• ପୁସ୍ତକରେ ସୋନିଆ ଗାନ୍ଧି ୧୯୯୯ ମସିହାରେ ବାଜପେୟୀଙ୍କ ସରକାର ଭାଙ୍ଗିବା ସମୟର ଘଟଣା ମନେ ପକାଇଛନ୍ତି
  • ଏଆଇଏଡିଏମକେ ମୁଖ୍ୟ ଜେ.ଜୟଲଳିତା ନିଜର ସମର୍ଥନ ପ୍ରତ୍ୟାହାର କରିନେବାରୁ ଭାଙ୍ଗିଥିଲା ବାଜପେୟୀଙ୍କ ସରକାର
  • ସେ ସମୟର ବଡ଼ ବିରୋଧୀ ଦଳ ଭାବେ କଂଗ୍ରେସ ବିକଳ୍ପ ସରକାର ଗଢିବା ଲାଗି ଆଞ୍ଚଳିକ ଦଳ ଓ ବାମପନ୍ଥୀ ଦଳଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିଲା

ନୂଆଦିଲ୍ଲୀ: ସୋନିଆ ଗାନ୍ଧିଙ୍କ ଆତ୍ମଜୀବନୀ ‘ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ ଲଭ’କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ଏହି ପୁସ୍ତକର ଔପଚାରିକ ଲୋକାର୍ପଣ ହୋଇ ନାହିଁ, ତଥାପି ବହି ଦୋକାନମାନଙ୍କରେ ଏହାର ଚାହିଦା ଖୁବ୍ ବଢିଯାଇଛି। କେବଳ ଏତିକି ନୁହେଁ ଏହି ପୁସ୍ତକ ପ୍ରକାଶନ ପୂର୍ବରୁ ସୋନିଆ ଏହାକୁ ‘ଅଣରାଜନୈତିକ’ ବୋଲି କହିଥିଲେ। ହେଲେ ପୁସ୍ତକ ବିକ୍ରି ହେବା ପରେ ଏଥିରେ ଦେଶର ରାଜନୀତିକୁ ନେଇ ଅନେକ କଥା ଥିବା ଦେଖା ଯାଇଛି, ଯେପରି ୧୯୯୯ ମସିହାରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଚାଲିଥିବା ସରକାର ଭାଙ୍ଗିବା ସମ୍ପର୍କରେ ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ବାଜପେୟୀଙ୍କ ନେତୃତ୍ୱରେ ଚାଲୁଥିବା ସରକାର ଭାଙ୍ଗିବା ପରେ କଂଗ୍ରେସ ନିଜର ସରକାର ଗଢିବାକୁ ଢେର ପ୍ରୟାସ କରିଥିଲା। ହେଲେ ଏଥିରେ ସଫଳ ହୋଇ ପାରିନଥିଲା।

ଏହି କଥାକୁ ଉଲ୍ଲେଖ କରି ସୋନିଆ ତାଙ୍କ ପୁସ୍ତକରେ ଲେଖିଛନ୍ତି ଯେ ‘ସେ ଦିନ ମନ ଭାଙ୍ଗି ଯାଇଥିଲା। ସରକାର ଗଢିବା ପାଇଁ ସେ ଯେଉଁ ଆତ୍ମବିଶ୍ୱାସ ପାଇଥିଲେ ତାହା ଶୂନ୍ୟରେ ମିଳାଇ ଯାଇଥିଲା’। ସେ ଭିତରେ ଭିତରେ ଭାଙ୍ଗି ପଡିଥିଲେ ଏହା ସତ୍ତ୍ୱେ ସାମ୍ବାଦିକଙ୍କ ତୀକ୍ଷ୍ଣ ପ୍ରଶ୍ନର ସମ୍ମୁଖୀନ ହେବା ବେଳେ କ’ଣ ଭାବୁଥିଲେ ଆସନ୍ତୁ ଜାଣିବା..

