ମୁମ୍ଵାଇ ୧୪।୧୧:ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦର ଏବଂ ଉଦ୍ୟୋଗୀ ତଥା ସନରାଇଜର୍ସ ହାଇଦ୍ରାବାଦର ମାଲିକାଣି କାବ୍ୟା ମାରନ୍ ନଭେମ୍ବର ୧୧ ତାରିଖରେ ଗ୍ରୀସରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହି ବିବାହ ଉତ୍ସବରେ ସୁପରଷ୍ଟାର ରଜନୀକାନ୍ତ ଏବଂ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ୍ ଉପସ୍ଥିତ ଥିଲେ। ସେମାନଙ୍କ ବିବାହର ଏକ ଉଲ୍ଲେଖନୀୟ ବିଷୟ ହେଉଛି ଯେ, ପାରମ୍ପରିକ ଧାର୍ମିକ ରୀତିନୀତି ପାଳନ କରିବା ପରିବର୍ତ୍ତେ, ଏହି ଦମ୍ପତି 'ଆତ୍ମସମ୍ମାନ ବିବାହ' (ସୁୟମରିୟାଥାଇ ତିରୁମାନମ୍) ପଦ୍ଧତିକୁ ବାଛିଥିଲେ। ଡିଏମକେ ଆଇଟି ବିଭାଗର ସମ୍ପାଦକ ଡ. ଟି.ଆର୍.ବି. ରାଜା ମଧ୍ୟ ନିଶ୍ଚିତ କରିଛନ୍ତି ଯେ, ଏହି ଦମ୍ପତି 'ଆତ୍ମସମ୍ମାନ ବିବାହ' ବା ‘ସେଲ୍ଫ ରେସପେକ୍ଟ ମ୍ୟାରେଜ’ କୁ ହିଁ ପସନ୍ଦ କରିଥିଲେ।

ଡ. ଟି.ଆର୍.ବି. ରାଜା ସୋସିଆଲ୍ ମିଡିଆ ପ୍ଲାଟଫର୍ମ'ଏକ୍ସ' ରେ ଜଣାଇଛନ୍ତି ଯେ, ପରିବାରବର୍ଗ ଓ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଅନିରୁଦ୍ଧ ଏବଂ କାବ୍ୟା ପରସ୍ପରକୁ ବରଣମାଳା ପିନ୍ଧାଇଛନ୍ତି। ତେବେ ଆସନ୍ତୁ ଜାଣିବା, ଏହି 'ଆତ୍ମସମ୍ମାନ ବିବାହ' ବା (self-respect marriage) ପ୍ରକୃତରେ କ’ଣ? ତାମିଲ୍ ଭାଷାରେ'ଆତ୍ମ-ସମ୍ମାନ ବିବାହ'କୁ 'ସୁୟମରିୟାଥାଇ ତିରୁମାନମ୍' (Suyamariyathai Thirumanam) ବୋଲି କୁହାଯାଏ। ଏହାର ଉତ୍ପତ୍ତି ତାମିଲନାଡୁରେ ହୋଇଥିଲା ଏବଂ ଏହା ସାମାଜିକ ସଂସ୍କାରକ ପେରିୟାର ଇ. ଭି. ରାମାସ୍ବାମୀଙ୍କ ନେତୃତ୍ୱରେ ପରିଚାଳିତ 'ଆତ୍ମ-ସମ୍ମାନ ଆନ୍ଦୋଳନ'ର ଏକ ଅଂଶ ଥିଲା। ଏହି ଆନ୍ଦୋଳନର ଲକ୍ଷ୍ୟ ଥିଲା ଜାତିଭିତ୍ତିକ ଭେଦଭାବ, ସାମାଜିକ ଉଚ୍ଚନିଚ୍ଚ ଏବଂ ପୁରୁଷପ୍ରଧାନ ପରମ୍ପରାକୁ ଚ୍ୟାଲେଞ୍ଜ କରିବା। ଏହା ବ୍ୟତୀତ, ସମାଜରେ ସମାନତା ଏବଂ ବ୍ୟକ୍ତିଗତ ମର୍ଯ୍ୟାଦାକୁ ପ୍ରୋତ୍ସାହିତ କରିବା ମଧ୍ୟ ଏହାର ଏକ ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ପୂରୋହିତଙ୍କ ବିନା ହୁଏ'ଆତ୍ମ-ସମ୍ମାନ ବିବାହ' (Self-Respect Marriages):

ପାରମ୍ପରିକ ହିନ୍ଦୁ ବିବାହ ଠାରୁ ଭିନ୍ନ, ଏହି ବିବାହରେ କୌଣସି ପୁରୋହିତ, ମନ୍ତ୍ର ଉଚ୍ଚାରଣ କିମ୍ବା କୌଣସି ଧାର୍ମିକ ରୀତିନୀତିର ଆବଶ୍ୟକତା ନଥାଏ। ଏଥିରେ ବର ଓ କନ୍ୟା ପରିବାରବର୍ଗ, ବନ୍ଧୁବାନ୍ଧବ କିମ୍ବା ସାକ୍ଷୀମାନଙ୍କ ଉପସ୍ଥିତିରେ ପରସ୍ପରକୁ ମାଳା, ମୁଦି କିମ୍ବା ଚେନ୍ (ହାର) ପ୍ରଦାନ କରିପାରନ୍ତି, ଯାହା ସେମାନଙ୍କ ମିଳନର ପ୍ରତୀକ ଅଟେ। ଧାର୍ମିକ ପରମ୍ପରା ଅପେକ୍ଷା, ଏହି ବିବାହରେ ଦମ୍ପତିଙ୍କ ମଧ୍ୟରେ ପାରସ୍ପରିକ ସହମତି, ସମାନତା ଏବଂ ସମ୍ମାନକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ।