ଭୁବନେଶ୍ୱର ୧୧।୧୧ : ଥମୁନି ରାଜନୈତିକ ବାକ୍‌ଯୁଦ୍ଧ । ବନ୍ୟାକୁ ନେଇ ରାଜନୈତିକ ବୟାନବାଜି ଏବେ ନୂଆ ମୋଡ଼ ନେଇଛି। ନବୀନ ପଟ୍ଟନାୟକ ଓ ସୁରେଶ ମହାପାତ୍ରଙ୍କ ମନ୍ତବ୍ୟକୁ ନେଇ ବର୍ଷିଛି ବିଜେପି।

ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ରାଜନୀତି କରିବା ଆଦୌ ଗ୍ରହଣୀୟ ନୁହେଁ। ବିରୋଧୀ ଯେଉଁ ପ୍ରଶ୍ନ ଉଠାଉଛନ୍ତି, ସେ ସମ୍ପର୍କରେ ସରକାରଙ୍କ ପାଖରେ ସମସ୍ତ ତଥ୍ୟ ରହିଛି ବୋଲି କହିଛନ୍ତି ସେ। ଏହା ସହ ୨୦୧୧ ମସିହାର ବନ୍ୟାକୁ ନେଇ ସୁରେଶ ମହାପାତ୍ରଙ୍କୁ ଘେରିଛନ୍ତି ଅନୀଲ। ସେତେବେଳେ ସୁରେଶ ମହାପାତ୍ର ଜଳସମ୍ପଦ ବିଭାଗର ସଚିବ ଥିଲେ। ସେହି ବର୍ଷ ରାଜ୍ୟରେ ବଡ଼ ବନ୍ୟା ଆସିଥିଲା। ଏଥିରେ ୮୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ଟି ଜିଲ୍ଲାର ପ୍ରାୟ ୪୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ଏହା କେଉଁ ପ୍ରକାର ବନ୍ୟା ଥିଲା, ତାହା ନବୀନ ପଟ୍ଟନାୟକ ଓ ସୁରେଶ ମହାପାତ୍ର ସ୍ପଷ୍ଟ କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ଅନୀଲ।

Also Read:-ପ୍ରତି ପରିବାରକୁ ୫୦ କେଜି ଚାଉଳ ଓ ୨୫୦୦ ଟଙ୍କା, ତିନି ଜିଲ୍ଲାର ସବୁ ବ୍ଲକ୍‌କୁ ରିଲିଫ୍ ଘୋଷଣା

ସେ ଆହୁରି ମଧ୍ୟ କହିଛନ୍ତି ଯେ, ତତ୍କାଳୀନ ବନ୍ୟା ପରିଚାଳନାକୁ ନେଇ ଜାତୀୟ ଗଣମାଧ୍ୟମରେ ମଧ୍ୟ ପ୍ରଶ୍ନ ଉଠିଥିଲା। ୨୦୧୭ରେ CAG ରିପୋର୍ଟରେ ତଳମୁଣ୍ଡର ବନ୍ୟା ପରିଚାଳନାରେ ସମସ୍ୟା ଥିବା ଉଲ୍ଲେଖ ହୋଇଥିବା ଦାବି କରିଛନ୍ତି ସେ। CWC ଏବଂ IMDର ଆକଳନକୁ ଗୁରୁତ୍ୱ ନଦେବାରୁ ବଡ଼ ବନ୍ୟା ସ୍ଥିତି ଉପୁଜିଥିଲା ବୋଲି ଅନୀଲ ଅଭିଯୋଗ କରିଛନ୍ତି।

କେବଳ ବନ୍ୟା ନୁହେଁ, ମହାନଦୀ ବିବାଦକୁ ନେଇ ମଧ୍ୟ ସୁରେଶ ମହାପାତ୍ରଙ୍କ ପୁରୁଣା ବୟାନକୁ ମନେ ପକାଇଛି ବିଜେପି। ଛତିଶଗଡ଼ ବ୍ୟାରେଜ୍ ନିର୍ମାଣ କଲେ ମଧ୍ୟ ଓଡ଼ିଶାର କୌଣସି କ୍ଷତି ହେବନି ବୋଲି ସେ କହିଥିବା ଦାବି କରିଛନ୍ତି ଅନୀଲ। ତେଣୁ ଇତିହାସକୁ ନଭୁଲି ସଠିକ୍ ତଥ୍ୟ ଆଧାରରେ ମତ ରଖିବାକୁ ସୁରେଶ ମହାପାତ୍ରଙ୍କୁ ଆହ୍ୱାନ ଦେଇଛନ୍ତି। ଜଣେ ପୂର୍ବତନ ମୁଖ୍ୟ ଶାସନ ସଚିବ ଭାବେ ରାଜନୈତିକ ବୟାନବାଜିରୁ ଦୂରେଇ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ବିଜେପି ମୁଖପାତ୍ର।