ଜମ୍ମୁ: ଦକ୍ଷିଣ କାଶ୍ମୀରର ଅଖରନ-ନୌପୁରା, କୁଲଗାଓଁରେ ବୁଧବାର ଏକ ଆତଙ୍କବାଦୀ ଆକ୍ରମଣରେ ୩ ଜଣ ସିଆରପିଏଫ ଜବାନ ଆହତ ହୋଇଛନ୍ତି। ଏହି ଆକ୍ରମଣ ପରେ ଆତଙ୍କବାଦୀ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି। ତେବେ ସେମାନଙ୍କୁ ଧରିବା ପାଇଁ ସୁରକ୍ଷା ବଳ ପୁରା ଅଞ୍ଚଳକୁ ଘେରାଉ କରି ରଖିବା ସହ ତଲାସି ଅଭିଯାନ ଚଳାଇଛନ୍ତି। ତେବେ ଏହି ଆକ୍ରମଣ ପାଇଁ ଏ ପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରି ନାହନ୍ତି। ହେଲେ ଆଶଙ୍କା କରାଯାଉଛି ଲସ୍କର-ଏ-ତୌୟବାର ହିଟ୍ ସ୍କ୍ୱାର୍ଡ କୁହାଯାଉଥିବା ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ’ (ଟିଆରଏଫ)ର ଆତଙ୍କବାଦୀ ଲତିଭ ବଟର ମଡ୍ୟୁଲ ଏହି କାଣ୍ଡ କରିଛନ୍ତି।

ସୂଚନା ଅନୁସାରେ କୁଲଗାଓଁ ଆଖରନ-ନୌପୁରାରେ ସିଆରପିଏଫର ୪୬ତମ ବାହିନୀର ଜବାନମାନେ ନାକା ଲଗାଇଥିବା ବେଳେ ଅପରାହ୍ନ ପ୍ରାୟ ୨ଟା ୧୫ ମିନିଟ୍ ରେ ମୋଟର ସାଇକେଲରେ ଆସିଥିବା ୨ ଜଣ ଯୁବକ ନାକା ନିକଟକୁ ଆସି ଡ୍ୟୁଟିରେ ମୁତୟନ ଜବାନଙ୍କ ଉପରେ ଅନ୍ଧାଦୁନିଆ ଗୁଳିମାଡ କରିଥିଲେ। ଫଳରେ ୩ ଜଣ ସିଆରପିଏଫ ଜବାନ ଆହତ ହୋଇଛନ୍ତି। ତେବେ ଅନ୍ୟ ଜବାନମାନେ ଜବାବୀ କାର୍ଯ୍ୟାନୁଷ୍ଠାନ କରିବା କାଳରେ ଯୁବକ ଦ୍ୱୟ ମୋଟର ସାଇକେଲରେ ଖସି ପଳାଇବାକୁ ସକ୍ଷମ ହୋଇଛନ୍ତି।

ଆକ୍ରମଣ ସୂଚନା ମିଳିବାମାତ୍ରେ ନିକଟବର୍ତ୍ତି ଶିବିରରୁ ସୁରକ୍ଷାବଳର ଅତିରିକ୍ତ ପ୍ଲାଟୁନ ପହଞ୍ଚି ଯାଇଥିଲେ। ଫୋର୍ସ ସାରା ଅଞ୍ଚଳକୁ ସିଲ କରିଦେଇଛନ୍ତି ଓ ଯୁବକ ଓ ସେମାନଙ୍କ ମୋଟର ସାଇକେଲର ସନ୍ଧାନ ନେଉଛନ୍ତି। ଏହି ଘଟଣାରେ ଆହତ ହୋଇଥିବା ଜବାନଙ୍କ ମଧ୍ୟରେ ସିଟି ଜିଡି ରାକେଶ ଦାସ, ସନ୍ତୋଷ ଚନ୍ଦ୍ରୁ ଓ ଏଚସି ଜିଡି ସୋମବୀର ସିଂହ ଅଛନ୍ତି। ରାକେଶ ଦାସ ଆସାମର ହୋଇଥିବା ବେଳେ ଚନ୍ଦ୍ରୁ ପଶ୍ଚିମବଙ୍ଗର ଓ ସୋମବୀର ମଧ୍ୟପ୍ରଦେଶର ବୋଲି ଜଣାପଡିଛି। ଏମାନଙ୍କୁ ଚିକିତ୍ସା ଲାଗି ଜିଏମସି ଅନନ୍ତନାଗରେ ଭର୍ତ୍ତି କରାଯାଇଛି।

ଏଥି ମଧ୍ୟରେ ସୁରକ୍ଷା ବଳ ଘଟଣାସ୍ଥଳର ଆଖାପାଖ ସବୁ ଅଞ୍ଚଳକୁ ସିଲ କରି ତଲାସ ଅଭିଯାନ ଆରମ୍ଭ କରିଛନ୍ତି। ସେହିପରି ଘଟଣାସ୍ଥଳର ଆଖପାଖର ସବୁ ସିସିଟିଭି କ୍ୟାମେରାର ଫୁଟେଜ ମଧ୍ୟ ଯାଞ୍ଚ କରାଯାଉଛି। ସିଆରିପିଏଫ, ପୋଲିସ ଓ ସେନା ମଧ୍ୟ ଘଟଣାସ୍ଥଳକୁ ପହଞ୍ଚିଛନ୍ତି।