ପୁରୀ ୧୫।୬: ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତଙ୍କୁ ଲୁଟୁଛନ୍ତି ଦଲାଲ୍। ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ହଜାର ହଜାର ଭକ୍ତ ଆସୁଥିବା ବେଳେ ଦଲାଲ୍ ମାନଙ୍କର ପ୍ରାଦୁର୍ଭାବ ବଢ଼ି ଚାଲିଛି। ଭିଆଇପି ଦର୍ଶନ କରାଇଦେବା ନାଁରେ ଦଲାଲ୍ ମାନେ ମୁଣ୍ଡପିଛା ୫ ଶହ ଟଙ୍କା ଦାବି କରୁଛନ୍ତି। ଖୋଦ୍ ଶ୍ରୀମନ୍ଦିର ସିଂହଦ୍ୱାର ଥାନା ଏବଂ ପୋଲିସ ସମ୍ମୁଖରେ ଏଭଳି ଦଲାଲି ଚାଲିଥିବା ବେଳେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ।

ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତଙ୍କୁ ଲୁଟୁଛନ୍ତି ଦଲାଲ୍। ମୁଣ୍ଡ ପିଛା ୫ ଶହ ଟଙ୍କା ଦେଲେ ଭିଆଇପି ଦର୍ଶନ କରାଇ ଦେବେ ବୋଲି ଦେଉଛନ୍ତି ପ୍ରତିଶ୍ରୁତି। ଜଗା ଦୁଆର ଜଗିଥିବା ଦଲାଲଙ୍କ ଏଭଳି ପ୍ରାଦୁର୍ଭାବକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଭକ୍ତ। ଭକ୍ତଙ୍କୁ ଭିଆଇପି ଦର୍ଶନ କରାଇଦେବା ନାଁରେ ଶୋଷଣ କରିବା ପାଇଁ ଶ୍ରୀମନ୍ଦିର ନିକଟରେ ଜଗିଛନ୍ତି ଦଲାଲ୍। ମହାପ୍ରଭୁଙ୍କର ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଧରି ଟାଇଁ ଟାଇଁ ଖରା ଓ ଗୁଳୁଗୁଳିରେ ଠିଆ ହୋଇଥିବା ଶ୍ରଦ୍ଧାଳୁଙ୍କ ପାଖକୁ ଆସି ଭିଆଇପି ଦର୍ଶନ କରାଇ ଦେବେ ବୋଲି କହି ମୁଣ୍ଡ ପିଛା ମାଗୁଛନ୍ତି ୫ ଶହ ଟଙ୍କା। ଯଦି ୫ ଶହ ଟଙ୍କା ମୁଣ୍ଡପିଛା ଦେବେ ତେବେ ତାଙ୍କୁ ଭିଆଇପି ଦର୍ଶନ ମିଳିବ ବୋଲି ଦଲାଲ୍ କହୁଛନ୍ତି। ତେବେ କ୍ୟାମେରା ଆଗରେ ଦଲାଲ୍ ଧରା ପଡ଼ିଯିବାରୁ କଥାକୁ ଗୋଳେଇ ଘାଣ୍ଟି ସେଠାରୁ ଚମ୍ପଟ ମାରିଥିବା ଦେଖିବାକୁ ମିଳିଥିଲା। ସ୍ବତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ ଏବଂ ଶ୍ରୀମନ୍ଦିର ସିଂହଦ୍ୱାର ଥାନା ସମ୍ମୁଖରେ ଦଲାଲ୍ ମାନେ ଏଭଳି ଦଲାଲି କରିବାକୁ କିଭଳି ସାହାସ କରୁଛନ୍ତି ତାକୁ ନେଇ ଭକ୍ତମାନେ ପ୍ରଶ୍ନ ଉଠାଇଛନ୍ତି। ସମସ୍ତଙ୍କ ମିଲି ଭଗତରେ ଅର୍ଥାତ୍ ପୋଲିସ ଏବଂ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଓ କର୍ମଚାରୀଙ୍କ ଜାଣତରେ ଏସବୁ କାର୍ଯ୍ୟ ଚାଲିଛି ବୋଲି ଅଭିଯୋଗ କରିଛନ୍ତି ଭକ୍ତ। ମହାପ୍ରଭୁଙ୍କ ପାଖରେ ସବୁ ଭକ୍ତ ସମାନ।

Also Read:- ବଡ଼ ଭଉଣୀ ପୁରୁଷ ବନ୍ଧୁଙ୍କୁ ଦେଖା କରିବାକୁ ଯାଇଥିଲେ, ସାନ ଭଉଣୀକୁ ଟେକିନେଇ ଗଣଦୁଷ୍କର୍ମ !

ସେପଟେ ଶ୍ରୀମନ୍ଦିରରେ ଦଲାଲ୍ ମାନେ ସକ୍ରିୟ ହୋଇ ଭକ୍ତଙ୍କୁ ଭିଆଇପି ଦର୍ଶନ ନାଁରେ ଲୁଟୁଥିବା ଘଟଣା ପ୍ରସାରଣ ହେବା ପରେ ଆକ୍ସନ ମୋଡ଼କୁ ଆସିଛି ପୋଲିସ। ସିଂହଦ୍ୱାର ଥାନା ପୋଲିସ ମାମଲା ରୁଜୁ କରି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ତିନି ଅଭିଯୁକ୍ତ ହେଲେ ଗଞ୍ଜାମ ଛତ୍ରପୁରର ପିଣ୍ଟୁ ବେହେରା, ଢେଙ୍କାନାଳର ସନ୍ତୋଷ କୁମାର ପଣ୍ଡା ଏବଂ ଭଦ୍ରକର ସୌମ୍ୟ ରଞ୍ଜନ ମାଝି। ଏହି ତିନି ଦଲାଲ୍ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସୁଥିବା ଭକ୍ତମାନଙ୍କୁ ଯେକେହି ବି ଠକିବାକୁ ଉଦ୍ୟମ କରିବ ସେମାନଙ୍କ ବିରୁଦ୍ଧରେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚେତେଇ ଦେଇଛନ୍ତି ପୁରୀ ଏସପି।

ପୁରୀକୁ ପ୍ରତିଦିନ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଛନ୍ତି। ଏହାର ଫାଇଦା ନେଇ ଭକ୍ତ ମାନଙ୍କୁ ଠକିବା ପାଇଁ ଦଲାଲ୍ ମାନେ ବେଶ୍ ସକ୍ରିୟ ହୋଇ ପଡୁଛନ୍ତି। ତେବେ ଏହି ଦଲାଲ୍ ମାନେ ଏକ ଗ୍ୟାଙ୍ଗ ସୃଷ୍ଟି କରି ଏଭଳି କାର୍ଯ୍ୟ କରୁଥିବା ଭକ୍ତ ମାନେ ଅଭିଯୋଗ କରିଛନ୍ତି। ଏଣୁ ତୁରନ୍ତ ପୁରୀ ଏସପି, ଜିଲ୍ଲାପାଳ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏଥିରେ ହସ୍ତକ୍ଷେପ କରି ଘଟଣା ପଛରେ କିଏ ରହିଛି ମାଷ୍ଟର ମାଇଣ୍ଡ ସେନେଇ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି।