ଭୁବନେଶ୍ୱର ୧୧।୧୧ : ଭୁବନେଶ୍ୱର ଶିଶୁପାଳଗଡ଼ର ବହୁଚର୍ଚ୍ଚିତ ତପୁ ନାଏକ ହତ୍ୟାକାଣ୍ଡ ଘଟଣା । ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ମାମଲାରେ ଆଉ ଜଣେ ଅଭିଯୁକ୍ତକୁ ଉଠାଇ ଆଣିଛି ଧଉଳି ଥାନା ପୋଲିସ। ନୂଆ ଅଭିଯୁକ୍ତର ଗିରଫଦାରୀ ପରେ ଏହି ହତ୍ୟାକାଣ୍ଡକୁ ନେଇ ସାମ୍ନାକୁ ଆସିଛି ଏକାଧିକ ଚାଞ୍ଚଲ୍ୟକର ତଥ୍ୟ। ବନ୍ଧୁକ କାରବାରଠାରୁ ଆରମ୍ଭ କରି ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ପର୍ଯ୍ୟନ୍ତ, ସବୁଥିରେ ସୌମ୍ୟ ଗଜେନ୍ଦ୍ରର ଭୂମିକା ଥିବା ପୋଲିସ ତଦନ୍ତରୁ ସୂଚନା ମିଳିଛି। ବନ୍ଧୁକ ଡିଲର ଭାବେ କାମ କରୁଥିବା ସୌମ୍ୟ ଗଜେନ୍ଦ୍ର ହିଁ ଏହି ବେଆଇନ ବନ୍ଧୁକ କାରବାରର ମାଷ୍ଟରମାଇଣ୍ଡ ଥିବା ଜଣାପଡ଼ିଛି। କେବଳ ସେତିକି ନୁହେଁ, ତପୁଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରୁ ପ୍ରମାଣ ନଷ୍ଟ କରିବା ଏବଂ ହତ୍ୟାକାଣ୍ଡକୁ ଅନ୍ୟ ରୂପ ଦେବା ପଛରେ ମଧ୍ୟ ସୌମ୍ୟର ମୁଖ୍ୟ ଭୂମିକା ଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ବନ୍ଧୁମାନଙ୍କ ସହ ପାର୍ଟି ଚାଲିଥିବା ସମୟରେ ବେଆଇନ ବନ୍ଧୁକରୁ ଗୁଳି ଫୁଟିଥିଲା। ଆଉ ସେହି ଗୁଳିମାଡ଼ରେ ଜୀବନ ହାରିଥିଲେ ତପୁ ନାଏକ। ଘଟଣା ପରେ ଅଭିଯୁକ୍ତମାନେ ଏହାକୁ ଅନ୍ୟ ଘଟଣାର ରୂପ ଦେବା ସହ ପ୍ରମାଣ ଲୁଚାଇବାକୁ ଉଦ୍ୟମ କରିଥିବା ତଦନ୍ତରୁ ଜଣାପଡ଼ିଛି। ଏହି ଘଟଣାରେ ପୂର୍ବରୁ ସୌମ୍ୟର ଭାଇ ଚିତ୍ରସେନଙ୍କ ସମେତ ୮ ଜଣଙ୍କୁ ଗିରଫ କରିଥିଲା ଧଉଳି ଥାନା ପୋଲିସ। ଏବେ ଆଉ ଜଣେ ଅଭିଯୁକ୍ତକୁ ଧରିବା ପରେ ହତ୍ୟାକାଣ୍ଡର ପଛରେ ଥିବା ଅନ୍ୟାନ୍ୟ ଦିଗ ଉପରେ ଖୋଳତାଡ଼ ଜାରି ରଖିଛି ପୋଲିସ।

Also Read:-ଶିଶୁପାଳଗଡ଼ ହତ୍ୟାକାଣ୍ଡ : ରିମାଣ୍ଡରେ ୨ ଅଭିଯୁକ୍ତ, ମୁଖ୍ୟ ଅଭିଯୁକ୍ତକୁ ନେଇ ସିନ୍ ରିକ୍ରିଏସନ୍

ତେବେ ପ୍ରଶ୍ନ ଉଠୁଛି, ବେଆଇନ ବନ୍ଧୁକ କାରବାରର ଚେର କେତେ ଦୂର ଲମ୍ବିଛି? ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ଆଉ କେଉଁମାନେ ସାମିଲ ଥିଲେ? ଏହି ଷଡ଼ଯନ୍ତ୍ରରେ ଆଉ କାହାର ରହିଛି ସମ୍ପୃକ୍ତି ? ପୋଲିସର ଆଗାମୀ ତଦନ୍ତରୁ ଏସବୁ ରହସ୍ୟ ଉପରୁ ପରଦା ହଟିବା ନେଇ ଆଶା କରାଯାଉଛି। ନଭେମ୍ବର ୪ ତାରିଖ ରାତିରେ ଘଟିଥିଲା ଏହି ହତ୍ୟାକାଣ୍ଡ ।