ମୁମ୍ବାଇ ,୧୪ / ୧୧ -; ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କ ମୁମ୍ବାଇ ସ୍ଥିତ ପ୍ରସିଦ୍ଧ ବଙ୍ଗଳା ‘ଜଲସା’କୁ ନେଇ ସାମ୍ନାକୁ ଆସିଛି ପାରିବାରିକ ସମ୍ପତ୍ତି ବିବାଦ। ଅମିତାଭଙ୍କ ଭାଇ ଅଜିତାଭ ବଚ୍ଚନଙ୍କ ପତ୍ନୀ ରାମୋଲା ବଚ୍ଚନ ୧୯୯୩ ମସିହାର ଏକ ଗିଫ୍ଟ ଡିଡ୍କୁ ଚ୍ୟାଲେଞ୍ଜ୍ କରିଛନ୍ତି। ଏହି ଦଲିଲ ମାଧ୍ୟମରେ ଜଲସା ବଙ୍ଗଳାର ମାଲିକାନା ଅଭିନେତ୍ରୀ ଜୟା ବଚ୍ଚନଙ୍କ ନାମକୁ ହସ୍ତାନ୍ତର ହୋଇଥିବା କୁହାଯାଉଛି। ତେବେ ଏହି ସମ୍ପତ୍ତି ହସ୍ତାନ୍ତର ସମ୍ପର୍କରେ ତାଙ୍କୁ ଜଣାଯାଇନଥିଲା କିମ୍ବା ତାଙ୍କ ସହମତି ନିଆଯାଇନଥିଲା ବୋଲି ରାମୋଲା ଅଭିଯୋଗ କରିଛନ୍ତି।ଏହି ମାମଲା ଏବେ ମୁମ୍ବାଇର ଅନ୍ଧେରୀସ୍ଥିତ ସମବାୟ ସମିତିର ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି। ଗତ ସାତ ମାସ ମଧ୍ୟରେ ରାମୋଲା ଏକାଧିକ ଅଭିଯୋଗ କରିବା ପରେ ଏହାର ଶୁଣାଣି ଆରମ୍ଭ ହୋଇଛି। ଏହି ମାମଲାରେ ସମ୍ପୃକ୍ତ ପକ୍ଷମାନଙ୍କୁ ନିଜ ନିଜର ପକ୍ଷ ରଖିବାକୁ କୁହାଯାଇଛି।

ବିବାଦର ମୁଖ୍ୟ କାରଣ ହେଉଛି ସମ୍ପତ୍ତିର ମାଲିକାନା ସମ୍ପର୍କିତ ସରକାରୀ ରେକର୍ଡରେ ଥିବା ଅସଙ୍ଗତି। କପୋଲ ହାଉସିଂ ସୋସାଇଟିର ରେକର୍ଡରେ ଜୟା ବଚ୍ଚନଙ୍କୁ ଜଲସାର ମାଲିକ ଭାବେ ଦର୍ଶାଯାଇଥିବା ବେଳେ ମହାରାଷ୍ଟ୍ର ସରକାରଙ୍କ ପ୍ରପର୍ଟି କାର୍ଡରେ ଏବେ ବି ରାମୋଲାଙ୍କ ନାମ ରହିଥିବା ଜଣାପଡ଼ିଛି। ସରକାରୀ ରେକର୍ଡରୁ ରାମୋଲାଙ୍କ ନାମ ହଟାଇ ଜୟାଙ୍କ ନାମ ଯୋଡ଼ିବାକୁ ଉଦ୍ୟମ ହେବା ପରେ ଏହି ବିବାଦ ପୁଣି ଥରେ ସାମ୍ନାକୁ ଆସିଥିଲା।