ପୁସ୍ତକରେ ସୋନିଆ ଗାନ୍ଧି ୧୯୯୯ ମସିହାରେ ବାଜପେୟୀଙ୍କ ସରକାର ଭାଙ୍ଗିବା ସମୟର ଘଟଣା ମନେ ପକାଇଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ‘ସରକାର ଗଢିବା ପାଇଁ ଦାବି ଉପସ୍ଥାପନ କରିବା ପରେ ଯେତେବେଳେ ସେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ସାମ୍ବାଦିକଙ୍କ ସମ୍ମୁଖୀନ ହେଲେ ସେତେବେଳେ ତାଙ୍କ ମନ ଭାରି ଥିଲା। ସରକାର ଗଢିବା ପାଇଁ ମିଳିଥିବା ସମର୍ଥନ ପଛକୁ ହଟିବାରେ ଲାଗିଥିଲା’। ରାଜନୈତିକ ଉତ୍ତେଜନାକୁ ମନେ ପକାଇ ପୂର୍ବତନ କଂଗ୍ରେସ ସଭାପତି ଲେଖିଛନ୍ତି ଯେ ସେ ତାଙ୍କ ସମର୍ଥକଙ୍କ ଗହଣରେ ଘେରି ରହିଥିଲେ, ହେଲେ ଭିତରେ ଭିତରେ ‘ଥରୁ’ଥିଲେ ମଧ୍ୟ ଆତ୍ମବିଶ୍ୱାସ ଦେଖାଇବାକୁ ଉଦ୍ୟମ କରୁଥିଲେ। ସେ ଜୀବନରେ ପ୍ରଥମ ଥର ଏତେ ସଂଖ୍ୟକ ସାମ୍ବାଦିକଙ୍କ ସମ୍ମୁଖରେ ଥିଲେ। ସାଙ୍ଗରେ ସହଯୋଗୀ ତ ଥିଲେ ହେଲେ ପରିସ୍ଥିତି ବିପରୀତ ଥିଲା।

ଜୟଲଳିତା ସମର୍ଥନ ପ୍ରତ୍ୟାହାର ଯୋଗୁ ଭାଙ୍ଗିଥିଲା ଅଟଳଙ୍କ ସରକାର
ଅଟଳ ବିହାରୀ ବାଜପେୟୀଙ୍କ ସରକାରରୁ ଯେତେବେଳେ ଏଆଇଏଡିଏମକେ ମୁଖ୍ୟ ଜେ.ଜୟଲଳିତା ନିଜର ସମର୍ଥନ ପ୍ରତ୍ୟାହାର କରିନେଲେ ସେ ସମୟର ବଡ଼ ବିରୋଧୀ ଦଳ ଭାବେ କଂଗ୍ରେସ ବିକଳ୍ପ ସରକାର ଗଢିବା ଲାଗି ଆଞ୍ଚଳିକ ଦଳ ଓ ବାମପନ୍ଥୀ ଦଳଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିଲା। ୫୪୩ ସଦସୀୟ ଲୋକସଭାରେ ସରକାର ଗଢିବା ପାଇଁ ଅନୁନ୍ୟ ୨୭୨ ଆସନର ଆବଶ୍ୟକତା ଥିଲା। ସୋନିଆ ଗାନ୍ଧି ପୁସ୍ତକରେ ଉଲ୍ଲେଖ କରିଛନ୍ତି ଯେ କଂଗ୍ରେସ ଓ ସହଯୋଗୀ୨୩୩ ଜଣ ସାଂସଦଙ୍କୁ ଏକଜୁଟ କରିଦେଇଥିଲେ। ବାକି ଦଳମାନେ ମଧ୍ୟ ସମର୍ଥନର ପ୍ରତିଶ୍ରୁତି ଦେଇଥିଲେ। ଏଣୁ ସୋନିଆ ଭାବିଥିଲେ ଶେଷ ବେଳକୁ ଆବଶ୍ୟକ ସଂଖ୍ୟା ପୁରା ହୋଇଯିବ, ଏଣୁ ସେ ରାଷ୍ଟ୍ରପତିଙ୍କୁ ଭେଟିଥିଲେ।

ସରକାର ଗଢିପାରିଲାନି କଂଗ୍ରେସ
ତେବେ ସୋନିଆ ଲେଖିଛନ୍ତି ଯେ ସାମ୍ବାଦିକ ଯେପରି ସବୁ ପ୍ରଶ୍ନ ଉଠାଇଲେ ଏଥିରେ ସେ ଜାଣିଯାଇଥିଲେ ଯେ ଜରୁରି ସଂଖ୍ୟାରୁ ଆମେ ବହୁତ ଦୂରରେ ଅଛୁ। ଏଣୁ ସରକାର ଗଢିବାର ଉଦ୍ୟମ ଅଧୁରା ରହିଯାଇଥିଲା। ସୋନିଆ ଲେଖିଛନ୍ତି ଯେ କିଛି ଦଳ ପଛକୁ ହଟି ଯାଇଥିଲେ ଓ କାମ ଅଧୁରା ରହିଯାଇଥିଲା। ଏହାର କାରଣ ସମ୍ପର୍କରେ ସେ ଯାହା କହିଛନ୍ତି ତାହା ହେଉଛି ଅନେକ ନେତା ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଥିଲେ, ଯାହାକୁ ପୂରଣ କରାଯାଇ ପାରିନଥାନ୍ତା। ତେବେ ସେ ଉଲ୍ଲେଖ କରିଛନ୍ତି ଯେ ନିଜେ ଭାରତର ପ୍ରଧାନମନ୍ତ୍ରୀ ହେବା ଲାଗି ସେ କେବେ ଲାଳାୟିତ ନଥିଲେ। ନିଜେ ପ୍ରଧାନମନ୍ତ୍ରୀ ହେବାକୁ ଇଛା ରଖୁନଥିବା ଓ ଜରୁରି ସଂଖ୍ୟା ପର୍ଯ୍ୟନ୍ତ ପହଞ୍ଚିବା ମଧ୍ୟରେ ବିଜେପି ନେତୃତ୍ୱାଧୀନ ସରକାର ଭାଙ୍ଗିଯିବା ଏକ ତରବରିଆ କାମ ଥିଲା ବୋଲି ସ୍ୱୀକାର କରିଛନ୍ତି।

୨୦ ସହଯୋଗୀଙ୍କ ସହ ପୁଣି ଶାସନକୁ ଫେରିଥିଲେ ବାଜପେୟୀ
ଏହିପରି ଭାବେ କଂଗ୍ରେସ ବାଜପେୟୀ ସରକାରର ପତନ ପରେ ଏକ ଦୃଢ ବିକଳ୍ପ ପ୍ରଦାନ କରିବାରେ ବିଫଳ ହୋଇଥିଲା। ପରବର୍ତ୍ତି ନିର୍ବାଚନରେ ୨୦ଟି ସହଯୋଗୀ ଦଳକୁ ନେଇ ଗଠିତ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ପୁଣିଥରେ ବାଜପେୟୀଙ୍କ ନେତୃତ୍ୱରେ ସରକାର ଗଢିଥିଲା। ତଥାପି ସରକାର ଭାଙ୍ଗିବା ପ୍ରଶ୍ନରେ ସୋନିଆ ଉଲ୍ଲେଖ କରିଛନ୍ତି ଯେ ‘ଆମେ ବାଜପେୟୀଙ୍କ ସରକାର ଭାଙ୍ଗିନଥିଲୁ, ବରଂ ସେମାନଙ୍କ ମେଣ୍ଟ ଭାଙ୍ଗିଯାଇଥିଲା’। ସୋନିଆ ଲେଖିଛନ୍ତି ଯେ ମୋ ଆଖିରେ ଲୁହ ଭରି ଯାଇଥିଲା ଏଣୁ ବୈଠକରୁ ଉଠି ଚାଲିଆସିଥିଲି। ମୁଁ ପଦ ଓ କ୍ଷମତା ଲାଗି ରାଜନୀତି କରୁନଥିଲି।