ନୂଆଦିଲ୍ଲୀ: ରାଜ୍ୟରେ ପୂର୍ଣ୍ଣକାଳୀନ ଡିଜିପି ନିଯୁକ୍ତିକୁ ନେଇ ଚାଲିଥିବା ଆଇନଗତ ବିବାଦର ଶୁଣାଣି ପୁଣିଥରେ ଘୁଞ୍ଚିଛି। ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର ୧୬ ତାରିଖରେ କରିବାକୁ ଧାର୍ଯ୍ୟ କରିଛନ୍ତି। ଏହା ପୂର୍ବରୁ ସେପ୍ଟେମ୍ବର ୨ ତାରିଖରେ ମାମଲାର ଶୁଣାଣି ହୋଇଥିଲା। ଏବେ ମାମଲାରେ ବଡ଼ ଟୁଇଷ୍ଟ ଆସିଛି। ସୁପ୍ରିମକୋର୍ଟର ଶୁଣାଣି ଚାଲିଥିବା ସମୟରେ ମାମଲାରେ ପକ୍ଷଭୁକ୍ତ ହୋଇଛନ୍ତି ଆଇପିଏସ୍ ସୁଶାନ୍ତ ନାଥ। ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ଚାଲିଛି

ମାମଲାରେ ଯୋଡ଼ିହେଲେ ସୁଶାନ୍ତ ନାଥ

ଏହି ମାମଲାରେ ଏବେ ନୂଆ ମୋଡ଼ ଆସିଛି। ଆଇପିଏସ ସୁଶାନ୍ତ ନାଥ ଏଥିରେ ପକ୍ଷଭୁକ୍ତ ହୋଇଛନ୍ତି। ତାଙ୍କ ନିଜର ଓକିଲଙ୍କ ଜରିଆରେ କୋର୍ଟରେ ସପକ୍ଷ ତଥ୍ୟ ଉପସ୍ଥାପନ କରିବା ପାଇଁ ସେ କିଛି ସମୟ ଲୋଡ଼ିଛନ୍ତି। ଅଭିଯୋଗ ଅନୁଯାୟୀ, ଡିଜିପି ପଦବୀ ପାଇଁ ଚୂଡ଼ାନ୍ତ ହୋଇଥିବା ପ୍ରାରମ୍ଭିକ ୩ ଜଣିଆ ସର୍ଟଲିଷ୍ଟରେ ଡିଜି ରାଙ୍କର ଅଧିକାରୀ ସୁଶାନ୍ତ ନାଥଙ୍କ ନାମ ସାମିଲ ଥିଲା। ମାତ୍ର ପରବର୍ତ୍ତୀ ସମୟରେ ତାଙ୍କ ନାମକୁ ସେଥିରୁ ବାଦ୍ ଦିଆଯାଇଥିଲା। ଏହାକୁ ବିରୋଧ କରି ସେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆମିକସ କ୍ୟୁରି ଏବଂ ରାଜ୍ୟ ସରକାର ଦାଖଲ କରିଥିବା ଜବାବ ସମ୍ବନ୍ଧୀୟ କାଗଜପତ୍ର ସୁଶାନ୍ତଙ୍କ ଓକିଲ ମାଗିଛନ୍ତି, ଯାହା ପାଇବା ପରେ ସେମାନେ ନିଜର ଆଇନଗତ ପକ୍ଷ ରଖିବେ। କୋର୍ଟ ଏହି ନିବେଦନକୁ ସ୍ୱୀକାର କରିଛନ୍ତି।

Also Read: ଆହୁରି କଡ଼ା ହେବ ଅଗ୍ନି ନିରାପତ୍ତା ନିୟମ : ଆସନ୍ତା ୧୫ରୁ ରାଜ୍ୟବ୍ୟାପୀ ଯାଞ୍ଚ, ହସ୍ପିଟାଲରୁ ଶିଳ୍ପ ପ୍ରତିଷ୍ଠାନ ଯାଏଁ ଆକ୍ସନ

ଆମିକସ କ୍ୟୁରିଙ୍କ ରିପୋର୍ଟକୁ ଜବାବ ଦେବେ ସରକାର

ଅନ୍ୟପଟେ, ସଲିସିଟର ଜେନେରାଲ ତୁଷାର ମେହଟ୍ଟା ଅଦାଲତଙ୍କୁ ଜଣାଇଛନ୍ତି ଯେ ଆମିକସ କ୍ୟୁରିଙ୍କ ରିପୋର୍ଟ ସେମାନଙ୍କୁ ହସ୍ତଗତ ହୋଇଛି। ଏହି ରିପୋର୍ଟରେ ଥିବା କେତେକ ତଥ୍ୟକୁ ବିରୋଧ କରିବା ସହ ଏହାର ଆନୁଷ୍ଠାନିକ ଜବାବ ଦାଖଲ ପାଇଁ ସେ ସମୟ ମାଗିଥିଲେ। ଏହାକୁ ଗ୍ରହଣ କରି ସୁପ୍ରିମକୋର୍ଟ ସରକାରଙ୍କୁ ଗୋଟିଏ ସପ୍ତାହର ମୋହଲତ ଦେଇଛନ୍ତି।

କାହିଁକି ଉପୁଜିଛି ବିବାଦ ?

ପୂର୍ବତନ ଡିଜିପି ୱାଇ.ବି. ଖୁରାନିଆଙ୍କ ଅବସର ପରେ ରାଜ୍ୟରେ ସ୍ଥାୟୀ ପୋଲିସ ମହାନିର୍ଦ୍ଦେଶକ ପଦବୀ ଖାଲି ପଡ଼ିଛି। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ତୁଲାଉଛନ୍ତି। ତେବେ ନୂତନ ଡିଜିପି ନିଯୁକ୍ତି ପ୍ରକ୍ରିୟାରେ ରାଜ୍ୟ ସରକାର ନିୟମାବଳୀର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା। ସମସ୍ତ ପକ୍ଷଙ୍କ ଶୁଣାଣି ପରେ ସର୍ବୋଚ୍ଚ ନ୍ୟାୟାଳୟ ସେପ୍ଟେମ୍ବର ୧୬କୁ ପରବର୍ତ୍ତୀ ତାରିଖ ଭାବେ ଧାର୍ଯ୍ୟ କରିଛନ୍ତି। ଏବେ ମାମଲା ଆଗକୁ ଆହୁରି ଗଡ଼ିବ ଏବଂ ଓଡ଼ିଶାକୁ ପୂର୍ଣ୍ଣକାଳୀନ ଡିଜି ମିଳିବା ବିଳମ୍ବ ହେବ। 

Also Read: ଦିଲ୍ଲୀ ଘଟଣା ପରେ ତତ୍ପର ରାଜ୍ୟ ସରକାର ; ଭାଙ୍ଗିବ ଦୁର୍ବଳ କୋଠା, ସ୍କୁଲ-ଅଙ୍ଗନୱାଡି ଉପରେ ବି ନଜର