ନୂଆଦିଲ୍ଲୀ: ଆଗାମୀ ଦିନରେ ଇଲେକ୍ଟ୍ରିକ୍ ଗାଡ଼ି ବା ଇଭି ଶସ୍ତା ହେବା ସହ ପେଟ୍ରୋଲ-ଡିଜେଲ୍ ଗାଡ଼ିରେ ମାଇଲେଜ୍ ବଢ଼ିପାରେ। ପ୍ରଦୂଷଣ କମାଇବା ଓ ଗାଡ଼ିର ଇନ୍ଧନ ଦକ୍ଷତା ବଢ଼ାଇବା ପାଇଁ କେନ୍ଦ୍ର ସରକାର ପାସେଞ୍ଜର ଗାଡ଼ି ପାଇଁ CAFE-3 ନିୟମ ଘୋଷଣା କରିଛନ୍ତି। ଏହି ନିୟମ ୧ ଏପ୍ରିଲ ୨୦୨୭ରୁ ୩୧ ମାର୍ଚ୍ଚ ୨୦୩୨ ପର୍ଯ୍ୟନ୍ତ ଲାଗୁ ରହିବ।

ନୂଆ ନିୟମ ଅନୁସାରେ ଅଟୋ କମ୍ପାନୀଗୁଡ଼ିକୁ ନିଜ ପୋର୍ଟଫୋଲିଓରେ ଅଧିକ ମାଇଲେଜ୍ ଦେଉଥିବା ପେଟ୍ରୋଲ-ଡିଜେଲ୍ କାର୍ ସହିତ ଇଭି ଓ ହାଇବ୍ରିଡ୍ ଗାଡ଼ିର ସଂଖ୍ୟା ବଢ଼ାଇବାକୁ ପଡ଼ିବ। ଏହା ଫଳରେ କମ୍ପାନୀଗୁଡ଼ିକ ଅଧିକ ସଂଖ୍ୟାରେ କମ୍ ଦାମର ଇଭି ମଡେଲ୍ ବଜାରକୁ ଆଣିବାକୁ ଚେଷ୍ଟା କରିପାରନ୍ତି। ଟାଟା, ମହିନ୍ଦ୍ରା, ହୁଣ୍ଡାଇ, ମାରୁତି ଓ ଏମ୍ଜି ଭଳି କମ୍ପାନୀ ମଧ୍ୟରେ ଶସ୍ତା ଇଭି ନେଇ ପ୍ରତିଯୋଗିତା ବଢ଼ିଲେ ଗ୍ରାହକଙ୍କୁ ଏହାର ଲାଭ ମିଳିପାରେ।

CAFE-2 ତୁଳନାରେ CAFE-3ରେ କ’ଣ ବଦଳିବ?

ବର୍ତ୍ତମାନ CAFE-2 ନିୟମ ଏପ୍ରିଲ ୨୦୨୨ରୁ ଲାଗୁ ରହିଛି। ଏହି ନିୟମ କୌଣସି ଗୋଟିଏ କାର୍ ଉପରେ ନୁହେଁ, ବରଂ ଗୋଟିଏ କମ୍ପାନୀ ବିକ୍ରି କରୁଥିବା ସମସ୍ତ ପାସେଞ୍ଜର ଗାଡ଼ିର ହାରାହାରି ଉପରେ ଲାଗୁ ହୁଏ।

ବର୍ତ୍ତମାନ ୧,୦୮୨ କିଲୋଗ୍ରାମ ଓଜନକୁ ଆଧାର କରି କମ୍ପାନୀଗୁଡ଼ିକ ପାଇଁ ହାରାହାରି ୨୦.୯୨ କିମି ପ୍ରତି ଲିଟର ମାଇଲେଜ୍ର ଲକ୍ଷ୍ୟ ରହିଛି। ସେହିପରି କାର୍ରୁ ନିର୍ଗତ କାର୍ବନ ଡାଇଅକ୍ସାଇଡ୍ ୧୧୩ ଗ୍ରାମ ପ୍ରତି କିମିରୁ କମ୍ ରହିବା ଆବଶ୍ୟକ।

CAFE-3 ଲାଗୁ ହେବା ପରେ କାର୍ବନ ନିର୍ଗମନ ସୀମାକୁ ପ୍ରାୟ ୯୧.୭ ଗ୍ରାମ ପ୍ରତି କିମିକୁ କମାଇବା ଲକ୍ଷ୍ୟ ରହିଛି। ଅର୍ଥାତ୍ ବର୍ତ୍ତମାନ ତୁଳନାରେ ପ୍ରାୟ ୧୯ ପ୍ରତିଶତ କାର୍ବନ ନିର୍ଗମନ କମାଇବାକୁ ପଡ଼ିବ।

ଏହା ସହ ୨୦୨୭ରେ କମ୍ପାନୀର ଗାଡ଼ିଗୁଡ଼ିକର ହାରାହାରି ମାଇଲେଜ୍ ପ୍ରାୟ ୨୫ କିମି ପ୍ରତି ଲିଟର କରିବାକୁ ହେବ। ପରବର୍ତ୍ତୀ ବର୍ଷଗୁଡ଼ିକରେ ଏହି ଲକ୍ଷ୍ୟକୁ କ୍ରମେ କଡ଼ା କରାଯାଇ ୨୦୩୧-୩୨ ସୁଦ୍ଧା ପ୍ରାୟ ୩୦ କିମି ପ୍ରତି ଲିଟର ପର୍ଯ୍ୟନ୍ତ ନିଆଯିବ।

ଇଭି ଓ ହାଇବ୍ରିଡ୍କୁ ସୁପର-କ୍ରେଡିଟ୍

ପ୍ରଦୂଷଣ ହ୍ରାସକାରୀ ଗାଡ଼ି ବିକ୍ରି ବୃଦ୍ଧି କରିବା ପାଇଁ, ସରକାର ଏକ "ସୁପର-କ୍ରେଡିଟ୍" ନିୟମ ପ୍ରଣୟନ କରିଛନ୍ତି। ଅର୍ଥାତ କମ୍ପାନୀ ଯେତେ ପରିମାଣରେ ଇକୋ ଫ୍ରେଣ୍ଡଲି ଗାଡ଼ି ବିକିବ ରେକର୍ଡରେ ତା’ର ଗଣନା ସେତେ ଅଧିକ କରାଯିବ। ଏଥିରେ କମ୍ପାନୀଗୁଡ଼ିକ ସହଜରେ ନିଜ ଟାର୍ଗେଟ୍ ପୂରା କରିବେ।

ପ୍ୟୁର୍ ଇଭି: ୩ ଗୁଣ କ୍ରେଡିଟ୍- ଅର୍ଥାତ ଯଦି କମ୍ପାନୀ ୧୦ ହଜାର ଇବି ବିକ୍ରି କରେ, ତେବେ ସରକାରୀ ଖାତାରେ ଏହାକୁ ୩୦ ହଜାର ଯାନ ଭାବରେ ଗଣନା କରାଯିବ।
ପ୍ଲଗ୍-ଇନ୍ ହାଇବ୍ରିଡ୍ ଓ ଫ୍ଲେକ୍ସ-ଫ୍ୟୁଏଲ୍ ହାଇବ୍ରିଡ୍: ୨.୫ ଗୁଣ କ୍ରେଡିଟ ମିଳିବ
ଷ୍ଟ୍ରଙ୍ଗ୍ ହାଇବ୍ରିଡ୍: ୧.୬ ଗୁଣ
ଫ୍ଲେକ୍ସ-ଫ୍ୟୁଏଲ୍ ଗାଡ଼ି: ୧.୧ ଗୁଣ କ୍ରେଡିଟ୍ ମିଳିବ

