ନୂଆଦିଲ୍ଲୀ: ଦେଶର ପୂର୍ବତନ ରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସ୍ଵାସ୍ଥ୍ୟବସ୍ଥା ବୁଧବାର ଅଚାନକ ବିଗିଡ଼ିଛି। ପ୍ରାତଃ ଭ୍ରମଣ ସମୟରେ ଅଚାନକ ଅଚେତ  ହୋଇ  ତଳେ ପଡ଼ିଗଲେ ଧନଖଡ଼। ଏହା ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ୭୫ ବର୍ଷୀୟ ଧନଖଡ଼ଙ୍କୁ ଏମ୍ସର କାର୍ଡିଓ ନ୍ୟୁରୋ ସେଣ୍ଟରେ ଭର୍ତ୍ତି କରାଯାଇଛି। କାର୍ଡିଓଲୋଜି ବିଭାଗର ଡାକ୍ତରଙ୍କ ତତ୍ଵାବଧାନରେ ତାଙ୍କର ଚିକିତ୍ସା ଜାରି ରହିଛି।

ସୂଚନା ମୁତାବକ ବୁଧବାର ସକାଳେ ପ୍ରାତଃ ଭ୍ରମଣ ସମୟରେ ଜଗଦୀପ ଧନଖଡ଼ ଅଚାନକ ବେହୋସ ହୋଇ ତଳେ ପଡ଼ି ଯାଇଥିଲେ ଏବଂ କିଛି ମିନିଟ୍ ଅଚେତ ଅବସ୍ଥାରେ ଥିଲେ। ତାଙ୍କ ସହିତ ଥିବା ସୁରକ୍ଷାକର୍ମୀ  ତୁରନ୍ତ  ପିସିଆର ଭ୍ୟାନରେ ତାଙ୍କୁ ଘରେ ପହଞ୍ଚାଇଥିଲେ। ଏହା ପରେ ଇନଷ୍ଟିଚ୍ୟୁଟ୍ ଅଫ ଲିଭର ଆଣ୍ଡ ବିଲିୟରୀ ସାଇନ୍ସେସ(ILBS)ର ମେଡିକାଲ୍ ଟିମ୍ ଓ ଏମ୍ସର ଡାକ୍ତର ସନ୍ଦୀପ ସେଠ ତାଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକୀୟ ଚିକିତ୍ସା କରାଇଥିଲେ।

Also Read: ମାନିଲେ ସୋନିଆ, ବାଜପେୟୀଙ୍କ ସରକାର ଭାଙ୍ଗିବା ପରେ ନିଜ ସରକାର ଗଢିବା ଲାଗି ଦାବି ଉପସ୍ଥାପନ କରିବା ଭୁଲ ଥିଲା

ପ୍ରାରମ୍ଭିକ ଚିକିତ୍ସା ପରେ ବି ତାଙ୍କ ସ୍ଵାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆମ୍ବୁଲାନ୍ସରେ ଧନଖଡ଼ଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ କାର୍ଡିଓଲୋଜି ବିଭାଗରେ ମେଡିକାଲ୍ ଟିମଙ୍କ ତତ୍ବାବଧାନରେ ତାଙ୍କର ଚିକିତ୍ସା ଚାଲିଛି। ତେବେ ପୂର୍ବତନ ଉପରାଷ୍ଟ୍ରପତିଙ୍କ ସ୍ଵାସ୍ଥ୍ୟବସ୍ଥାକୁ ନେଇ ଏମ୍ସ ପକ୍ଷରୁ ଅଦ୍ୟାବଧି କୌଣସି ପ୍ରେସ ବିବୃତି ଜାରି କରାଯାଇ ନାହିଁ।

ସୂଚନାଯୋଗ୍ୟ, ଜଗଦୀପ ଧନଖଡ଼ ୨୦୨୨ ଅଗଷ୍ଟରେ ଭାରତର ୧୪ତମ ଉପରାଷ୍ଟ୍ରପତି ହୋଇଥିଲେ। କିନ୍ତୁ କାର୍ଯ୍ୟକାଳ ସରିବା ପୂର୍ବରୁ ସେ ଅଚାନକ ୨୦୨୫ ଜୁଲାଇରେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ତାଙ୍କର ଏମିତି ଅପ୍ରତ୍ୟାଶିତ ଇସ୍ତଫାକୁ ନେଇ ବେଶ ରାଜନୀତି ହୋଇଥିଲା। ଏହା ପୂର୍ବରୁ ଧନଖଡ଼ ଜମ୍ମୁ-କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳରେ ଉପରାଜ୍ୟପାଳ ପଦରେ କାର୍ଯ୍ୟ କରିଥିଲେ।