୍ଜିରେ ୭,୮୧,୫୦୪ କୋଟି ଟଙ୍କାର ହ୍ରାସ ରେକର୍ଡ କରାଯାଇଥିଲା । ଗତ ସେପ୍ଟେମ୍ବର ୧୫ ପରେ ମାର୍କେଟ୍ କ୍ୟାପରେ ଏହା ସବୁଠାରୁ ବଡ଼ ହ୍ରାସ ଥିଲା ।