କେବଳ ଇଭି ବିକ୍ରି କରି ନୁହେଁ, ପେଟ୍ରୋଲ-ଡିଜେଲ୍ ଗାଡ଼ିରେ ଆଧୁନିକ ଟେକ୍ନୋଲୋଜି ବ୍ୟବହାର କରି ମଧ୍ୟ କମ୍ପାନୀଗୁଡ଼ିକ ଅଙ୍ଗାରକାମ୍ଳ ହ୍ରାସ ଲକ୍ଷ୍ୟରେ ରିହାତି ପାଇପାରିବେ।

ପେଟ୍ରୋଲ-ଡିଜେଲ୍ କାରରେ ୧୨ଟି ନୂଆ ଆଧୁନିକ ଟେକ୍ନୋଲୋଜିକୁ ମଞ୍ଜୁରୀ।

ଆଗକୁ ଭାରତରେ ୧୨ଟି ନୂଆ ଆଧୁନିକ ଟେକ୍ନୋଲୋଜି ସହ ପେଟ୍ରୋଲ-ଡିଜେଲ ଗାଡିଗୁଡିକ ବିକ୍ରି ହେବ। ସେଗୁଡିକ ସବୁ କଣ ଆସନ୍ତୁ ଜାଣିବା- 

ଇଞ୍ଜିନ୍ ଷ୍ଟାର୍ଟ-ଷ୍ଟପ୍- ଟ୍ରାଫିକରେ ଅଟକିଲେ ଇଞ୍ଜିନ ବନ୍ଦ ,ଚାଲିଲେ ଆରମ୍ଭ। ଏଥିରେ ଇନ୍ଧନ ସଞ୍ଚୟ ହେବ।
ଟାୟାର ପ୍ରେସର ମନିଟରିଂ ସିଷ୍ଟମ୍ ବା TPMS- ପ୍ରେସର କମ ହେଲେ ଆଲର୍ଟ ଦେବ, ଏଥିରେ ମାଇଲେଜ ଭଲ ରହିବ।
ରିଜେନେରେଟିଭ୍ ବ୍ରେକିଂ- ବ୍ରେକିଂ ସମୟରେ ଉତ୍ପନ୍ନ ହେଉଥିବା ଶକ୍ତି ଦ୍ୱାରା ବ୍ୟାଟେରୀ ଚାର୍ଜ ହୁଏ।
୬ କିମ୍ବା ତା’ଠାରୁ ଅଧିକ ସ୍ପିଡ୍ ଗିୟରବକ୍ସ- ଦ୍ରୁତ ଗତିରେ ବି ଇଞ୍ଜିନ ଲୋଡ୍ ଏବଂ ତେଲ ବ୍ୟବହାର ହ୍ରାସ ହେବ।
୧୨V/୪୮V ଅଲ୍ଟରନେଟର- କମ ଇନ୍ଧନ ବ୍ୟବହାରରେ ବ୍ୟାଟେରୀ ଏବଂ ପାର୍ଟଗୁଡ଼ିକ ବିଦ୍ୟୁତ୍ ଯୋଗାଣ ହୁଏ।
୧୨V/୪୮V ମୋଟର-ଜେନେରେଟର- ପିକଅପ୍ ସମୟରେ ଇଞ୍ଜିନକୁ ଅତିରିକ୍ତ ପାୱାର ସପୋର୍ଟ।
ଏଲ୍ଇଡି ଲାଇଟ୍ସ- ସାଧାରଣ ବଲ୍‌ଭ ତୁଳନାରେ କମ୍ ବିଜୁଳ ଖର୍ଚ୍ଚ ହେବ, ଇଞ୍ଜିନ ଉପରେ ଲୋଡ କମିବ।
ଆଡ୍‌ଭାନ୍ସ ଗ୍ଲାସିଂ- ଏହି ସ୍ୱତନ୍ତ୍ର କାଚ ସୂର୍ଯ୍ୟକିରଣ ଏବଂ ତାପକୁ କ୍ୟାବିନ ଭିତରକୁ ପ୍ରବେଶ କରିବାରୁ ଅବରୋଧ କରି ଏସି ଲୋଡକୁ ହ୍ରାସ କରେ।ଇଲେକ୍ଟ୍ରିକ୍ ୱାଟର ପମ୍ପ- ବ୍ୟାଟେରୀରେ ଚାଲି ଇଞ୍ଜିନର ଶକ୍ତି ବଞ୍ଚାଏ।
ହାଇ ଏଫିସିଏନ୍ସି ଏସି- କମ ପାୱାର ଖର୍ଚ୍ଚରେ କ୍ୟାବିନ୍କୁ ଦ୍ରୁତ ଭାବେ ଥଣ୍ଡା ରଖେ।
ସୋଲାର ରିଫ୍ଲେକ୍ଟିଭ ପେଣ୍ଟ- ଖରାକୁ ପ୍ରତିଫଳିତ କରି କାର ଇଞ୍ଜିନକୁ ଗରମ ହେବାରୁ ସୁରକ୍ଷା ଦିଏ ।
ସ୍ମାର୍ଟ ରେଡିଏଟର ଫ୍ୟାନ୍- ଇଞ୍ଜିନର ଆବଶ୍ୟକତା ଅନୁସାରେ ସ୍ପିଡ୍ ନିର୍ଦ୍ଧାରିତ କରି ବିଜୁଳି ବଞ୍ଚାଇବ।

ଏସବୁ ନୂଆ ଟେକ୍ନୋଲୋଜିଗୁଡ଼ିକ ଇନ୍ଧନ ଖର୍ଚ୍ଚ ଓ ଗାଡ଼ିର ଏନର୍ଜି ବ୍ୟବହାର କମାଇବାରେ ସହାୟକ ହୋଇପାରେ।

Also Read- ଅକ୍ଟୋବର ପହିଲାରୁ ୧୦ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବଦଳିଲା ନିୟମ: ରୋଷେଇ ଗ୍ୟାସ୍ ଠାରୁ ବ୍ୟାଙ୍କ ପର୍ଯ୍ୟନ୍ତ ନିୟମରେ ହେଲା ପରିବର୍ତ୍ତନ

କ’ଣ ଏହି CAFE ନିୟମ?

CAFE ବା Corporate Average Fuel Economy ହେଉଛି କାର୍ କମ୍ପାନୀଗୁଡ଼ିକ ପାଇଁ ସରକାରଙ୍କ ଇନ୍ଧନ ଦକ୍ଷତା ଓ କାର୍ବନ ନିର୍ଗମନ ସମ୍ପର୍କିତ ନିୟମ। ଏହା କୌଣସି ଗୋଟିଏ କାର୍ର ମାଇଲେଜ୍କୁ ନେଇ ନୁହେଁ। ଗୋଟିଏ କମ୍ପାନୀ ବିକ୍ରି କରିଥିବା ଛୋଟ କାର୍, ଏସୟୁଭି, ହାଇବ୍ରିଡ୍ ଓ ଇଭି ସମେତ ସମସ୍ତ ଗାଡ଼ିର ହାରାହାରି ଆଧାରରେ ଏହାର ହିସାବ ହୁଏ। ତେଣୁ CAFE-3 ଲାଗୁ ହେବା ପରେ ପ୍ରତ୍ୟେକ ପେଟ୍ରୋଲ କିମ୍ବା ଡିଜେଲ୍ କାର୍ ୨୫ କିମ୍ବା ୩୦ କିମି ମାଇଲେଜ୍ ଦେବା ଅନିବାର୍ଯ୍ୟ ନୁହେଁ। ବରଂ କମ୍ପାନୀର ସମସ୍ତ ବିକ୍ରି ହୋଇଥିବା ଗାଡ଼ିର ମୋଟ ହାରାହାରି ମାଇଲେଜ୍ ଓ ନିର୍ଗମନ ସରକାର ଧାର୍ଯ୍ୟ କରିଥିବା ସୀମା ମଧ୍ୟରେ ରହିବା ଆବଶ୍ୟକ।