ପଟ୍ଟାମୁଣ୍ଡାଇ ୧୧।୧୧ : ୧୧ ମାସର ଅପେକ୍ଷା ପରେ ମିଳିଲା ନ୍ୟାୟ। ଏସିଡ୍ ଆକ୍ରମଣକାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡ। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବାଛରା ମଣ୍ଡପଡ଼ା ଗାଁର ଏହି ଘଟଣାରେ ଏବେ ଦଣ୍ଡାଦେଶ ହୋଇଛି ।

ଖବର ଅନୁଯାୟୀ, ଚଳିତ ବର୍ଷ ଜାନୁଆରୀ ୧୨ ତାରିଖ ଅପରାହ୍ନ ପ୍ରାୟ ୪ଟା ୩୦। ଘର ଆଗରେ ପଡ଼ିଥିବା ବାଲିକୁ ଏକାଠି କରୁଥିଲେ ରବୀନ୍ଦ୍ର ସାହୁ, ତାଙ୍କ ମା' ଟୁକୁନା ସାହୁ ଏବଂ ଦିନମଜୁରିଆ ଭାବେ କାମ କରୁଥିଲେ ମାଳତି ହୋ। ଏହି ସମୟରେ ପୂର୍ବ ଶତ୍ରୁତା ଓ ଜମିଜମା ବିବାଦକୁ କେନ୍ଦ୍ର କରି ପଡ଼ୋଶୀ ବିଜୟ ସାହୁ ଏକ ବାଲ୍ଟିରେ ଏସିଡ୍ ଆଣି ରବୀନ୍ଦ୍ରଙ୍କ ଉପରକୁ ଢାଳି ଦେଇଥିଲା। ଯାହାପରେ ସେ ଚିତ୍କାର କରିଥିଲେ । ପୁଅର ଚିତ୍କାର ଶୁଣି ମା' ପ୍ରତିବାଦ କରିବାରୁ ତାଙ୍କ ଉପରକୁ ମଧ୍ୟ ବଳକା ଏସିଡ୍ ଫିଙ୍ଗିଥିଲା ଅଭିଯୁକ୍ତ। ଏସିଡ୍ରେ ଜଳିଯାଇଥିବା ଶରୀରକୁ ରକ୍ଷା କରିବା ପାଇଁ ରବୀନ୍ଦ୍ର ନଳକୂପ ପାଖକୁ ଦୌଡ଼ି ଯାଇ ପାଣି ଢାଳୁଥିବା ବେଳେ ଫାର୍ଶା ଧରି ଆକ୍ରମଣ ପାଇଁ ଆସିଥିଲା ବିଜୟ। ହେଲେ ପରିବାର ଲୋକଙ୍କ ପାଟି ଶୁଣି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା।

Also Read:-NCB ତଦନ୍ତରେ ବଡ଼ ସଫଳତା, ୬ ଗିରଫ ସହ ୭୭୫ କେଜି ଗଞ୍ଜେଇ ଜବତ

ଗୁରୁତର ରବୀନ୍ଦ୍ର ଓ ତାଙ୍କ ମା'ଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ଡାକ୍ତରଖାନା ଏବଂ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହି ମାମଲାରେ ୧୪ ଜଣ ସାକ୍ଷୀଙ୍କ ବୟାନ ଓ ଉପଲବ୍ଧ ପ୍ରମାଣକୁ ଆଧାର କରି ଭାରତୀୟ ନ୍ୟାୟ ସଂହିତାର ଧାରା ୧୨୪(୧) ଅନୁସାରେ ବିଜୟ କୁମାର ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତ। ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ଦେଢ଼ ଲକ୍ଷ ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ହେଲେ ଅତିରିକ୍ତ ୨ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି।