ଭୁବନେଶ୍ୱର ୧୧।୧୧ : ବିଜେପିର ପାଲଟା ଜବାବ । ଭତ୍ତାକୁ ନେଇ ବୟାନବାଜି ଭିତରେ ବିଜେପିର ପାଲଟା ଆକ୍ରମଣ। ବିରୋଧୀ ଭତ୍ତା ପ୍ରସଙ୍ଗରେ ଲୋକଙ୍କୁ ଭ୍ରମିତ କରୁଥିବା କହିଛି ଶାସକ ଦଳ। ବିଜେଡି ସରକାର ସମୟରେ ସାମାଜିକ ସୁରକ୍ଷା ଯୋଜନା ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ନଥିଲା। ଅନେକ ଯୋଗ୍ୟ ହିତାଧିକାରୀ ଯୋଜନାରୁ ବଞ୍ଚିତ ରହୁଥିଲେ। କିନ୍ତୁ ବିଜେପି ସରକାର ସମସ୍ତଙ୍କ ପାଖରେ ଯୋଜନା ପହଞ୍ଚାଇବା ସହ ସମସ୍ତଙ୍କୁ ଭତ୍ତା ଦେବାକୁ ପ୍ରାଥମିକତା ଦେଉଥିବା କହିଛି।

ଦଳ ଆହୁରି ମଧ୍ୟ କହିଛି ଯେ, ୨୯୦ ମାସର ବିଜେଡି ସରକାର ଏବଂ ୨୯ ମାସର ବିଜେପି ସରକାରକୁ ତୁଳନା କରିବା ଭୁଲ ।  ଦୀର୍ଘ ୨୯୦ ମାସର ଶାସନ ପ୍ରଚାର ସର୍ବସ୍ୱ ଥିବାବେଳେ ୨୯ ମାସର ସରକାର ଲୋକଙ୍କ ସରକାର ଭାବେ କାମ କରୁଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗକୁ ପୂର୍ବ ସରକାର ରାଜନୈତିକ ଫାଇଦା ପାଇଁ ବ୍ୟବହାର କରୁଥିବା ମଧ୍ୟ ଅଭିଯୋଗ କରିଛି ବିଜେପି। ସମାଜର ଶେଷ ଧାଡ଼ିରେ ଥିବା ବୟସ୍କ, ଅସହାୟ ଓ ନିଷ୍ପେସିତ ଲୋକଙ୍କୁ ନେଇ ରାଜନୀତି କରିବା ଉଚିତ ନୁହେଁ ବୋଲି ଦଳ କହିଛି।

Also Read:-ଗଞ୍ଜାମ ବନ୍ୟା ମନୁଷ୍ୟକୃତ ନୁହେଁ, ୩ ଦିନର ଅସ୍ୱାଭାବିକ ବର୍ଷା ଦାୟୀ: ଅନୁ ଗର୍ଗ

ଭତ୍ତା ବୃଦ୍ଧିର ଇତିହାସ ଉପରେ ମଧ୍ୟ ତଥ୍ୟ ରଖିଛି ବିଜେପି। ଦଳର କହିବା ଅନୁସାରେ, ୨୦୧୩ରେ ମାସିକ ଭତ୍ତା ୩୦୦ ଟଙ୍କା ଥିବାବେଳେ ୨୦୧୩ରୁ ୨୦୧୮ ମଧ୍ୟରେ ଏହା ୫୦୦ ଟଙ୍କାକୁ ବୃଦ୍ଧି ପାଇଥିଲା। ୨୦୧୯ରେ ୫୦୦ରୁ ୭୦୦ ଟଙ୍କା ଏବଂ ୨୦୨୪ରେ ୧୦୦୦ ଟଙ୍କା ହୋଇଥିଲା। ନିର୍ବାଚନ ଆସିଲେ ଭତ୍ତା ବଢ଼ୁଥିଲା, କିନ୍ତୁ ଯୋଜନା ସମସ୍ତଙ୍କ ପାଖରେ ପହଞ୍ଚୁନଥିଲା ବୋଲି ଅଭିଯୋଗ କରିଛି ଦଳ।

ସେହିପରି ୨୦୧୯ରୁ ୨୦୨୪ ମଧ୍ୟରେ ବିଜେଡି ସରକାର ଭତ୍ତା ବାବଦରେ ୧୬ ହଜାର ୪୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ବିଜେପି ସରକାର ଅଢ଼େଇ ବର୍ଷରେ ୨୦ ହଜାର ୬୫୫ କୋଟି ଟଙ୍କା ପ୍ରଦାନ କରିଥିବା ଦାବି କରିଛି ଦଳ । ଆଗାମୀ ଅଢ଼େଇ ବର୍ଷରେ ଆହୁରି ୨୨ ହଜାର କୋଟି ଟଙ୍କା ଦେବାକୁ ଯୋଜନା ରହିଥିବା କହିଛି ଦଳ। ଅର୍ଥାତ୍ ଆଗାମୀ ଦିନରେ ଭତ୍ତା ବାବଦରେ ପ୍ରାୟ ୪୨ ହଜାର କୋଟି ଟଙ୍କା ଦେବାକୁ ସରକାରଙ୍କ ଲକ୍ଷ୍ୟ ଥିବା ଦାବି କରାଯାଇଛି।  ଏହାସହ ପୂର୍ବରୁ ଦଳୀୟ ଆଧାରରେ ଭତ୍ତା ମିଳୁଥିବା ଅଭିଯୋଗ ଆଣିଛି ବିଜେପି। ଏବେ ଆବେଦନ କରିବାର ଏକ ମାସ ମଧ୍ୟରେ ଯୋଗ୍ୟ ବ୍ୟକ୍ତିଙ୍କୁ ଭତ୍ତା ମିଳିବାର ବ୍ୟବସ୍ଥା ଥିବା କହିଛି। ସରକାରଙ୍କ ଲକ୍ଷ୍ୟ ହେଉଛି, କୌଣସି ଯୋଗ୍ୟ ହିତାଧିକାରୀ ଯେପରି ଯୋଜନାରୁ ବଞ୍ଚିତ ନ ହୁଅନ୍ତି।

ତେବେ ଭତ୍ତାକୁ ନେଇ ବିରୋଧୀଙ୍କ ଅଭିଯୋଗ ଓ ବିଜେପିର ପାଲଟା ଜବାବ ପରେ ରାଜ୍ୟ ରାଜନୀତିରେ ପୁଣି ଜୋର୍ ଧରିଛି ବୟାନବାଜି। ଭତ୍ତା ଯୋଜନାର ପ୍ରକୃତ ଚିତ୍ର କ'ଣ, କେତେ ଲୋକ ଉପକୃତ ହେଉଛନ୍ତି ଏବଂ କେତେ ଯୋଗ୍ୟ ହିତାଧିକାରୀ ଏବେ ବି ଅପେକ୍ଷାରେ ଅଛନ୍ତି, ତାହାକୁ ନେଇ ଆଗକୁ ରାଜନୈତିକ ଚର୍ଚ୍ଚା ଜାରି ରହିବ।

Watch Video:-

​​​​​​​