ପୁରୀ ୧।୧୦: ଶ୍ରୀମନ୍ଦିରକୁ ପଲିଥିନ ଓ ପ୍ଲାଷ୍ଟିକ ମୁକ୍ତ କରିବାକୁ ବାରମ୍ବାର ପ୍ରୟାସ ପରେ ବି ଫେଲ୍ । ଶ୍ରୀମନ୍ଦିର ଭିତରେ ପଲିଥିନ୍ର ବ୍ୟବହାର ହେଉଛି । ଅବାଧରେ ମନ୍ଦିର ଭିତରକୁ ଯାଉଛି ମାଳ ମାଳ ପଲିଥିନ୍ । ଭକ୍ତ ହୁଅନ୍ତୁ କିମ୍ବା ସେବାୟତ ଯାହାଙ୍କ ହାତରେ ଦେଖିବେ ପଲିଥିନ୍ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସୁଥିବା ଭକ୍ତମାନେ ଫୁଲ ଏବଂ ଭୋଗ ସାମଗ୍ରୀ ପଲିଥିନ ମାଧ୍ୟମରେ ନେଉଥିବା ବେଳେ ଏହା ଉପରେ ଲାଗି ପାରୁନି କଟକଣା । ଶ୍ରୀମନ୍ଦିର ଭିତରେ ଥିବା ଆନନ୍ଦ ବଜାର, ଦୀପ ଦୋକାନରେ ମଧ୍ୟ ମାଳ ମାଳ ପଲିଥିନ୍ ବ୍ୟବହାର ହେଉଥିବା ଅଭିଯୋଗ ହୋଇଛି ।

ଗତ କିଛି ମାସ ତଳେ ଶ୍ରୀମନ୍ଦିରରେ ପଲିଥିନ ଓ ପ୍ଲାଷ୍ଟିକ ସମ୍ପୂର୍ଣ୍ଣ ବ୍ୟାନ୍ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଶ୍ରୀମନ୍ଦିର ଆସୁଥିବା ଭକ୍ତ ମାନେ ଫୁଲ କିମ୍ବା ଭୋଗ ସାମଗ୍ରୀ ପଲିଥିନରେ ନଆଣି ଏହା ବଦଳରେ କପଡ଼ାରେ ପ୍ରସ୍ତୁତ ବ୍ୟାଗ୍ ଅବା ବିଭିନ୍ନ ପ୍ରାକୃତିକ ପଦ୍ଧତିରେ ତିଆରି ବ୍ୟାଗ୍ ବ୍ୟବହାର ପାଇଁ ଶ୍ରୀମନ୍ଦିର ପ୍ରଶାସନ ପରାମର୍ଶ ଦେଇଥିଲା । କିନ୍ତୁ ଶ୍ରୀମନ୍ଦିର ପ୍ରଶାସନର ଏସବୁ କଟକଣାକୁ ନା ମାନୁଛନ୍ତି ଭକ୍ତ ନା ସେବାୟତ ।

Also Read:- ଛାତ୍ର ସଂସଦ ନିର୍ବାଚନ ନେଇ ମନ୍ତ୍ରୀଙ୍କ ବଡ଼ ବୟାନ, କ’ଣ କହିଲେ ଶୁଣନ୍ତୁ…

ସେପଟେ ସେବାୟତଙ୍କ କହିବା ଅନୁଯାୟୀ, ଶ୍ରୀମନ୍ଦିର ଭିତରେ ସେତେ ମାତ୍ରାରେ ପଲିଥିନ୍ ବ୍ୟବହାର ହେଉନାହିଁ । ଅନେକ ସେବାୟତ ଏହି ନିୟମକୁ ପାଳନ କରୁଥିବା ବେଳେ କିଛି ଅସାଧୁ ବ୍ୟବସାୟୀ ଓ ସେବାୟତ ଶ୍ରୀମନ୍ଦିର ଭିତରେ ଏହି ନିୟମକୁ ଅବମାନନା କରୁଛନ୍ତି । ତେଣୁ ଏଥିପ୍ରତି ବ୍ୟାପକ ସଚେତନତା ସହ ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ।

Watch Video: