କଟକ ୧୯।୩: କଟକ SCB ଟ୍ରମା ଆଇସିୟୁ ଅଗ୍ନିକାଣ୍ଡ ଘଟଣାର କାରଣ ଖୋଜିଲେ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ । କିନ୍ତୁ କ୍ୟାମେରା ଆଗରେ ଧାଡ଼ିଏ କହିଲେନାହିଁ ଟିମ୍ ସଦସ୍ୟ । ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂଙ୍କ ନେତୃତ୍ୱରେ ଏହି ଟିମ୍ ଆଜି ଏସସିବି ମେଡିକାଲ ପରିସରରେ ପହଞ୍ଚିଥିଲେ । ପ୍ରଥମେ ଟ୍ରମା ଆଇସିୟୁ ବୁଲି ଦେଖିବା ପରେ ଅନ୍ୟ ବିଭାଗ ଗୁଡିକର ନିରୀକ୍ଷଣ କରିଛି ଟିମ୍ । ହେଲେ କ୍ୟାମେରା ଆଗରେ ଧାଡ଼ିଏ ବି କହିଲେ ନାହିଁ ଉନ୍ନୟନ କମିଶନର । ସେପଟେ କିନ୍ତୁ ଅଗ୍ନିଶମ ଆଇଜି ଉମାଶଙ୍କର ଦାସ କହିଛନ୍ତି, ତଦନ୍ତ ଚାଲିଛି, କିଛି କହିବାଟା ଠିକ୍ ହେବନାହିଁ ।

SCB ଟ୍ରମା କେୟାର ଆଇସିୟୁ ଅଗ୍ନିକାଣ୍ଡ ଯୋଗୁଁ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ବୁଧବାର ବିଧାନସଭାରେ ଖୁବ୍ ହୋହଲ୍ଲା କରିଛନ୍ତି ବିରୋଧୀ ।  କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୪ ଜଣ ସରକାରୀ ଅଧିକାରୀଙ୍କୁ ସସ୍‌ପେଣ୍ଡ କରିଛନ୍ତି ସରକାର । ହେଲେ ଏହା କୌଣସି ପ୍ରତିକାର ନୁହେଁ ବୋଲି କହିଛନ୍ତି ନବ ନିଯୁକ୍ତ ରାଜ୍ୟସଭା ସଦସ୍ୟ ଡଃ ସଂତୃପ୍ତ ମିଶ୍ର । ଗୁରୁବାର ଘଟଣାସ୍ଥଳରେ ପହଞ୍ଚି ରାଜ୍ୟ ସରକାରଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି ସଂତୃପ୍ତ । କିଛି ତଳିଆ କର୍ମଚାରୀ ବା ଅଧିକାରୀଙ୍କୁ ସସ୍‌ପେଣ୍ଡ କରି ସରକାର ନିଜ ଉତ୍ତରଦାୟିତ୍ୱରୁ ଖସି ପାରିବେନି ବୋଲି ସେ କହିଛନ୍ତି । ଏପରିକି ରାଜ୍ୟ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲା ଭଳି, ସାଂସଦ ସଂତୃପ୍ତ କହିଛନ୍ତି କି, ସତ ସାହସ ଥିଲେ, ସ୍ୱାସ୍ଥ୍ୟ ମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ, ଏସ୍‌ସିବି କର୍ତ୍ତୃପକ୍ଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ସରକାର ନିଜ ଦାୟିତ୍ୱ ବୋଧତାର ପରିଚୟ ଦିଅନ୍ତୁ । ତେଣେ ଏସ୍‌ସିବି ଟ୍ରାଜେଡି ଏବଂ ପରବର୍ତ୍ତୀ କାଳୀନ ପଦକ୍ଷେପକୁ ନେଇ ସାଧାରଣରେ ମଧ୍ୟ ସମାଲୋଚନାର ସ୍ୱର ଉଠିଲାଣି ।

Also Read: ଏକା ରହୁଥିଲେ ଦମ୍ପତ୍ତି… ସୁଯୋଗ ଦେଖି ଘରେ ପଶିଲେ, କଳାକନା ବୁଲାଇ ଛୁ ମାରିଲେ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସସ୍‌ପେଣ୍ଡ ହୋଇଥିବା ୪ ଜଣ ଅଧିକାରୀ ହେଲେ କଟକ ସର୍କଲର ଡେପୁଟି ଫାୟାର ଅଫିସର ପ୍ରକାଶ କୁମାର ଜେନା, କଟକ ସର୍କଲର ଆସିଷ୍ଟାଣ୍ଟ ଫାୟାର ଅଫିସର ସଂଜୀବ କୁମାର ବେହେରା, SCB ମେଡିକାଲ କଲେଜ ଓ ହସ୍ପିଟାଲର ଷ୍ଟେସନ ଅଫିସର ଅଭିନବ ପୃଷ୍ଟି ଏବଂ କଟକ GED ଅନ୍ତର୍ଗତ SCB ସବ୍ ଡିଭିଜନ ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ଇଂଜିନିୟର ରଞ୍ଜନ କୁମାର ବିଶ୍ବାଳ । ଉନ୍ନୟନ କମିଶନରଙ୍କ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟରେ ଅବହେଳା କରିଥିବା ଏହି ଅଧିକାରୀମାନଙ୍କୁ ସସ୍‌ପେଣ୍ଡ କରାଯାଇଛି ।