କାମାକ୍ଷାନଗର ୧୯।୩: ଘଞ୍ଚ ଜଙ୍ଗଲ । ବୁଦାମୂଳେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ । ଦେହରେ ଅଛି କଲେଜ ୟୁନିଫର୍ମ । ପରୀକ୍ଷା ଦେବାକୁ ଯାଇଥିଲେ । ଆଉ ଘରକୁ ଫେରିଲେନି । ମିଳିଲା ଛାତ୍ରୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ । ପାଖରେ ପଡ଼ିଥିଲା କଲେଜ ବ୍ୟାଗ୍ । ଢେଙ୍କାନାଳ ଜିଲ୍ଲା ସାରୁଆଳି ଗ୍ରାମ୍ୟ ଜଙ୍ଗଲରେ ଛାତ୍ରୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ପାରିପାର୍ଶ୍ବିକ ସ୍ଥିତିରୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପହଞ୍ଚି ଢେଙ୍କାନାଳ ଏସ୍ପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ୍ୟ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । ମୃତ ଛାତ୍ରୀ ଜଣଙ୍କ କାମାକ୍ଷାନଗର ଥାନା ଅନ୍ତର୍ଗତ ଏକ ଗାଁର ହୋଇଥିବା ସୂଚନା ରହିଛି । ସେ କାମାକ୍ଷାନଗର ମହିଳା ମହାବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀ ଥିଲେ । ଛାତ୍ରୀ ଜଣଙ୍କ ବୁଧବାର କଲେଜରେ ଗୋଟିଏ ସିଟିଂ ପରୀକ୍ଷା ସାରି ଆଉ ଘରକୁ ଫେରିନଥିଲେ । ଘର ଲୋକ ବହୁ ଖୋଜାଖୋଜି କରିଥିଲେ । ହେଲେ ଛାତ୍ରୀ ଜଣଙ୍କର କୌଣସି ପତ୍ତା ମିଳିନଥିଲା ।

Also Read: SCB Tragedy: ଟ୍ରମା ଆଇସିୟୁରେ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍‌ର ଯାଞ୍ଚ, ସ୍ଥିତି ଅନୁଧ୍ୟାନ କରୁଛନ୍ତି ଉନ୍ନୟନ କମିଶନର

ତେବେ ଗୁରୁବାର ଛାତ୍ରୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ସାରୁଆଳି ଗ୍ରାମ୍ୟ ଜଙ୍ଗଲରେ ପଡିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି କଲେଜ ବ୍ୟାଗ୍ ସହ ଛାତ୍ରୀଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଢେଙ୍କାନାଳ ଏସ୍ପି ପହଞ୍ଚି ତଦନ୍ତ କରୁଛନ୍ତି । ଏହାକୁ ଗୁରୁତ୍ବର ସହ ନେଇ ସନ୍ଧାନୀ କୁକୁର ଓ ଜିଲ୍ଲା ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଚଳାଇଥିବା ଜଣାପଡିଛି ।