ନୂଆଦିଲ୍ଲୀ: କ୍ଷୀର, ପନିର ଓ ଦହି ଭଳି ଦୁଗ୍ଧ ଜାତୀୟ ସମଗ୍ରୀରେ ଅପମିଶ୍ରଣ ଓ ନକଲି ପ୍ରଡକ୍ଟ ନେଇ ଅନେକ ସମୟରେ ଅଭିଯୋଗ ହୋଇଆସୁଛି। ଲୋକେ ହକ୍ ପଇସା ଦେଇ ନକଲି ପ୍ରଡକ୍ଟ କିଣି ରୋଗରେ ପଡ଼ୁଛନ୍ତି। ଏହାକୁ ରୋକିବାକୁ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ(ଏଫ୍ଏସଏସଆଇ) ଯଦିଓ ସମୟ ସମୟରେ ଚଢ଼ାଉ ଜାରି ରଖିଛି, ତଥାପି ନକଲି ରୋକିବା ସମ୍ଭବ ହେଉ ନାହିଁ। ତେଣୁ ଏଫ୍ଏସଏସଆଇ ଏଥର ଏକ ନୂଆ ଶୈଳୀ ଆପଣାଇଛି। ଏଣିକି ଦୁଗ୍ଧ ଓ ଏଥିରୁ ତିଆରି ସମସ୍ତ ସାମଗ୍ରୀ ଉପରେ ଏକ ନୂଆ ଲୋଗୋ ଲାଗିବ। ଯାହାଦ୍ୱାରା ଅସଲି କ୍ଷୀର ସହଜରେ ଜଣାପଡିବ। ଏଫ୍ଏସଏସଆଇ ପକ୍ଷରୁ ଏନେଇ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସୂଚନା ଦିଆଯାଇଛି।

Also Read- ପାର୍ବଣ ଋତୁରେ ଝଟକା ! ନଭେମ୍ବର ୧୨ରୁ ମହଙ୍ଗା ହେବ କ୍ଷୀର, ମଦର ଡାଏରୀ ପରେ ଅମୁଲ ବଢାଇଲା ଦାମ

କ୍ଷୀର ଓ ତତସମ୍ପର୍କିତ ଉତ୍ପାଦ ପାଇଁ ଏଫ୍ଏସଏସଆଇ ଏକ ନୂଆ ଲୋଗୋ ଜାରି କରିଛି। ଲୋଗୋଟି ଏକ ଚାରିକଣିଆ ବ୍ଲୁ ବ୍ୟାକଗ୍ରାଉଣ୍ଡ ଭିତରେ ଏକ ବୁନ୍ଦା କ୍ଷୀର ଝରିପଡ଼ିବା ସ୍ଥିତିରେ ରହିଥିବା ଦେଖିବାକୁ ମିଳିଛି। ଯେଉଁ କ୍ଷୀର କିମ୍ବା ଡାଏରୀ ପ୍ରଡକ୍ଟର ପ୍ୟାକେଟ୍ କିମ୍ବା ଡବା ଉପରେ ଏହି ଲୋଗୋ ଲାଗିଥିବ, ଏହା ଅସଲି ବୋଲି ଗ୍ରାହକ ଜାଣିବେ। ଅସଲି ଉତ୍ପାଦକୁ ସହଜରେ ଚିହ୍ନଟ କରିବା ପାଇଁ ଏଫ୍ଏସଏସଆ ଏହି ନିଷ୍ପତ୍ତି ନେଇଛି।

ଖାଦ୍ୟ ସୁରକ୍ଷା ଏବଂ ମାନକ (ଲେବେଲିଂ ଏବଂ ପ୍ରଦର୍ଶନ) ଦ୍ୱିତୀୟ ସଂଶୋଧନ ନିୟମାବଳୀ, ୨୦୨୬ ଅନୁଯାୟୀ, କ୍ଷୀର କିମ୍ବା ସମସ୍ତ କ୍ଷୀରଜାତ ଦ୍ରବ୍ୟ ଉପରେ ଏହି ଲୋଗୋ ଲାଗିବା ବାଧ୍ୟତାମୂଳକ ହେବ।୨୦୨୮ ଜୁଲାଇ ୧ ତାରିଖରୁ ଏହି ନୂଆ ସଂଶୋଧନ ଲାଗୁ ହେବ ବୋଲି ଏଫ୍ଏସଏସଆଇ କହିଛି।

ଲୋଗୋର ସାଇଜ୍ ନେଇ କଣ କହିଲା ଏଫ୍ଏସଏସ୍ଆଇ ?

କ୍ଷୀର ଓ ତତ୍ସମ୍ପର୍କିତ ସାମଗ୍ରୀର ଚିହ୍ନଟ ପାଇଁ ଗ୍ରାହକଙ୍କୁ ସହଯୋଗ କରିବାକୁ ଏହି ଲୋଗୋକୁ ଗୋଟିଏ ରୂପରେ ଡିଜାଇନ କରାଯାଇଛି। ଏହାର କୌଣସି ନିର୍ଦ୍ଦିଷ୍ଟ ସାଇଜ ରହିବ ନାହିଁ। ପ୍ରଡକ୍ଟ ପ୍ୟାକେଟର ସାଇଜ ଅନୁସାରେ ଏହି ଲୋଗୋଟି ଛୋଟ କିମ୍ବା ବଡ଼ ହୋଇପାରେ। ତେଣୁ ଲୋଗୋର ପ୍ରକୃତ ସାଇଜ କେତେ ରହିବା ଏହା ତାର ପ୍ୟାକେଟ୍ ସାଇଜ ଉପରେ ନିର୍ଭର କରିବ।