ନୂଆଦିଲ୍ଲୀ: ଜମ୍ମୁରେ ଜାତୀୟ ସୁରକ୍ଷା ସହ ଜଡ଼ିତ ଏକ ଅତ୍ୟନ୍ତ ସମ୍ୱେଦନଶୀଳ ମାମଲା ସୁରକ୍ଷା ଏଜେନ୍ସିଙ୍କ ଚିନ୍ତା ବଢ଼ାଇ ଦେଇଛନ୍ତି । ଜଣେ ବରିଷ୍ଠ ସେନା ଅଧିକାରୀଙ୍କ ପତ୍ନୀଙ୍କ ବିରୁଦ୍ଧରେ ସମ୍ୱେଦନଶୀଳ ତଥ୍ୟ ଚୀନ ନେଟୱାର୍କ ସହ ସେୟାର କରିଥିବା ଅଭିଯୋଗ ହୋଇଛି । ଜମ୍ମୁ କାଶ୍ମୀର ପୋଲିସ ଏନେଇ ଏକ ମାମଲା ରୁଜୁ କରିଛି ।

ସୂଚନା ଅନୁସାରେ ଚୀନ ଏଜେଣ୍ଟମାନେ ସେନା ଅଧିକାରୀଙ୍କ ସ୍ତ୍ରୀଙ୍କୁ ଏକାଡେମିକ୍ସ ପରିଚୟ ଦେଇ ଯୋଗାଯୋଗ କରିଥିଲେ । ଏଜେଣ୍ଟମାନେ ତାଙ୍କ ଲେଖା ପ୍ରକାଶ କରିବାର ପ୍ରତିଶ୍ରୁତି ଦେଇ ପ୍ରଲୋଭିତ କରିଥିଲେ ଏବଂ ଗୁପ୍ତ ସୂଚନା ସଂଗ୍ରହ କରୁଥିଲେ । ଗୁଇନ୍ଦା ସଂସ୍ଥାଗୁଡ଼ିକୁ ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା ଯେ ମହିଳାଙ୍କ ପାଖରେ ଜାତୀୟ ସୁରକ୍ଷା ସହିତ ଜଡିତ ସମ୍ବେଦନଶୀଳ ସୂଚନା, ଡକ୍ୟୁମେଣ୍ଟ, ଫଟୋଗ୍ରାଫ୍ ଏବଂ ଇଲେକ୍ଟ୍ରୋନିକ୍ ତଥ୍ୟ ଥିବା ସନ୍ଦେହ କରାଯାଉଛି । ତଦନ୍ତକାରୀ ସଂସ୍ଥାଗୁଡ଼ିକ ସନ୍ଦେହ କରୁଛନ୍ତି ଯେ ଏନକ୍ରିପ୍ଟେଡ୍ ଯୋଗାଯୋଗ ଚ୍ୟାନେଲ ମାଧ୍ୟମରେ ବିଦେଶରେ ଥିବା ବ୍ୟକ୍ତିବିଶେଷଙ୍କ ପାଖକୁ ଏପରି ସୂଚନା ପଠାଯାଉଥିଲା ।

