କଟକ ୩୦।୯: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି । ବିଦ୍ୟା ଭାରତୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ଗତ ୯ ତାରିଖରେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ତେଣୁ ଅକ୍ଟୋବର ୧ ସୁଦ୍ଧା, ବିଦ୍ୟାଭରତୀଙ୍କୁ ଟ୍ରାଏଲ୍‌ କୋର୍ଟରେ ହାଜର ହେବାକୁ ପଡିବ । ଟ୍ରାଏଲ୍‌ କୋର୍ଟରେ ବ୍ୟକ୍ତିଗତ ହାଜରାରୁ ଛାଡ଼ ପାଇଁ ବିଦ୍ୟାଭାରତୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ, ଯାହା ଉପରେ ଶୁଣାଣି କରି ଅକ୍ଟୋବର ୧ ତାରିଖ ସୁଦ୍ଧା ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ ହାଜର ହେବାକୁ ଗତ ୯ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

ଏସିଏଫ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁକୁ ନେଇ ପାରଳାଖେମୁଣ୍ଡି ଥାନାରେ IPCର ଧାରା ୩୦୨ ( ହତ୍ୟା ) ଏବଂ ୧୨୦-B ( ଅପରାଧିକ ଷଡଯନ୍ତ୍ର ) ଅନୁଯାୟୀ ବିଦ୍ୟାଭାରତୀ ଓ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ତଦନ୍ତ ପରେ ପୋଲିସ କେବଳ ବିଦ୍ୟାଭାରତୀଙ୍କ ବିରୋଧରେ IPC ୩୦୪-A ଅନୁଯାୟୀ ଚାର୍ଜସିଟ୍‌ ଦାଖଲ କରିଛି । ଏହାପରେ ଅଭିଯୋଗକାରୀ ପ୍ରୋଟେଷ୍ଟ ପିଟିସନ୍‌ ଦାଖଲ କରିଥିଲେ । ପ୍ରୋଟେଷ୍ଟ ପିଟିସନ୍‌ରେ ମାଜିଷ୍ଟ୍ରେଟ୍‌ Section 202 Cr.P.C. ଅନୁଯାୟୀ ତଦନ୍ତ କରିବା ପରେ IPC ୩୦୨/୧୨୦-B ଅନୁଯାୟୀ ବିଦ୍ୟାଭାରତୀଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ମୋକଦ୍ଦମା ଚାଲିବ ବୋଲି ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ଚ୍ୟାଲେଞ୍ଜ କରି ବିଦ୍ୟାଭାରତୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ୨୦୨୫ ଜୁଲାଇ ୩ ତାରିଖରେ ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଲେ । ପୁନର୍ବାର ବିଦ୍ୟାଭାରତୀଙ୍କ ପକ୍ଷରୁ ଦର୍ଶାଯାଇଥିଲାଯେ,ସେ ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲାର ନୁଆଗାଁରେ ଚୁକ୍ତିଭିତ୍ତିକ ସରକାରୀ ଚାକିରି କରୁଛନ୍ତି ।

Also Read:- ଶୋ’ରୁମ୍‌ରୁ ବାହାରିଲା ପ୍ରବଳ ଧୂଆଁ, ପରେ ଚାରିଆଡ଼େ ବ୍ୟାପିଗଲା ନିଆଁ

ପାରଳାଖେମୁଣ୍ଡି ତାଙ୍କ କର୍ମସ୍ଥଳୀ ଠାରୁ ୫୨୪ କି.ମି.ରୁ ଅଧିକ ଦୂର ହୋଇଥିବାରୁ ବାରମ୍ବାର କୋର୍ଟରେ ହାଜର ହେବା କଷ୍ଟକର ବୋଲି ଯୁକ୍ତି ଦିଆଯାଇଥିଲା । ତେବେ ବିଦ୍ୟାଭାରତୀ ଜାଣିଶୁଣି କୋର୍ଟ ପ୍ରକ୍ରିୟାକୁ ଏଡ଼ାଇ ଚାଲିଥିବା ଯୁକ୍ତି ଦର୍ଶାଇଥିଲେ ପ୍ରତିପକ୍ଷ । ବିଦ୍ୟା ଭାରତୀଙ୍କ ଅନୁପସ୍ଥିତି ଯୋଗୁଁ ଟ୍ରାଏଲ୍‌ ଆରମ୍ଭ ହୋଇ ପାରିନାହିଁ ବୋଲି ପ୍ରତିପକ୍ଷଙ୍କ ତରଫରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା । ଯାହାକୁ ଗ୍ରହଣ କରି ହାଇକୋର୍ଟ କହିଛନ୍ତି ଯେ, ମାମଲାର ପ୍ରକୃତି ଏବଂ ଅଭିଯୋଗର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବିଦ୍ୟାଭାରତୀଙ୍କ ବ୍ୟକ୍ତିଗତ ହାଜର ହେବା ଏବେ ଏଡ଼ାଇ ହେବ ନାହିଁ । ତେବେ ଆବଶ୍ୟକତା ଅନୁଯାୟୀ ପରବର୍ତ୍ତୀ ସମୟରେ ଆବେଦନ କରିପାରିବେ । ବିଦ୍ୟାଭାରତୀଙ୍କ ଗିରଫ ହେବା ନେଇ ଥିବା ଆଶଙ୍କାକୁ ଦୃଷ୍ଟିରେ ରଖି ହାଇକୋର୍ଟ ତାଙ୍କୁ କୋର୍ଟରେ ହାଜର ହେବା ସମୟରେ ଜାମିନ ପାଇଁ ଆବେଦନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ଉକ୍ତ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ବିଦ୍ୟାଭାରତୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ, କିନ୍ତୁ ତାଙ୍କୁ ନିରାଶ ହେବାକୁ ପଡିଛି ।

Watch Video: