ନୂଆଦିଲ୍ଲୀ: ଯଦି ସ୍ୱର୍ଣ୍ଣାଳଙ୍କାର କିଣିବାକୁ ଚାହୁଁଥାନ୍ତି ତେବେ ଏହି ଖବର ଆପଣଙ୍କ ଲାଗି ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ଦୁର୍ବଳ ଆମେରିକା ମୁଦ୍ରାସ୍ଫୀତି ତଥ୍ୟରୁ ଅକ୍ଟୋବରରେ ଫେଡେରାଲ ରିଜର୍ଭ ସୁଧହାର ବଢାଇବାର ଆଶା ଏବେ କ୍ଷୀଣ। ଏହି ଖବର ଏବେ ସୁନା ଦରରେ ନିଆଁ ଲଗାଇ ଦେଇଛି। ଫଳରେ ମଲ୍ଟି କମଡିଟି ଏକ୍ସଚେଞ୍ଜ ଅଫ ଇଣ୍ଡିଆ (ଏମସିଏକ୍ସ)ରେ ସୁନା ୧୦ ଗ୍ରାମ ପିଛା ଦର ପୁଣି ଥରେ ₹୧.୫୦ ଲକ୍ଷଟଙ୍କା ସ୍ତରକୁ ଛୁଇଁଛି। ସେହିପରି ରୁପା ଦର ମଧ୍ୟ କେଜି ପିଛା ₹୨.୨୬ଲକ୍ଷକୁ ଛୁଇଁଥିବା ବେଳେ ପାଖାପାଖି ୧% ବୃଦ୍ଧିରେ କାରବାର କରୁଥିବା ଦେଖା ଯାଇଛି। ତେବେ ଗତ ସେପ୍ଟେମ୍ବର ମାସରେ ସୁନା ଦର ପାଖାପାଖି ୬% ପର୍ଯ୍ୟନ୍ତ ହ୍ରାସ ହୋଇଥିଲା।

ସେପ୍ଟେମ୍ବର ମାସରେ ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ପାଖାପାଖି ୬.୫% ପର୍ଯ୍ୟନ୍ତ ହ୍ରାସ ହୋଇଥିଲା, ଜୁନ ପରେ ସୁନାର ଏହା ସବୁଠୁ ଖରାପ ମାସିକ ଫଳାଫଳ । ସୁନାର ଏପରି ମୂଲ୍ୟ ହ୍ରାସ ଆମେରିକୀୟ ଫେଡେରାଲ ରିଜର୍ଭ ଯୋଗୁ ହୋଇଥିଲା। ଫେଡେରାଲ ରିଜର୍ଭର କଠୋର ଆର୍ଥିକ ନୀତି ଓ ସେପ୍ଟେମ୍ବରର ବଣ୍ଡ ୟିଲ୍ଡ ଦୀର୍ଘ ବର୍ଷର ଉଚ୍ଚତମ ସ୍ତରକୁ ଛୁଇଁବା ସୁନା ଦରକୁ ପ୍ରଭାବିତ କରିଥିଲା। ଏଥିରେ ଏବେ ଭାରତରେ ପାର୍ବଣ ସାଙ୍ଗକୁ ବିବାହ ଋତୁ ମଧ୍ୟ ଆସୁଛି। ଏଣୁ ଆଶା କରାଯାଉଛି ଅକ୍ଟୋବରରେ ଦେଶରେ ସୁନା ଦର ବଢିପାରେ।

ଅକ୍ଟୋବର ମାସ ପାର୍ବଣ ଋତୁ। ଦଶହରା, ଧନତେରସ ଓ ଦୀପାବଳି ସହିତ ଅକ୍ଟୋବର ଓ ନଭେମ୍ବରରେ ସୁନାର ଚାହିଦା ବଢିବାର ଆଶା ରହିଛି। ଏହା ପରେ ଶୀତ ଋତୁରେ ବିବାହ ତିଥି ମଧ୍ୟ ଚାହିଦାକୁ ସମର୍ଥନ ଦେଇ ପାରେ। ଏକ୍ସପର୍ଟଙ୍କ ଅନୁସାରେ ଏବେ ବଜାରର ନଜର ଆମେରିକାର ରୋଜଗାର ଡାଟା ଉପରେ ରହିବ। ଏଥିରୁ ଫେଡେରାଲ ରିଜର୍ଭର ଆଗାମୀ ସୁଧହାର ନୀତିର ସଂକେତ ମିଳିବ। ଅକ୍ଟୋବର-ନଭେମ୍ବର ପାର୍ବଣ ମାସ ଯୋଗୁ ଫିଜିକାଲ ସୁନାର ଚାହିଦା ବଢିପାରେ। ଏହା ସହ ବିଭିନ୍ନ କେନ୍ଦ୍ରୀୟ ବ୍ୟାଙ୍କର ସୁନା କିଣା ଦରକୁ ମଜଭୁତ ଆଧାର ଦେଇପାରେ।