ପୁରୀ ୭।୧୦: କେବେ ସରିବ ଗରିବ ଶ୍ରଦ୍ଧାଳୁଙ୍କ ରାତ୍ରୀ ରହଣି ପାଇଁ ପୁରୀରେ ତିଆରି ହେଉଥିବା ଧର୍ମଶାଳା ? ନିର୍ମାଣ ଅବଧି ଶେଷ ହୋଇ ସାରିଥିବା ବେଳେ ଦୀର୍ଘ ଦୁଇ ବର୍ଷ ହେବ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରୁନାହିଁ। ଏଥିଯୋଗୁଁ ପୁରୀକୁ ଆସୁଥିବା ଗରିବ ଶ୍ରେଣୀର ଶ୍ରଦ୍ଧାଳୁ ଅର୍ଥାଭାବ ଯୋଗୁଁ ବଡ଼ଦାଣ୍ଡରେ ଖୋଲା ଆକାଶ ତଳେ ରାତ୍ରୀଯାପନ କରୁଛନ୍ତି। ବଡ଼ଦାଣ୍ଡରେ ଥିବା ହୋଟେଲ ଏବଂ ଲଜ୍ ଗୁଡ଼ିକର ଦର ପକେଟ୍ କୁ ସୁହାଇଲା ଭଳି ନଥିବାରୁ ହଜାର ହଜାର ଗରିବ ଶ୍ରଦ୍ଧାଳୁ ବାଧ୍ୟ ହୋଇ ବଡ଼ଦାଣ୍ଡରେ ରାତି କଟାଉଛନ୍ତି। ଖୋଲା ଆକାଶ ତଳେ ବର୍ଷା, ଶୀତ କାକରରେ ଅତି ଦୟନୀୟ ଭାବରେ ବଡ଼ଦାଣ୍ଡରେ ରାତ୍ରୀଯାପନ କରୁଛନ୍ତି ଗରିବ ଶ୍ରଦ୍ଧାଳୁ। ଗରିବ ଭକ୍ତଙ୍କ ପାଇଁ୨୦୨୨ରେ ବାସେଳୀ ସାହି ଥାନା ନିକଟରେ ଏକ ଧର୍ମଶାଳା ପ୍ରକଳ୍ପ ଆରମ୍ଭ ହୋଇଥିଲା। ୨୦୨୪ ଅଗଷ୍ଟ ଶେଷ ସୁଦ୍ଧା କାମ ସରିବାର ଥିଲା। କିନ୍ତୁ ଏହାପରେ ୨ ବର୍ଷ ବିତିଯାଇଥିଲେ ମଧ୍ୟ କାମ ସରୁନାହିଁ।

ଶ୍ରୀମାର୍ଗରେ ଥିବା ନିଳାଦ୍ରୀ ଉପବନ ଠାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଉ ଏକ ଭକ୍ତ ନିବାସ ନିର୍ମାଣ ପାଇଁ ଗତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଏନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିବା ବେଳେ ନୂତନ ଭାବେ ନିର୍ମାଣ ହେବାକୁ ଥିବା ଭକ୍ତ ନିବାସର ନାମକୁ ପତିତପାବନ ଭକ୍ତ ନିବାସ ନାମ ରଖାଯାଇଛି। ହେଲେ ଏହି ଭକ୍ତ ନିବାସ ସାଧାରଣ ଗରିବ ଶ୍ରଦ୍ଧାଳୁଟିଏ ବ୍ୟବହାର କରିବା ସମ୍ଭବପର ହେବନାହିଁ। ଶ୍ରୀମନ୍ଦିର ପ୍ରଶାସନ ବ୍ୟବସାୟିକ ଭିତ୍ତିରେ ଭକ୍ତ ନିବାସ ନିର୍ମାଣ କୁ ଗୁରୁତ୍ବ ଦେଉଥିବା ବେଳେ ଗରିବ ଭକ୍ତଙ୍କ ରହଣି ପାଇଁ ସ୍ବଳ୍ପ ମୂଲ୍ୟରେ କୌଣସି ଯାତ୍ରୀ ନିବାସ ପ୍ରକଳ୍ପ କରାଯାଉନାହିଁ। ଏପଟେ ପୁରୀ ଜିଲ୍ଲାପାଳ କହିଛନ୍ତି ବାସେଳୀ ସାହି ଧର୍ମଶାଳା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୁବ୍ କମ୍ ଦିନ ମଧ୍ୟରେ ଏହାକୁ ଲୋକାର୍ପିତ କରାଯିବ।

Also Read:- ଓଡ଼ିଶା ବନ୍ଦ ଡାକରାକୁ ନେଇ ଅପଡେଟ୍ : ଚାଲୁ ରହିବ ବସ୍ ସେବା, ଖୋଲା ରହିବ ମାଲଗୋଦାମ

ଗରିବ ଶ୍ରଦ୍ଧାଳୁଙ୍କ ସ୍ୱାର୍ଥକୁ ଗୁରୁତ୍ବ ଦିଆଯାଇ ବାସେଳୀ ସାହି ଧର୍ମଶାଳା ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଶେଷ କରି ଗରିବ ଲୋକଙ୍କ ରହଣି ପାଇଁ ବ୍ୟବସ୍ଥା କରିବାକୁ ଭକ୍ତ ଏବଂ ସେବାୟତ ଦାବି କରିଛନ୍ତି।

Watch Video: