ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସମେତ ଦେଶର ଉତ୍ତର ପଶ୍ଚିମ ଅଞ୍ଚଳରୁ ମୌସୁମୀ ବିଦାୟ ନେଇ ସାରିଛି । କିନ୍ତୁ କିଛି କିଛି ଝିପିଝିପି ବର୍ଷା ଜାରି ରହିଛି । ଏହାରି ଭିତରେ ଭାରତୀୟ ପାଣିପାଗ ବିଭାଗ କହିଛି ଯେ, ରାଜସ୍ଥାନରୁ ବେଙ୍ଗଲ ପର୍ଯ୍ୟନ୍ତ ଆହୁରି କିଛି ଦିନ ଝିପିଝିପି ବର୍ଷା ଓ ମେଘୁଆ ପାଗ ରହିବ । ଆଇଏମଡିର ସଦ୍ୟ ବୁଲେଟିନରେ ଜଣାଇଛି ଯେ, ଉତ୍ତର ଆଣ୍ଡାମାନ ସାଗର ଓ ତାହାକୁ ସଂଲଗ୍ନ ମ୍ୟାଁମାର ଉପକୂଳରେ ସୃଷ୍ଟି ହୋଇଥିବା ଏକ 'ଅବପାତ' ଏବଂ ଉତ୍ତର-ପଶ୍ଚିମ ଭାରତରେ ସକ୍ରିୟ 'ପଶ୍ଚିମା ଝଡ଼' ପ୍ରଭାବରେ ଦେଶର ଅନେକ ଭାଗରେ ବର୍ଷା ସହିତ ଘୂର୍ଣ୍ଣିଝଡ଼, ବିଜୁଳି, ଘଡ଼ଘଡ଼ି ଓ ପ୍ରବଳ ପବନ ଜାରି ରହିବ ।

ଆଇଏମଡି ଅନୁଯାୟୀ, ଉତ୍ତର ଆଣ୍ଡାମାନ ସାଗର ଓ ମ୍ୟାଁମାର ଉପକୂଳ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ସେପ୍ଟେମ୍ବର ୨୮ ସକାଳେ 'ଅବପାତ'ରେ ପରିଣତ ହୋଇଛି । ଏହା ସେପ୍ଟେମ୍ବର ୨୮ ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ଆହୁରି ଘନୀଭୂତ ହୋଇ 'ଗଭୀର ଅବପାତ' ରୂପ ନେଇ ୟାଙ୍ଗୁନ୍ ଓ କ୍ୟାଇକଟୋ ମଧ୍ୟରେ ମ୍ୟାଁମାର ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ସେପ୍ଟେମ୍ବର ୨୮ ଓ ୨୯ରେ ଆଣ୍ଡାମାନ ଦ୍ୱୀପପୁଞ୍ଜରେ ପ୍ରବଳ ବର୍ଷା ଏବଂ ଘଣ୍ଟାପ୍ରତି ୫୦ରୁ ୬୦ କିମି (ପବନର ଝଟକା ୭୦ରୁ ୭୫ କିମି ପର୍ଯ୍ୟନ୍ତ) ବେଗରେ ପବନ ବହିବାର ପୂର୍ବାନୁମାନ କରାଯାଇଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଆଣ୍ଡାମାନ ସାଗର, ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ମ୍ୟାଁମାର ଓ ବାଂଲାଦେଶ ଉପକୂଳକୁ ନଯିବା ପାଇଁ କଡ଼ା ଚେତାବନୀ ଦିଆଯାଇଛି ।

ସେହିପରି ନିମ୍ନ ବାୟୁମଣ୍ଡଳୀୟ ସ୍ତରରେ ଉତ୍ତର-ପଶ୍ଚିମ ଉତ୍ତର ପ୍ରଦେଶ ଓ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ଅଛି । ଏହା ବ୍ୟତୀତ ମଧ୍ୟ ଉତ୍ତର ପ୍ରଦେଶର ଉତ୍ତର ଭାଗରେ ମଧ୍ୟ ଏକ ଲଘୁଚାପ କ୍ଷେତ୍ର ଏବେ ବି ବଜାୟ ରହିଛି, ଯଦିଓ ଏହା ଦୁର୍ବଳ ହୋଇଛି । ପଶ୍ଚିମା ଝଡ଼ ହେତୁ ଜମ୍ମୁ-କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା ଓ ଚଣ୍ଡୀଗଡ଼ରେ ମଧ୍ୟମରୁ ପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ହେବାର ପୂର୍ବାନୁମାନ କରାଯାଇଛି । ଏହାସହ ପାଣିପାଗ ବିଭାଗ ପାର୍ବତ୍ୟ ରାଜ୍ୟ ହିମାଚଳ ପ୍ରଦେଶରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅନୁମାନ କରିଛି ।

ସ୍କାଇମେଟ୍ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ଗତ ସପ୍ତାହ ଶେଷରେ ପଶ୍ଚିମା ଝଡ଼ ଉତ୍ତର ପାହାଡ଼ ଦେଇ ଗତି କରିଥିଲା । ଏହି ସିଷ୍ଟମର ପ୍ରଭାବ ଏବେ ବି ସେହି ଅଞ୍ଚଳରେ ରହିଛି ଏବଂ ଏହା ପଛକୁ ଉପରିସ୍ଥ ବାୟୁମଣ୍ଡଳର ଆଉ ଏକ ଟ୍ରଫ୍ ଆସୁଛି । ରିପୋର୍ଟରେ କୁହାଯାଇଛି ଯେ ଏହିସବୁ ପାଣିପାଗ ସ୍ଥିତି ଯୋଗୁଁ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ମଧ୍ୟମ ଓ ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ ଏହି ଋତୁର ପ୍ରଥମ ତୁଷାରପାତ ହୋଇଛି ।

କିନ୍ନୌର ଅଞ୍ଚଳରେ ସିଜିନ୍ର ପ୍ରଥମ ବରଫପାତ ହୋଇଛି । ତିବ୍ବତ ସୀମା ନିକଟରେ ଥିବା ପ୍ରାୟ ଶେଷ ଗାଁ 'କୁନୋ-ଚିରାଙ୍ଗ' ବରଫର ଚାଦରରେ ଢାଙ୍କି ହୋଇଯାଇଛି । ୧୨,୦୦୦ରୁ ୧୪,୦୦୦ ଫୁଟ ଉଚ୍ଚତାରେ ଥିବା ଲାହୌଲ ଓ ସ୍ପିତି ଉପତ୍ୟକା ମଧ୍ୟ ପ୍ରଥମ ତୁଷାରପାତ ହୋଇଛି । ଧଳା ହୋଇଯାଇଛି । ଡୁମଟି ଯାଉଥିବା ରାସ୍ତାରେ ଥିବା ଚିତକୁଲ୍ରେ ଋତୁର ପ୍ରାରମ୍ଭରେ ହିଁ ପ୍ରାୟ ୩ ଇଞ୍ଚ ବରଫପାତ ହୋଇଛି।

ପାଣିପାଗ ବିଭାଗ କହିଛି ଯେ, ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୪ ମଧ୍ୟରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ, ସେପ୍ଟେମ୍ବର ୨୮ରୁ ଅକ୍ଟୋବର ୪ ମଧ୍ୟରେ ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଉପ-ହିମାଳୟ ପଶ୍ଚିମବଙ୍ଗ ଓ ସିକ୍କିମରେ ଏବଂ ସେପ୍ଟେମ୍ବରରୁ ୨୮ ଅକ୍ଟୋବର ୧ ମଧ୍ୟରେ ବିହାରରେ କେତେକ ସ୍ଥାନରେ ବର୍ଷା ସହ କାଳବୈଶାଖୀ ଓ ବିଜୁଳି ମାରିବାର ସମ୍ଭାବନା ରହିଛି ।