ଭୁବନେଶ୍ବର ୨୮।୯: ୧୪ କି.ମି. ବେଗରେ ଆଗକୁ ବଢୁଛି ଅବପାତ । ସୋମବାର ସନ୍ଧ୍ୟା ସୁଦ୍ଧା ଆହୁରି ଘନୀଭୂତ ହୋଇ ଗଭୀର ଅବପାତ ଭାବେ ମିଆଁମାର ଉପକୂଳକୁ ୟାଙ୍ଗୁନ ଏବଂ କ୍ୟାୟିକଟୋ ମଧ୍ୟରେ ଅତିକ୍ରମ କରିବା ସମ୍ଭାବନା ।

ଉତ୍ତର ଆଣ୍ଡାମାନ ସାଗର ଏବଂ ପାର୍ଶ୍ବବର୍ତ୍ତୀ ମିଆଁମାର ଉପକୂଳ ଉପରେ ଥିବା ସ୍ପଷ୍ଟ ଚିହ୍ନିଟ ଲଘୁଚାପ କ୍ଷେତ୍ରଟି ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଏକ ଅବପାତରେ ପରିଣତ ହୋଇଛି । ଆଜି ଦ୍ରାଘିମା ନିକଟରେ, ଅର୍ଥାତ୍ ମାୱଲାମ୍ୟାଇନ୍ (ମିଆଁମାର)ର ଦକ୍ଷିଣକୁ ପ୍ରାୟ ୧୦୦ କିମି ୟାଙ୍ଗୁନ୍ (ମିଆଁମାର)ର ଦକ୍ଷିଣ-ପୂର୍ବକୁ ୨୦୦ କି.ମି., କୋକୋ ଦ୍ୱୀପ (ମିଆଁମାର)ର ପୂର୍ବ-ଉତ୍ତରପୂର୍ବକୁ ୪୮୦ କି.ମି. ଏବଂ ମାୟାବନ୍ଦର (ଆଣ୍ଡାମାନ ଦ୍ୱୀପପୁଞ୍ଜ, ଭାରତ)ର ପୂର୍ବ-ଉତ୍ତରପୂର୍ବକୁ ୫୯୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇ ରହିଛି । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବାର ସମ୍ଭାବନା ରହିଛି । ଏହା ସହିତ, ଆଗାମୀ ୩ ଦିନ ମଧ୍ୟରେ ଏହା ମିଆଁମାର ଉପକୂଳ ଦେଇ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ଏହାକୁ ଲାଗି ରହିଥିବା ବାଂଲାଦେଶ ଉପକୂଳ ଆଡ଼କୁ ଅଗ୍ରସର ହେବାର ସମ୍ଭାବନା ରହିଛି ।

ଏପଟେ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସମୁଦ୍ର ପତ୍ତନଠାରୁ ୩.୧ରୁ ୪.୫ କିଲୋମିଟର ଉଚ୍ଚତାରେ ଏକ ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

Also Read:- ନକଲି ପନିର ମାମଲାରେ ବଡ଼ ଆକ୍ସନ୍, ୧୧ ବ୍ୟବସାୟୀ ଓ ମିଡିଲମ୍ୟାନ୍‌ଙ୍କ ନାଁରେ ଏତଲା

ବଜ୍ରପାତ ସହ ଝଡ଼ ପବନ ଆଶଙ୍କାରେ ୧୧ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେଗୁଡ଼ିକ ହେଲା- ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ । ଏହି ଜିଲ୍ଲା ଗୁଡ଼ିକରେ ଘଡ଼ଘଡ଼ି ଓ ବଜ୍ରପାତ ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଡ଼ ପବନ ବହିବାର ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି ।