ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବାଗପତ ଜିଲ୍ଲାର ୫୯ ବର୍ଷୀୟ ବିଜୟ କୁମାର ଶର୍ମା ପ୍ରାୟ ୨୭ ବର୍ଷର ସଂଘର୍ଷ ଏବଂ ନିରବଚ୍ଛିନ୍ନ ଚେଷ୍ଟା ପରେ ଶେଷରେ ଜଣେ ସରକାରୀ ଶିକ୍ଷକ ଭାବରେ ନିଯୁକ୍ତି ପାଇଛନ୍ତି। ୧୯୯୯ ମସିହାରୁ ସରକାରୀ ନିଯୁକ୍ତି ପରୀକ୍ଷା ଦେଇ ଆସୁଥିବା ଶର୍ମା ସଂସ୍କୃତ ବିଷୟରେ 'ଟ୍ରେଣ୍ଡ ଗ୍ରାଜୁଏଟ୍ ଟିଚର୍' (TGT) ଭାବରେ ମନୋନୀତ ହୋଇଛନ୍ତି। ଗତ ବର୍ଷଗୁଡ଼ିକରେ ସେ ୬ ଥର TGT ଏବଂ ୪ ଥର PGT ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ୮ ଥର ସାକ୍ଷାତକାର ପାଇଁ ଡାକରା ପାଇଥିଲେ ମଧ୍ୟ ଅସଫଳ ହୋଇଥିଲେ। ତେବେ ଏଥର ନିଯୁକ୍ତି ପ୍ରକ୍ରିୟାରୁ ସାକ୍ଷାତକାର ପର୍ଯ୍ୟାୟକୁ ହଟାଇ ଦିଆଯାଇଥିବାରୁ, କେବଳ ଲିଖିତ ପରୀକ୍ଷା ଆଧାରରେ ସେ ନିଜର ବହୁ ପ୍ରତୀକ୍ଷିତ ସଫଳତା ହାସଲ କରିପାରିଛନ୍ତି।

ଗତ ୨୬ ବର୍ଷ ଧରି ଶର୍ମା ବଡ଼ୌତ ନିକଟସ୍ଥ ଘରୋଇ ସ୍କୁଲରେ ଜଣେ  ଶିକ୍ଷକତା କରୁଥିଲେ। ସ୍କୁଲ ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଶାନ୍ତ କୁମାରଙ୍କ ଅନୁସାରେ, ସେ ୨୦୦୩ ମସିହାରୁ ଏହି ଅନୁଷ୍ଠାନ ସହ ଜଡ଼ିତ ଥିଲେ ଏବଂ ନିଜର ପରିବାର ଓ ଶିକ୍ଷକତା ଦାୟିତ୍ୱ ତୁଲାଉଥିବା ସହ ନିଜ ପରୀକ୍ଷା ପାଇଁ କଠିନ ପରିଶ୍ରମ ଜାରି ରଖିଥିଲେ। ଶର୍ମାଙ୍କ ପିତା ଲକ୍ଷ୍ମଣ ସିଂହ ମଧ୍ୟ ଜଣେ ସରକାରୀ ଶିକ୍ଷକ ଥିଲେ। ତାଙ୍କର ୫ ଜଣ ସନ୍ତାନଙ୍କ ମଧ୍ୟରୁ ଦୁଇ ପୁଅ ଉତ୍ତର ପ୍ରଦେଶ ପୋଲିସରେ କାର୍ଯ୍ୟରତ ଥିବା ବେଳେ ଜଣେ ଝିଅ ମଧ୍ୟ ଶିକ୍ଷକତା ନିଯୁକ୍ତି ପାଇଁ ପ୍ରତୀକ୍ଷା ତାଲିକାରେ ଅଛନ୍ତି। ନିଜର ଏହି ସଫଳତା ପାଇଁ ସେ ନିଜ ସ୍କୁଲ, ଛାତ୍ରଛାତ୍ରୀ ଏବଂ ପ୍ରତ୍ୟେକ ବିଫଳତାରୁ ଶିଖିଥିବା ଅଭିଜ୍ଞତାକୁ ଶ୍ରେୟ ଦେଇଛନ୍ତି।

ସେପ୍ଟେମ୍ବର ୨୨ ତାରିଖରେ ଲକ୍ଷ୍ନୌର ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କଠାରୁ ଶର୍ମା ନିଜର ନିଯୁକ୍ତି ପତ୍ର ଗ୍ରହଣ କରିଛନ୍ତି। ଏହି ଉତ୍ସବରେ ସମୁଦାୟ ୩,୫୬୭ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଥିଲା। ଶର୍ମାଙ୍କୁ ଶାମଲୀ ଜିଲ୍ଲାର ଏକ ସରକାରୀ ଅନୁଦାନପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟରେ ସଂସ୍କୃତ TGT ଶିକ୍ଷକ ଭାବରେ ନିଯୁକ୍ତି ମିଳିଛି। ୫୯ ବର୍ଷ ୮ ମାସ ବୟସରେ ନିଯୁକ୍ତି ପାଇଥିବା ଶର୍ମା ଶିକ୍ଷକତା ଚାକିରିର ଅବସର ବୟସ ୬୨ ବର୍ଷ ହୋଇଥିବାରୁ ଆଗାମୀ ପ୍ରାୟ ୨ ବର୍ଷ ୪ ମାସ ପାଇଁ ସରକାରୀ ଶିକ୍ଷକ ଭାବେ ନିଜର ସେବା ପ୍ରଦାନ କରିବେ।