ଏନଡିଟିଭି ରିପୋର୍ଟ ଅନୁସାରେ ଏହି ମାମଲାରେ ଜମ୍ମୁ ପୋଲିସ ବରିଷ୍ଠ ସେନା ଅଧିକାରୀଙ୍କ ପତ୍ନୀଙ୍କ ବିରୋଧରେ ମାମଲା ରୁଜୁ କରିଛି । ମହିଳା ଜଣକ ମୂଳତଃ ତେଲଙ୍ଗାନାର । ବର୍ତ୍ତମାନ ସେ ଜମ୍ମୁର ଗାନ୍ଧୀ ନଗର ପୋଲିସ ଷ୍ଟେସନ ଅଞ୍ଚଳରେ ରହୁଛନ୍ତି । ପୋଲିସ ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକର ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଚୀନ ଏଜେଣ୍ଟମାନେ ନିଜକୁ ଶିକ୍ଷାବିତ୍ ଏବଂ ଗବେଷକ ଭାବରେ ପରିଚୟ ଦେଇ ମହିଳାଙ୍କ ସହିତ ସଂପର୍କ ସ୍ଥାପନ କରିଥିଲେ । ସେମାନେ ପ୍ରଥମେ ପରିବେଶ ଏବଂ ଭୂରାଜନୀତି ଭଳି ବିଷୟ ଉପରେ ଲେଖା ଲେଖିବାକୁ କହିଥିଲେ । କିନ୍ତୁ ଧୀରେ ଧୀରେ ପ୍ରତିରକ୍ଷା ଏବଂ ରଣନୈତିକ ଭଳି ଗୁରୁତ୍ୱ ପ୍ରସଙ୍ଗରେ ଉପରେ ଆଲୋଚନାକୁ ବଢ଼ାଇଥିଲେ ।

Also Read: CJP ପ୍ରୋଟେଷ୍ଟ ସମୟରେ ଲାଗିଲା ‘ହିନ୍ଦୁତ୍ଵ ମୁର୍ଦାବାଦ’ର ନାରା ? ୩୦୦ କକରୋଚ୍ ବିରୋଧରେ FIR ରୁଜୁ

ଗାନ୍ଧୀ ନଗର ପୋଲିସ ଷ୍ଟେସନରେ ଏକ ଏଫ୍‌ଆଇଆର୍ ନମ୍ବର ୨୯୦/୨୦୨୬ ରୁଜୁ କରାଯାଇଛି । ମହିଳାଙ୍କ ବିରୁଦ୍ଧରେ ଅଫିସିଆଲ୍ ସିକ୍ରେଟ୍ ଆକ୍ଟ, ୧୯୨୩ର ଧାରା ୩ ଏବଂ ୫ ବ୍ୟତୀତ ଧାରା ୧୫୨ ଏବଂ ୬୧(୨) ଅନୁଯାୟୀ ଅଭିଯୋଗ କରାଯାଇଛି । ଅଫିସିଆଲ୍ ସିକ୍ରେଟ୍ ଆକ୍ଟର ଧାରା ୩ ଜାତୀୟ ସୁରକ୍ଷାକୁ ପ୍ରଭାବିତ କରୁଥିବା ସୂଚନା ସଂଗ୍ରହ ଏବଂ ଯୋଗାଯୋଗ ସହିତ ଜଡିତ ଏବଂ ଧାରା ୫ ସୁରକ୍ଷିତ ସୂଚନାକୁ ଭୁଲ ଭାବେ ସେୟାର କରିବା ସହିତ ଜଡିତ ।

ପୋଲିସ ଉଦ୍ଧାର ହୋଇଥିବା ସାମଗ୍ରୀ, ସମ୍ଭାବ୍ୟ ବିଦେଶୀ ସମ୍ପର୍କର ପରିଚୟ କିମ୍ବା ଯାଞ୍ଚର ଅଗ୍ରଗତି ସଂପର୍କରେ କୌଣସି ସୂଚନା ସାର୍ବଜନୀନ କରିନାହିଁ । ମହିଳା ଜଣକ ବିଦେଶୀ ସମ୍ପର୍କ ସହିତ କିପରି ପରିଚିତ ହେଲେ, କେବେ କଥାବାର୍ତ୍ତା ଆରମ୍ଭ ହେଲା ଏବଂ ସୂଚନା ଆଦାନପ୍ରଦାନର ପରିମାଣ କେତେ ଥିଲା ସେ ନେଇ ତଦନ୍ତକାରୀ ଏଜେନ୍ସିଗୁଡ଼ିକ ଜାଣିବାକୁ ପ୍ରୟାସ କରୁଛନ୍ତି । ଅଧିକାରୀମାନେ କହିଛନ୍ତି ଯେ ମାମଲାଟି ଏପର୍ଯ୍ୟନ୍ତ ତଦନ୍ତର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି, ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଉଛି ।