Dhanush may Join AIADMK:: ତାମିଲନାଡୁ ରାଜନୈତିକ ଦଳ ଏଆଇଏଡିଏମ୍‌କେ(AIADMK)ରେ ଯୋଗ ଦେଇପାରନ୍ତି ସିନେମା ସୁପର ଷ୍ଟାର ଧନୁଶ। ଅଭିନେତା ତାଙ୍କ ଅଫିସିଆଲ୍ ଫ୍ୟାନ କ୍ଲବର ନାଁ ପରିବର୍ତ୍ତନ କରି ଧନୁଶ ନରପାନୀ ଇୟକ୍କମ(ଧନୁଶ କଲ୍ୟାଣ ଆନ୍ଦୋଳନ) କରିବା ପରେ ଏହି ଚର୍ଚ୍ଚା ଜୋର ଧରିଛି। ଧୁନୁଶ ଏବେ ରାଜନୀତିକୁ ଓହ୍ଲାଇପାରନ୍ତି ବୋଲି ତାମିଲନାଡୁରେ ଜୋର୍‌ଦାର ଚର୍ଚ୍ଚା ହେଉଛି।

ଲୋକେ ଏଥିପାଇଁ ଚର୍ଚ୍ଚା କରୁଛନ୍ତି କାରଣ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଥିବା ଜୋସେଫ ବିଜୟ ମଧ୍ୟ ସମାନ ଢଙ୍ଗରେ ରାଜନୀତିକୁ ଆସିଥିଲେ। ସେ ୨୦୦୯ରେ ତାଙ୍କ ଫ୍ୟାନ୍ କ୍ଲବର ନାଁ ପରିବର୍ତ୍ତନ କରି ‘ଅଲ୍ ଇଣ୍ଡିଆ ଥାଲାପତି ବିଜୟ ମକ୍କଲ ଇୟକ୍କମ’ କରିଥିଲେ। ରାଜନୈତିରେ ପାଦ ଥାପିବାର ଏହା ଥିଲା ତାଙ୍କର ପ୍ରଥମ ପଦକ୍ଷେପ। ତେଣୁ ବର୍ତ୍ତମାନ ଧନୁଶ ଏପରି କରିବା ପରେ ତାଙ୍କ ରାଜନୀତିରେ ଏଣ୍ଟ୍ରି କରିବାର ଚର୍ଚ୍ଚା ହେବା ସ୍ୱାଭାବିକ। ହେଲେ ଏନେଇ ଧନୁଶଙ୍କ ପକ୍ଷରୁ କିନ୍ତୁ କୌଣସି ସୂଚନା ଦିଆଯାଇ ନାହିଁ। ତେଣୁ ବର୍ତ୍ତମାନ ଏହା କେବଳ ଏକ ଚର୍ଚ୍ଚା।

ଚର୍ଚ୍ଚାକୁ ଖୋରାକ ଯୋଗାଉଛି AIADMK ନେତାଙ୍କ ବୟାନ

ନିକଟରେ ଏଆଇଏଡିଏମ୍‌କେ ନେତା ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ବାଲାଜୀ ଧନୁଶଙ୍କର ଦଳରେ ଯୋଗ ଦେବା ନେଇ ସଂକେତ ଦେଇଥିଲେ। ଧନୁଶ ଏଆଇଏଡିଏମ୍‌କେକୁ ବାଛିପାରନ୍ତି ବୋଲି ସେ କହିଥିଲେ।

ନିକଟରେ ଶିବକାଶୀ ସ୍ଥିତ ବିରୁଦୁନଗର ପଶ୍ଚିମ ଜିଲ୍ଲାରେ ଥିବା ଏଆଇଏଡିଏମକେ (AIADMK) ମୁଖ୍ୟାଳୟରେ ଦଳର ୫୫ତମ ପ୍ରତିଷ୍ଠା ଦିବସ ଆୟୋଜିତ ହୋଇଥିଲା। ବୈଠକରେ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା ବେଳେ ବାଲାଜୀ ତାମିଲନାଡୁର ବର୍ତ୍ତମାନର ରାଜନୈତିକ ସ୍ଥିତି ବିଷୟରେ ଆଲୋଚନା କରିଥିଲେ। ଏହି ସମୟରେ ଅଭିନେତା ଧନୁଷଙ୍କ ରାଜନୀତିରେ ପ୍ରବେଶ ସମ୍ପର୍କରେ ସଂକେତ ଦେଇଥିଲେ।

Also Read- ସେନା ଅଧିକାରୀଙ୍କ ସ୍ତ୍ରୀଙ୍କୁ ଫସାଇଲେ ଚୀନର ଏଜେଣ୍ଟ, ସମ୍ୱେଦନଶୀଳ ତଥ୍ୟ ଲିକ୍: ମାମଲା ରୁଜୁ

 ଏହି ସମୟରେ ସେ କହିଥିଲେ ଦଳର ସେବା କରିବାକୁ ଆସୁଥିବା ଯେ କୌଣସି ବ୍ୟକ୍ତିଙ୍କୁ ସାମିଲ କରାଇବାର କ୍ଷମତା AIADMKର ସାଧାରଣ ସମ୍ପାଦକ ଏଡାପ୍ପାଡି ପଲାନିସ୍ୱାମୀଙ୍କ ପାଖରେ ରହିଛି। ଯଦି କେହି ଦଳୀୟ ଆନ୍ଦୋଳନର ବିକାଶରେ ଯୋଗଦାନ ଦିଅନ୍ତି, ତେବେ ପଲାନିସ୍ୱାମୀ ତାଙ୍କୁ ନିଶ୍ଚିତ ଦଳରେ ସାମିଲ କରିବେ। ଏହି ସମୟରେ ସେ କହିଥିଲେ ଯେ ଅଭିନେତା ଧନୁଷ ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ, ସିଏ ଯୁବବର୍ଗଙ୍କୁ ପ୍ରଭାତି କରିପାରିବେ। ଏଭଳି ଜଣେ ଲୋକପ୍ରିୟ ଅଭିନେତା ଦଳରେ ଯୋଗଦେଲେ ତାଙ୍କୁ ଖୋଲା ହୃଦୟରେ ସ୍ୱାଗତ କରିବୁ ବୋଲି କହିଥିଲେ ରାଜେନ୍ଦ୍ର ବାଲାଜୀ। ତେବେ ରାଜନୀତିରେ ଧନୁଶଙ୍କ ଏଣ୍ଟ୍ରି ନେଇ ବର୍ତ୍ତମାନ ଖାଲି ଚର୍ଚ୍ଚା ହେଉଛି। ପ୍ରକୃତରେ କଉଟା ସତ ତାହା ସମୟ କହିବ ବୋଲି ସେ କହିଛନ୍ତି।

ରାଜନୀତିରେ ଧନୁଶଙ୍କ ଏଣ୍ଟ୍ରି !

ନିଜର ରାଜନୈତିକ ଆକାଂକ୍ଷା ନେଇ ଧନୁଶ ଏପର୍ଯ୍ୟନ୍ତ କୌଣସି ଖୁଲାସା କରି ନାହାନ୍ତି। ତେବେ ତାଙ୍କ ସଂଗଠନର ନାଁ ପରିବର୍ତ୍ତନ କରିବା ନେଇ ଧନୁଷ ଫ୍ୟାନ୍ କ୍ଲବର ମୁଖ୍ୟ ସୁବ୍ରମଣ୍ୟମ ଶିବା କହିଛନ୍ତି ଯେ ତାଙ୍କ ସଂଗଠନ ଜନସେବା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ଚାହୁଁଛି। ତେଣୁ ସେହି ଉଦ୍ଦେଶ୍ୟରେ ଏହାର ନାମ ପରିବର୍ତ୍ତନ କରାଯାଇଛି। ଜାରି ରହିଥିବା କଲ୍ୟାଣକାରୀ କାର୍ଯ୍ୟଗୁଡ଼ିକ ବ୍ୟତୀତ ତାଙ୍କ ସଂଗଠନ ପୋଖରୀ ପୁନରୁଦ୍ଧାର, ରାସ୍ତା ମରାମତି ଏବଂ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଅଣ୍ଟା ଭିଡ଼ିଛି। ଫ୍ୟାନ କ୍ଲବ ପକ୍ଷରୁ ରକ୍ତଦାନ ଶିବିର ମଧ୍ୟ ଆୟୋଜନ ମଧ୍ୟ କରାଯାଉଛି।

ମିଳୁଥିବା ସଂକେତ ଅନୁସାରେ ଧନୁଶଙ୍କ ରାଜନୀତିରେ ପ୍ରବେଶ କରିବାରେ ଏହା ଆରମ୍ଭ ହୋଇପାରେ। ଜନସେବା ମାଧ୍ୟମରେ ଧନୁଶ ଲୋକଙ୍କ ମନ ଜିତିବେ ଓ ପରେ ଭୋଟ୍ ଜିତିବାକୁ ଚେଷ୍ଟା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଆଉ ଯଦି ଧନୁଶ ରାଜନୀତିରେ ଆସନ୍ତି ତେବେ ତାମିଲନାଡୁରେ ଦୁଇ ସୁପର ଷ୍ଟାର୍‌ଙ୍କର ଆଉ ପରଦା ଫାଇଟ୍ ନୁହେଁ ସିଂହାସନ ପାଇଁ ଫାଇଟ୍ ହେବ।