ରାମୋଲାଙ୍କ ଅଭିଯୋଗ ଅନୁସାରେ, ଜଲସା ବଙ୍ଗଳା ପ୍ରଥମେ ତାଙ୍କ ନାମରେ ପଞ୍ଜୀକୃତ ହୋଇଥିଲା। ପରେ ୧୯୯୩ ମସିହାରେ ଏକ ଗିଫ୍ଟ ଡିଡ୍ ଜରିଆରେ ଏହାକୁ ଜୟା ବଚ୍ଚନଙ୍କ ନାମକୁ ହସ୍ତାନ୍ତର କରାଯାଇଥିଲା। ତେବେ ଏହି ଦଲିଲ କିପରି ପ୍ରସ୍ତୁତ ହୋଇଥିଲା, ତାହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ଏହି ଦଲିଲ ସାଧା କାଗଜରେ ପ୍ରସ୍ତୁତ ହୋଇଥିଲା, ସେତେବେଳେ ଷ୍ଟାମ୍ପ ଡ୍ୟୁଟି ଦିଆଯାଇନଥିଲା ଏବଂ ଏଥିରେ ସାକ୍ଷୀଙ୍କ ଦସ୍ତଖତ ମଧ୍ୟ ନଥିଲା। ଏହାବ୍ୟତୀତ, ପରବର୍ତ୍ତୀ ସମୟରେ ମହାରାଷ୍ଟ୍ର ସରକାରଙ୍କ ‘ଅଭୟ ଯୋଜନା’ ଅଧୀନରେ ଏହି ଦଲିଲର ପଞ୍ଜୀକରଣ ଓ ନିୟମିତକରଣ କିପରି କରାଗଲା, ସେ ନେଇ ମଧ୍ୟ ରାମୋଲା ପ୍ରଶ୍ନ ଉଠାଇଛନ୍ତି।

ଏହି ଅଭିଯୋଗ ସମ୍ପର୍କରେ ଉପନିବନ୍ଧକ ଫୈୟାଜ ମୁଲାନି ନିଶ୍ଚିତ କରିଛନ୍ତି ଯେ, କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ପହଞ୍ଚିଛି ଏବଂ ଏହାର ଶୁଣାଣି ଆରମ୍ଭ ହୋଇଛି। ସମ୍ପୃକ୍ତ ପକ୍ଷମାନଙ୍କୁ ନିଜ ନିଜର ଜବାବ ଦାଖଲ କରିବାକୁ କୁହାଯାଇଛି। ତେବେ ସମ୍ପତ୍ତିର ମାଲିକାନା ଓ ବିବାଦୀୟ ଗିଫ୍ଟ ଡିଡ୍ର ବୈଧତାକୁ ନେଇ ଏଯାଏଁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ଆସିନାହିଁ।

ଅନ୍ୟପଟେ, ଏହି ପ୍ରସଙ୍ଗରେ ଅମିତାଭ ବଚ୍ଚନଙ୍କୁ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ଜବାବ ଦେଇନାହାନ୍ତି। ଜୟା ବଚ୍ଚନଙ୍କ ସହ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇନଥିଲା। ସେହିପରି ଅଭିଷେକ ବଚ୍ଚନଙ୍କ ମୁଖପାତ୍ର ଏହାକୁ ପରିବାରର ଆଭ୍ୟନ୍ତରୀଣ ବିଷୟ ବୋଲି କହି ମନ୍ତବ୍ୟ ଦେବାକୁ ମନା କରିଛନ୍ତି।

also read- ହୁମା କ୍ୟୁରେଶୀଙ୍କୁ ସମୟ ରୈନାଙ୍କ କଟାକ୍ଷ, ‘ଟକ୍ସିକ୍’ ଫିଲ୍ମକୁ ନେଇ ଶୋ’ରେ ଜମିଲା ମଜାଦାର କଥା କଟାକଟି

ଉଲ୍ଲେଖଯୋଗ୍ୟ, ମୁମ୍ବାଇର ଜୁହୁ ଅଞ୍ଚଳରେ ଥିବା ‘ଜଲସା’ ବଙ୍ଗଳା ଅମିତାଭ ବଚ୍ଚନଙ୍କ ସବୁଠାରୁ ପରିଚିତ ବାସଭବନ ମଧ୍ୟରୁ ଅନ୍ୟତମ। ପ୍ରତି ରବିବାର ଏହି ବଙ୍ଗଳା ବାହାରେ ଏକାଠି ହେଉଥିବା ପ୍ରଶଂସକଙ୍କୁ ଅମିତାଭ ଅଭିବାଦନ ଜଣାଇବାର ପରମ୍ପରା ମଧ୍ୟ ଦୀର୍ଘ ବର୍ଷ ଧରି ଚର୍ଚ୍ଚାରେ ରହିଆସିଛି। ଏବେ ଏହି ପ୍ରସିଦ୍ଧ ବଙ୍ଗଳାକୁ ନେଇ ଉଠିଥିବା ମାଲିକାନା ବିବାଦ ଉପରେ ସମସ୍ତଙ୍କ ନଜର ରହିଛି।